ସରକାରୀ ଜମି ଜବରଦଖଲ ପାଇଁ ମୁହାଁମୁହିଁ
ସରକାରୀ ଜମି ଜବରଦଖଲ ପାଇଁ ମୁହାଁମୁହିଁ
ସହଯୋଗ କରୁଛନ୍ତି ତହସିଲ କର୍ମଚାରୀ
ଦଣ୍ଡିଆ ସାଜିଛନ୍ତି କୁଜି ନେତା
କୋଣାର୍କ – ବିଶ୍ବ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିରର ସୌନ୍ଦର୍ଯ୍ୟକରଣ ଯୋଜନାରେ ନିର୍ମିତ ରିଂଗରୋଡ କାର୍ଯ୍ୟ ଅଧାରେ ଅଟକି ରହିଥିବା ବେଳେ ଏହାର ପାର୍ଶ୍ଵବର୍ତ୍ତୀ ମଙ୍ଗୁଳେଶ୍ୱର ମନ୍ଦିର ପାଖରେ କୋଣାର୍କ ରାଜସ୍ବ ବିଭାଗ ପରୋକ୍ଷ ପ୍ରୋତ୍ସାହନରେ ଜମି ହାତେଇବା ଜବରଦଖଲ କାରୀ ବ୍ଯକ୍ତି ବିଶେଷ ମାନଙ୍କ ଆଡା ଜମୁଥିବା ସାଧାରଣରେ ଚର୍ଚ୍ଚା ଜୋର ଧରିଛି। କୋଣାର୍କ ମଙ୍ଗୁଳେଶ୍ୱର ମନ୍ଦିର ପାର୍ଶ୍ଵରେ ଦୀର୍ଘଦିନରେ ପ୍ରାକୃତିକ ସମ୍ପଦରେ ପରିପୂର୍ଣ୍ଣ ବିରାଟକାୟ ବାଲି ବନ୍ତ ଓ ଗଛମାନ କଟାଯାଇ ରାସ୍ତା ନିର୍ମାଣ କରାଯାଇଥିଲା । ବନବିଭାଗ ଓ ଜିଲ୍ଲା ପ୍ରଶାସନ ବାରମ୍ବାର ଅଭିଯୋଗ ସତ୍ତ୍ବେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା କୋଣାର୍କ ଅଂଚଳବାସୀଙ୍କୁ ହତଚକିତ କରିଥିବା ବେଳେ ବୃକ୍ଷପ୍ରେମୀ ଓ ପରିବେଶବିତ ମାନଙ୍କ ମହଲରେ ବିସ୍ମୟ ପ୍ରକାଶ ପାଇଛି। କିଛି ଅସାଧୁ ବ୍ୟକ୍ତି ମାନେ ଉକ୍ତ ଜାଗାକୁ ଜବର ଦଖଲ କରିବା ଦିଗରେ ସ୍ଥାନୀୟ ଓ ଜିଲ୍ଲା ପ୍ରଶାସନଙ୍କ ନୀରବତା କୁ ନେଇ ପ୍ରଶ୍ନ ଉଠାଇଛନ୍ତି କୋଣାର୍କ ଅଂଚଳବାସୀ । ରିଂଗରୋଡ ରାସ୍ତା ପାର୍ଶ୍ବରେ କାହା ପ୍ରୋତ୍ସାହନରେ ରାଜସ୍ବ ବିଭାଗ ମାଧ୍ୟମରେ ଜମି ଜବରଦଖଲ ପାଇଁ ଏନକ୍ଲୋଜମେଣ୍ଟ କଟାଯାଇ ପାଲ ଘୋଡ଼ାଇ ଗୃହ କରାଯାଇଛି ।

ଗତ ଦୁଇ ଦିନ ହେବ ଉକ୍ତ ସ୍ଥାନରେ ସରକାରୀ ଜମି ଜବରଦଖଲ ପାଇଁ ଗୋଷ୍ଠି ସଂଘର୍ଷ ଓ ମୁହାଁମୁହିଁ ଅବସ୍ଥା ଦେଖିବାକୁ ମିଳିଛି। ଯାହା ଫଳରେ ଥାନାରେ ଅଭିଯୋଗ ମଧ୍ଯ ହୋଇଛି। କେତେକ ଆସାଧୁ ବ୍ୟକ୍ତିବିଶେଷ ମାନେ ଏହି ସରକାରୀ ଜମିକୁ ହାତେଇ ପରବର୍ତ୍ତୀ ପର୍ଯ୍ୟାୟରେ ଚଢ଼ା ଦରରେ ମଧ୍ଯ ବିକ୍ରି କରିବାକୁ ଯୋଜନା କରୁଛନ୍ତି ବୋଲି ଶୁଣିବାକୁ ମିଳୁଛି। ଆଗକୁ କୋଣାର୍କରେ ଆଉ ସରକାରୀ ଉନ୍ନୟନ କାର୍ଯ୍ୟ ପାଈଁ ମଧ୍ଯ ସରକାରୀ ଜମି ରହିବ ନାହିଁ ବୋଲି ଅନୁମାନ କରାଯାଉଛି। ସବୁ ଦେଖି ମଧ୍ୟ ସ୍ଥାନୀୟ ତହସିଲଦାର ଓ ଆରଆଈ ମୋଟା ଅଙ୍କର ଉତ୍କୋଚ ନେଇ ଚୁପ୍ ରହୁଥିବା ସାଧାରଣରେ ଚର୍ଚ୍ଚା ହେଉଛି। ଏଥିପାଇଁ କେତେକ କୁଜି ନେତା ଓ ଦଣ୍ଡିଆ ମାନେ ରାଜ୍ଵସ କର୍ମଚାରୀଙ୍କୁ ସହଯୋଗ କରୁଥିବା ଜଣାପଡିଛି। ଏଣୁ ଏହାର ବିଧିବଦ୍ଧ ଭାବେ ତଦନ୍ତ ପାଇଁ କୋଣାର୍କ ଅଂଚଳବାସୀ ଙ୍କ ପକ୍ଷରୁ ପୁରୀ ଜିଲ୍ଲାପାଳଙ୍କ ହସ୍ତକ୍ଷେପ ପାଇଁ ଦାବି କରିଛନ୍ତି ।
