ୟୁରିଆ ସାର ଅଭାବ,ଚିନ୍ତାରେ ଚାଷୀ ଉଜୁଡ଼ିବ ଚାଷ
କାକଟପୁର ନିର୍ବାଚନ ମଣ୍ଡଳୀରେ ୟୁରିଆ ସାର ଅଭାବ ପରିଲକ୍ଷିତ ହୋଇଛି। ଯାହା ଫଳରେ ଚାଷୀ ମାନେ ଚିନ୍ତାରେ ଥିବା ବେଳେ ଚାଷ କାମ ଉଜୁଡ଼ିବା ଆଶଙ୍କା ପ୍ରକାଶ ପାଇଛି। ସୁଚନା ଅନୁଯାୟୀ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ବର୍ତ୍ତମାନ ଚାଲିଥିବା ଖରିଫ୍ ଧାନ ଫସଲ ପାଇଁ ସାର ଓ ଔଷଧ ଠିକ୍ ମାତ୍ରାରେ ଯୋଗାଇ ପାରୁ ନାହାଁନ୍ତି। ଯାହା ଫଳରେ ଧାନ ତଳି ରୋଇ ସାରିବା ପରେ ବିଲରେ ୟୁରିଆ ପ୍ରୟୋଗ କରି ପାରୁ ନାହାଁନ୍ତି। କାକଟପୁର ନିର୍ବାଚନ ମଣ୍ଡଳୀର ଅସ୍ତରଙ୍ଗ, କାକଟପୁର ଓ ଗୋପ ବ୍ଳକ୍ ସହ କୋଣାର୍କ ଏନଏସି ଅଞ୍ଚଳରେ ବ୍ୟାପକ ଧାନ ଫସଲ ହୁଏ। ଧାନ ଚାଷ ପରେ ୟୁରିଆ ସାର ସାଙ୍ଘାତିକ ଅଭାବ ପରିଲକ୍ଷିତ ହୋଇଛି। ପ୍ରାୟ ସମସ୍ତ ଦୋକାନରେ ୟୁରିଆ ମିଳୁ ନାହିଁ। ଏଥିପାଇଁ କୃଷି ବିଭାଗ ପକ୍ଷରୁ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନାହିଁ କି ଚାଷୀଙ୍କୁ ସହଯୋଗ ମିଳୁନି। ଚାଷ କାର୍ଯ୍ୟ ଉଜୁଡିବା ପରିସ୍ଥିତିରେ ଚାଷୀ ମାନେ ଚିନ୍ତାରେ ଅଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଗୁରୁତର ଭାବି ତୁରନ୍ତ ଆବଶ୍ୟକ ୟୁରିଆ ସାର ଯୋଗାଇ ଦେବାକୁ ଅଞ୍ଚଳର ଚାଷୀ ମାନେ ଦାବି କରିଛନ୍ତି।
