ପ୍ରଶାସନିକ ଙ୍କ ଅଡୁଆରେ ଦୁର୍ଦ୍ଦିନରେ ଅବସ୍ଥାରେ ସ୍ୱାଧୀନତା ସଂଗ୍ରାମୀଙ୍କ ପରିବାର
ପ୍ରଶାସନିକ ଙ୍କ ଅଡୁଆରେ ଦୁର୍ଦ୍ଦିନରେ ଅବସ୍ଥାରେ ସ୍ୱାଧୀନତା ସଂଗ୍ରାମୀଙ୍କ ପରିବାର l ( ସହାୟତା ର ହାତ ବଡ଼ାଇବାକୁ ବ୍ୟାକୁଳ ନିବେଦନ )
ଗୋପ :୨୭/୦୧/୨୫( ) ସ୍ୱାଧୀନତା 78 ବର୍ଷ ବିତିଯାଇଥିଲେ ମଧ୍ୟ ରାଜ୍ୟ କେତେଜଣ ସ୍ୱାଧୀନତା ସଂଗ୍ରାମୀ ଙ୍କ ପରିବାର ସରକାର ଵା ପ୍ରଶାସନିକ ଙ୍କ ଅଡୁଆଳରେ ଏଵେ ବି ଦୁର୍ଦ୍ଦିନରେ ଜୀବନ ଅତିବାହିତ କରୁଛନ୍ତି l ସରକାରୀ କାର୍ଯ୍ୟକ୍ରମ ହେଉ ଅବା ନେତା ମନ୍ତ୍ରୀଙ୍କ ସାଧାରଣ ସଭା ସମିତି ରେ କେବଳ ଭାଷଣ ରେ ତାଙ୍କୁ ମନେପକେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛେ ଅନ୍ୟଥା କିଛି ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି । ବାସ୍ତବ କ୍ଷେତ୍ରରେ ଦେଖିବାକୁ ଗଲେ ଆମେ ଜାଣିପାରିବା ସେମାନଙ୍କ ପରିବାର ର ସଦସ୍ୟ ମାନେ କିପରି ଅଛନ୍ତି l ପ୍ରକୃତ ରେ ସ୍ଵାଧୀନତା ସଂଗ୍ରାମୀ ଙ୍କ ପରିବାର ଲୋକେ କିପରି ଜୀବନଯାପନ କରୁଛନ୍ତି କେହି ଦୃଷ୍ଟି ପକାଉ ନାହାନ୍ତି। ଏହାର ଜଳନ୍ତକ ଉଦାହରଣ ଟି ହେଉଛି ପୁରୀ ଜିଲ୍ଲା ଗୋପ ବ୍ଲକ ଅଧିନସ୍ତ ଧୂମାଳୋ ଗ୍ରାମ ର ସ୍ଵାଧୀନତା ସଂଗ୍ରାମୀ ସ୍ୱର୍ଗତ ଦଇତାରୀ ମିଶ୍ର ଙ୍କ ପରିବାର କୁ ଉଦାହରଣ ଭାବେ ନିଆଯାଇପାରେ।

ସ୍ୱର୍ଗତ ଦଇତାରୀ ମିଶ୍ର ଙ୍କ ଜନ୍ମ ଗ୍ରହଣ କରୁଥିଲେ ୧୯୦୦ ମସିହାରେ । ୧୯୩୦ ମସିହା ରେ ମହାତ୍ମା ଗାନ୍ଧୀ ଙ୍କ ଡାକରା ରେ ସାରା ଦେଶ ରେ ବିଟ୍ରିଶ ସରକାର ଙ୍କ ବିରୋଧରେ ଆରମ୍ଭ ହୋଇଥିଲା ଲବଣ ସତ୍ୟାଗ୍ରହ ଆନ୍ଦୋଳନ। ତାର ପ୍ରଭାବ ବି ଓଡ଼ିଶା ରେ ପଡ଼ିଥିଲା। ଆମ ରାଜ୍ୟ ର ଇଞ୍ଚୁଡ଼ି ଓ ଅସ୍ତରଙ୍ଗ ଠାରେ ବି ଲବଣ ସତ୍ୟାଗ୍ରହ ଆନ୍ଦୋଳନ ହୋଇଥିଲା। ଅସ୍ତରଙ୍ଗ ର କୁହୁଡ଼ି ଠାରେ ସତ୍ୟାଗ୍ରହୀ ମାନେ ସମୁଦ୍ର ପାଣି ରୁ ଲୁଣ ମାରି ବିଟ୍ରିଶ ସରକାର ଙ୍କ ଲବଣ ଆଇନ କୁ ଭଙ୍ଗ କରିଥିଲେ। ଏହି ଆନ୍ଦୋଳନ ରେ ସ୍ୱର୍ଗତ ଦଇତାରୀ ମିଶ୍ର ଙ୍କ ଭୂମିକା ଗୁରୁତ୍ୱ ପୂର୍ଣ୍ଣ ଥିଲା ଯାହାଫଳରେ ବିଟ୍ରିଶ ଫଉଜ ଦ୍ଵାରା ଗିରଫ ହୋଇ ଦୀର୍ଘ ୪ ମାସ ୧୫ ଦିନ ପୁରୀ ଜେଲ ରେ ସଜା ଭୋଗିବାକୁ ପଡିଥିଲା । ପରବର୍ତ୍ତୀ ସମୟରେ ଦ୍ୱିତୀୟ ଥର ପାଇଁ ଗିରଫ ହୋଇ ହଜାରିବାଗ ଜେଲ୍ ରେ ୨ ମାସ ସଜା ଭୋଗିଥିଲେ। ତାଙ୍କର ଏହି ମହନୀୟ କାର୍ଯ୍ୟ ପାଇଁ ୧୯୭୨ ମସିହାରେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗୀୟା ଇନ୍ଦିରା ଗାନ୍ଧୀ ତାଙ୍କୁ ଦିଲ୍ଲୀ ଡ଼କାଇ ସ୍ଵାଧୀନତା ଆନ୍ଦୋଳନର ୨୫ ବର୍ଷ ପୂର୍ତ୍ତି ଅବସରରେ ତାମ୍ର ଫଳକ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ। ପରେ ଓଡ଼ିଶା ର ତତ୍କାଳୀନ ରାଜ୍ୟପାଳ ମଧ୍ୟ ତାଙ୍କୁ ଭୁବନେଶ୍ବର ଡ଼କାଇ ତାମ୍ର ଫଳକ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରି ଥିଲେ। ୧୯୮୪ ମସିହାରେ ତାଙ୍କ ର ମୃତ୍ୟୁ ଘଟିଥିଲା ଓ ପରେ ୨୦୦୯ ମସିହା ରେ ତାଙ୍କ ସହଧର୍ମିଣୀ ହାରାମଣି ଙ୍କ ର ମଧ୍ୟ ମୃତ୍ୟୁ ଘଟିଥିଲା। ସ୍ୱର୍ଗତ ମିଶ୍ର ଙ୍କ ର ୫ ପୁଅ ଙ୍କ ମଧ୍ୟରୁ ୪ ଜଣ ଙ୍କ ର ମୃତ୍ୟୁ ଘଟିଥିବା ବେଳେ ଏକମାତ୍ର କନିଷ୍ଠ ପୁତ୍ର ପ୍ରଦୀପ୍ତ ମିଶ୍ର ଜୀବିତ ଅଛନ୍ତି। ପିତା ଙ୍କ ବଳିଦାନ କୁ ସ୍ମରଣ ପକାଇ ପ୍ରଦୀପ୍ତ ଏବେ କ୍ୟାନଶର ରୋଗ ରେ ପୀଡ଼ିତ ହୋଇ ଶଯ୍ୟାଶାୟୀ। ଘରେ ବିଧବା ବୋହୁ ଓ ନାତି ନାତୁଣୀ ମାନେ ରହୁଛନ୍ତି। ତେବେ ପରିବାର ର କୌଣସି ରୋଜଗାର ନ ଥିବାରୁ ସମସ୍ତେ ଦହନୀୟ ଅବସ୍ଥା ରେ ଦୁର୍ଦ୍ଦିନ ରେ କାଳ କାଟୁଛନ୍ତି। ତାଙ୍କର ଏକ ମାତ୍ର ନାତି ତପନ ମିଶ୍ର ଦିନ ମଜୁରିଆ ଭାବେ କାମ କରୁଛନ୍ତି। ତାଙ୍କରି ସ୍ୱଳ୍ପ ରୋଜଗାର ରେ ଏହି ବୃହତ ପରିବାର ପ୍ରତିପୋଷଣ କରିବା ଅତ୍ୟନ୍ତ କଷ୍ଟଦାୟକ ହୋଇପଡିଛି । ସ୍ଵାଧୀନତା ସଂଗ୍ରାମୀ ଙ୍କ ପରିବାର ର ଏହି ଅବସ୍ଥା ଏବେ ସମସ୍ତ ଙ୍କୁ ବ୍ୟଥିତ କରିଛି। ନା ଏହି ପରିବାର କୁ ମିଳିଛି ସରକାରୀ ବାସଗୃହ ନା ଏମାନଙ୍କୁ ମିଳିଛି ରେଶନ କାର୍ଡ। କେନ୍ଦ୍ର ସରକାର ନା ରାଜ୍ୟ ସରକାରଙ୍କ ତରଫରୁ ମିଳିଛି ସରକାରୀ ସହାୟତା। ତୁରନ୍ତ ସରକାର ଙ୍କ ପକ୍ଷରୁ ଏହି ପରିବାର କୁ ଆର୍ଥିକ ଅନୁଦାନ ଯୋଗାଇ ଦେଇ ଥଇଥାନ କରିବାକୁ ସ୍ଥାନୀୟ ସରପଞ୍ଚ ମୋନାଲିସା ସିଂ ଦାବି କରିଛନ୍ତି। ସରକାର ଏହି ସ୍ଵାଧୀନତା ସଂଗ୍ରାମୀ ଙ୍କ ପରିବାର ପ୍ରତି ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କଲେ ସ୍ଵାଧୀନତା ସଂଗ୍ରାମୀ ସ୍ବର୍ଗତ ଦଇତାରୀ ମିଶ୍ର ଙ୍କ ପ୍ରତି ଏହା ହେବ ପ୍ରକୃତ ଶ୍ରଦ୍ଧାଞ୍ଜଳି ।
