ମନରେଗା ଯୋଜନାରେ ଆଖିବୁଜା ଦୁର୍ନୀତି, ରାସ୍ତାର ନାଁ ଗନ୍ଧ ନାହିଁ, ଲକ୍ଷାଧିକ ଟଙ୍କା ହଡ଼ପ
ଗଣ୍ଡକିପୁର-୧/୨-ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ଦ୍ଵାରା ଗ୍ରାମାଞ୍ଚଳର ଶ୍ରମିକ ମାନଙ୍କୁ ୧୦୦ ଦିନର କାମ ଦେବା ପାଇଁ ଏହି ଯୋଜନା ପ୍ରତ୍ୟେକ ବ୍ଲକ୍ରେ ପ୍ରଣୟନ କରାଯାଉଛି। ହେଲେ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଗଣ୍ଡକିପୂର ପଞ୍ଚାୟତରେ ଏହି ଯୋଜନାର ବିଚିତ୍ର ସ୍ଥିତି ଦେଖିବାକୁ ମିଳୁଛି।ଏହି ପଞ୍ଚାୟତରେ ରାସ୍ତା ନିର୍ମାଣ ହୋଇ ନଥିବା ବେଳେ ମନରେଗା ଯୋଜନା ମାଧ୍ୟମରେ ଲକ୍ଷାଧିକ ଟଙ୍କା ହଡ଼ପ କରାଯାଉଛି। ବିଶେଷକରି ମନରେଗା ଯୋଜନାରେ କାମ କରୁଥିବା ଯେଉଁ ଶ୍ରମିକଙ୍କ ନାମ ମାଷ୍ଟର ରୋଲରେ ଦର୍ଶାଯାଇଛି, ଅଥଚ ସେମାନେ କାମ ବିଷୟରେ କିଛି ବି ଜାଣି ନାହାନ୍ତି। ଏହି ବେଆଇନ୍ କାମ ର ପ୍ରଚ୍ଛଦ ପୃଷ୍ଠାରେ ପଞ୍ଚାୟତ ସ୍ତରୀୟ ଅଧିକାରୀ, ଲୋକ ପ୍ରତିନିଧି ଓ କିଛି ଦଲାଲ୍ଙ୍କ ବଡ ଭୂମିକା ରହିଥିବା ସନ୍ଧେହ ଉପୂଜୁଛି। ତେବେ ପଞ୍ଚାୟତରେ ମିଥ୍ୟା ପ୍ରକଳ୍ପ ଦର୍ଶାଇ ଚାଲିଥିବା ମନରେଗା କାର୍ଯ୍ୟ ଗୁଡ଼ିକର ଉଚ୍ଚ ସ୍ତରୀୟ ତଦନ୍ତ କରାଗଲେ ବହୁ ଦୁର୍ନୀତିର ପେଡ଼ି ଖୋଲିବ ବୋଲି ଗ୍ରାମବାସୀ ଦାବି କରିଛନ୍ତି। ମିଳିଥିବା ସୂଚନା ଅନୁସାରେ, ଆଜି କୁଜଙ୍ଗ ବ୍ଲକ ୨୮ ପଞ୍ଚାୟତ ମାନଙ୍କରେ ୧୨୭ ଟି ପ୍ରକଳ୍ପ ଓ ଆବାସ ଗୃହ ନିର୍ମାଣ ନାଁରେ ମୋଟ ୭୪୬ ଜଣ ଜବ୍ କାର୍ଡଧାରି ଶ୍ରମିକ ମନରେଗା ଯୋଜନାରେ ହେଇଥିବା ଉନ୍ନୟନ ମୂଳକ କାର୍ଯ୍ୟରେ ନିୟୋଜିତ ଅଛନ୍ତି।ଏହି ଶ୍ରମିକ ମାନେ ଅମୃତ ସରୋବର ପୋଖରୀ, ରାସ୍ତା ନିର୍ମାଣ,ଆବାସ ଗୃହ , ମା ପାଇଁ ବୃକ୍ଷ ଟିଏ ଯୋଜନା ନାଁ ରେ କାମ କରୁଥିବା ମନରେଗା ଯୋଜନା ପୋର୍ଟାଲ ରେ ଦର୍ଶାଯାଇଛି।ବ୍ଲକର ୨୮ ପଞ୍ଚାୟତରେ ସମୁଦାୟ ୭୪୬ ଜଣ ଜବକାର୍ଡଧାରୀ କାମ କରୁଥିବା ବେଳେ ଗଣ୍ଡକିପୁର ପଞ୍ଚାୟତର ୮ ଟି ପ୍ରକଳ୍ପରେ ୩୬ ଜଣ ଶ୍ରମିକ କାମ କରୁଥିବା ସରକାରୀ ତଥ୍ୟ କହୁଛି।

