ରାଢ଼ଙ୍ଗ ସମବାୟ ସମିତି ସମ୍ମୁଖରେ ଧାରଣା ଦେଲେ ଚାଷୀ
ରାଢ଼ଙ୍ଗ ସମବାୟ ସମିତି ସମ୍ମୁଖରେ ଧାରଣା ଦେଲେ ଚାଷୀ
ରଘୁନାଥପୁର, ତା ୧/୨:- ଜଗତସିଂହପୁର ଜିଲ୍ଲା ଅଧିନସ୍ଥ ରଘୁନାଥପୁର ବ୍ଳକ୍ ଅନ୍ତର୍ଗତ ରାଢ଼ଙ୍ଗ ସମବାୟ ସମିତି କାର୍ଯ୍ୟାଳୟ ସମ୍ମୁଖରେ ନବ ନିର୍ମାଣ କୃଷକ ସଂଗଠନର ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ଦେବିପ୍ରସାଦ ମହାରଣାଙ୍କ ନେତୃତ୍ବରେ ରାଢ଼ଙ୍ଗ, ଇଚ୍ଛାପୁର, ପୂଜା, କଳିଙ୍ଗା ଗ୍ରାମର ଶତାଧିକ ଚାଷୀମାନେ ମିଲର ଓ ସଂପାଦକଙ୍କ ଚାଷୀ ଶୋଷଣ ନୀତି ବିରୋଧରେ ସକାଳ ନଅ ଘଟିକା ଠାରୁ ଧାରଣାରେ ବସିଥିଲେ। ସରକାର ଏବଂ ସରକାରୀ ଅଧିକାରୀ, କର୍ମଚାରୀ, ମିଲର୍ ଓ ସଂପାଦକଙ୍କ ଚାଷୀ ଶୋଷଣ ମାନସିକତା ବିରୋଧରେ ପ୍ରବଳ ଅସନ୍ତୋଷ, ଧାରଣାରେ ବସିଥିବା ଚାଷୀମାନଙ୍କ ମଧ୍ୟରେ ସ୍ପଷ୍ଟ ପରି ଲକ୍ଷିତ ହେଉଥିଲା। ମୁଖ୍ୟ ପ୍ରସଙ୍ଗ ଥିଲା ଯେ ମିଲର ମାନେ, ଧାନ ଅମଳ ସମୟରେ ଚାଷୀ ମାନଙ୍କୁ ଅଖା ନଦେଇ ବର୍ତ୍ତମାନ କାହିଁକି ବାଧ୍ୟ କରୁଛନ୍ତି ଚାଷୀମାନେ ଝୋଟ ଅଖାରେ ଧାନ ଦେବା ପାଇଁ ? ବର୍ତ୍ତମାନ ଜରି ବସ୍ତାରୁ ଧାନ ବାହାର କରି ଝୋଟ ଅଖାରେ ଧାନ ଭର୍ତ୍ତି କରିବା ପାଇଁ ଅତିରିକ୍ତ ଶ୍ରମ ଏବଂ ଅର୍ଥ ଖର୍ଚ୍ଚ କରିବାକୁ ପଡ଼ିବ ଯାହା ଗରିବ ଚାଷୀଙ୍କ ଉପରେ ଅତିରିକ୍ତ ବୋଝ ହେବ। ଚାଷୀର ଭଲ ଧାନରୁ ଚାରି କେଜି ଧାନ କାଟିବା, ଚାଷୀ ଠାରୁ ବସ୍ତା ପ୍ରତି ୧୦/୨୦ ଟଙ୍କା, ଓଜନ କରାଇବା ବାବଦରେ ଏବଂ ଟ୍ରକରେ ଭରିବା ବାବଦରେ ଆଦାୟ କରିବା, ଚାଷୀର ଗ୍ରାମ୍ ଓଜନକୁ ମିଲର୍ ଚୋରେଇ ନେବା, ବିଗତ ବର୍ଷ ମାନଙ୍କରୁ ଚାଷୀ ମାନଙ୍କ ପାଇଁ ସରକାର ସ୍ତରରୁ ଆସିଥିବା ଅଖା ଗୁଡ଼ିକୁ ମିଲର୍ ହଡ଼ପ କରିଥିବା, ଚାଷୀର ଭଲ ଧାନକୁ ଏଫ୍ ଏ କ୍ୟୁ ନାମରେ ଖରାପ ଧାନ କହି ଭୟ ସୃଷ୍ଟି କରିବା ଭଳି ଚାଷୀଙ୍କୁ ଶୋଷଣ ଉଦ୍ଦେଶ୍ୟ ଯୁକ୍ତ କାର୍ଯ୍ୟକଳାପ ଅତ୍ୟନ୍ତ ଅଗଣତାନ୍ତ୍ରିକ ଏବଂ ଅମାନବୀୟ ବୋଲି ଦେବି ପ୍ରସାଦ ମହାରଣା ନିଜର ବକ୍ତବ୍ୟ ପ୍ରଦାନ କରିବା ସହିତ ଆଗାମୀ ଦିନରେ ରାଢ଼ଙ୍ଗ ପଞ୍ଚାୟତରେ ଚାଷୀମାନେ ଆନ୍ଦୋଳନକୁ ଦୃଢ଼ କରିବା ପାଇଁ ଆହ୍ଵାନ ଦେଇଥିଲେ । ଚାଷୀମାନେ ଧାରଣାରେ ଏକ ଘଣ୍ଟା ବସିବା ପରେ ରାଢ଼ଙ୍ଗ ସମବାୟ ସମିତିର ସଂପାଦକ ଭଗବାନ ପ୍ରସାଦ ସ୍ବାଇଁ ଧାରଣା ସ୍ଥଳକୁ ଆସି ଚାଷୀ ମାନଙ୍କ ପ୍ରଶ୍ନର ଉତ୍ତର ଦେବା ପାଇଁ ବାଧ୍ୟ ହୋଇଥିଲେ। ଚାଷୀ ମାନଙ୍କ ଜରି ଆଖାରେ ଧାନ ଆଣିବା ଦାବିକୁ ସମ୍ପାଦକ ଗ୍ରହଣ କଲେ। ଏତଦ୍ ବ୍ୟତୀତ ମିଲର୍ ଏବଂ ସଂପାଦକଙ୍କ ମିଳିତ ଉଦ୍ୟମରେ ହେଉଥିବା ଧାନ ଲୁଟ୍ ବିରୋଧରେ ଏବଂ ସମସ୍ତ ଚାଷୀଙ୍କ ଧାନ କିଣିବା ତଥା ଚାଷୀଙ୍କ ଟୋକେନ୍ ରଦ୍ଦ ନକରିବା ନିମନ୍ତେ ଜିଲ୍ଲାପାଳଙ୍କ ନିକଟକୁ ଧାରଣାରେ ଉପସ୍ଥିତ ଶତାଧିକ ଚାଷୀ ଯିବା ପାଇଁ ସଂକଳ୍ପ ନେଲେ। ଆଜିର ଧାରଣାରେ ଉଲ୍ଲାସ ପାଳ, ଶୁକଦେବ ଜେନା, ସୁଧି ରଞ୍ଜନ ରାଉତ, ଶାରଦା ପ୍ରସାଦ ଜେନା, ଅସୀମ କୁମାର ରାଉତ, ପ୍ରତାପ ନାୟକ, ରଂଜନ ବରାଳ, ବିପିନ ପାଳ, ପ୍ରଶାନ୍ତ ଜେନା, ବିଜୟ ରାଉତ, ନିମାଇଁ ରାଉତ, ପୂର୍ଣ୍ଣ ଚନ୍ଦ୍ର ସ୍ବାଇଁ, କିଶୋର ରାଉତ, ପ୍ରମୋଦ ପାଳ, ଭାସ୍କର ଦାସ, ବିପିନ ମୁଦୁଲି, ବିନୟ କୁମାର ବିଶ୍ବାଳ, କୃଷ୍ଣ ଚନ୍ଦ୍ର ପାଳ, ଗଣେଶ ପାଳ, ସୂଜିନା ସ୍ବାଇଁ, ଅକ୍ଷୟ କୁମାର ଜେନା, ବିକ୍ରମ ପ୍ରସାଦ ରାଉତ, ସନ୍ୟାସୀ ସାମଲ, ନାରାୟଣ ସ୍ବାଇଁ, ଦେବାନନ୍ଦ ରାଉତ, ମାଗୁଣି ରାଉତ ପ୍ରଭୃତି ଚାଷୀ ମାନେ ଉପସ୍ଥିତ ଥିଲେ।