୭ ଟି ଆବାସ ଯୋଜନାରେ ଶ୍ରମିକ ଦର୍ଶାଯାଇଥିବା ବେଳେ ଅନ୍ୟଟି ବାଲିତଣ୍ଡା ଶ୍ନସ୍ନାନ ଠାରୁ ପୋଲ ପର୍ଯ୍ୟନ୍ତ ରାସ୍ତା ଉନ୍ନତି କରଣ କରାଯାଉଥିବା ସରକାରୀ ତଥ୍ୟ ଦର୍ଶାଉଛି।ମାତ୍ର ସରକାରୀ ତଥ୍ୟ ଅନୁସାରେ ଏହି ଉନ୍ନତି କରଣ କରାଯାଉଥିବା ରାସ୍ତା ଦେଖିବାକୁ ମିଳୁନି।ସବୁଠୁ ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗ ଏହି ରାସ୍ତାରେ ମାଟି ମୁଠେ ପଡ଼ି ନଥିବା ବେଳେ ଏଠାରେ ଜଣେ ବି ଶ୍ରମିକ କାମ କରି ନାହାନ୍ତି।ହେଲେ ଦୈନଦିନ ଉକ୍ତ ରାସ୍ତା ଉନ୍ନତି କରଣ ନାଁ ରେ ପ୍ରାୟ ୫ ଲକ୍ଷ ଟଙ୍କା ହଡ଼ପ କରାଯାଉଛି।ଅନୁରୂପ ଭାବେ ଉଛବ ବିଶ୍ଵାଳ ଘର ଠାରୁ ନୂଆସାହି ପୋଲ ପର୍ଯ୍ୟନ୍ତ ରାସ୍ତା ଉନ୍ନତି କରଣ ନାଁ ରେ ୩ ଲକ୍ଷ ହଡ଼ପ କରିବାକୁ ଉଦ୍ୟମ ଚାଲିଛି।ମାତ୍ର ସରକାରୀ ତଥ୍ୟ ସ୍ଥାନୀୟ ଲୋକ ପ୍ରତିନିଧି ଓ ସରକାରୀ ଅଧିକାରୀଙ୍କ ଦ୍ଵାରା ପ୍ରସ୍ତୁତ କରାଯାଉଥିବା ଚର୍ଚ୍ଚାର ପରଧି କୁ ଆସିଛି।କାରଣ ଏହି ପଞ୍ଚାୟତ ମାନଙ୍କରେ ସରକାରୀ ତଥ୍ୟ ଅନୁଯାୟୀ ଶ୍ରମିକ କାର୍ଯ୍ୟ ସ୍ଥଳରେ କାମ କରୁନଥିବା ଦେଖିବାକୁ ମିଳିଛି।ଦର୍ଶାଯାଇଥିବା ଶ୍ରମିକ ଙ୍କ ମଧ୍ୟରୁ କାହାର ବୟସ ସୀମା ୭୦ ଅତିକ୍ରାନ୍ତ ହୋଇଥିବା ବେଳେ ଅନ୍ୟ କିଛି ଶ୍ରମିକ ବିଭିନ୍ନ ଶିଳ୍ପ ସଂସ୍ଥାରେ ଦୈନଦିନ ଶ୍ରମିକ ଭାବେ କାମ କରନ୍ତି।ବିଶେଷକରି ପୁରୁଣା ପ୍ରକଳ୍ପ କୁ ଏବେ ମନରେଗା ଯୋଜନାରେ ଅର୍ନ୍ତଭୁକ୍ତ କରି ଅର୍ଥ ବାଟମାରଣା କରିବାକୁ ବିରାଟ ଷଡ଼ଯନ୍ତ୍ର ଚାଲିଥିବା ସ୍ଥାନୀୟ ସମିତି ସଭ୍ୟାଙ୍କ ପ୍ରତିନିଧି ଆଶିଷ କୁମାର ସାମଲ ଅଭିଯୋଗ କରିବା ସହ ଉଚ୍ଚ ସ୍ତରୀୟ ତଦନ୍ତ ଦାବି କରିଛନ୍ତି।ଏ ସମ୍ପର୍କରେ ମଣ୍ଡଳ ଉନ୍ନୟନ ଅଧିକାରୀ ଦୀପକ ପ୍ରସାଦ ସ୍ୱାଇଁ ମତାମତ ନେବାରୁ ସେ ଘଟଣା ସମ୍ପର୍କରେ ଅବଗତ ନଥିବା କହିଥିଲେ। କୁଜଙ୍ଗ ବ୍ଳକ ଗଣ୍ଡକିପୁର ପଞ୍ଚାୟତରୁ ନୃସିଂହ ଚରଣ ବାରିକଙ୍କ ରିପୋର୍ଟ
