ଆର୍ଥିକ ସାକ୍ଷରତା ଓ ଆର୍ଥିକ ଅନ୍ତର୍ଭୂକ୍ତିକରଣ ଶିବିର

ଭଦ୍ରକ, ୨୯/୦୧: ଭଦ୍ରକ ଜିଲ୍ଲା ପ୍ରଶାସନ ତରଫରୁ ଗ୍ରାମୀଣ ସ୍ତରୀୟ ଆର୍ଥିକ ସାକ୍ଷରତା ଓ ଆର୍ଥିକ ଅନ୍ତର୍ଭୂକ୍ତିକରଣ ଶିବିର ଧୂଷୁରୀ ଗ୍ରାମ ପଞ୍ଚାୟତ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ଅତିଥି ଭାବରେ ଜିଲ୍ଲା ଆର୍ଥିକ ସେବା ଓ ସଞ୍ଚୟ ଅଧିକାରୀ ମୋନାଲିସା ପଣ୍ଡା, ଭଦ୍ରକ ଲିଡ୍ ବ୍ୟାଙ୍କ୍ ମ୍ୟାନେଜର ନାଗେଶ୍ଵର ରାଓ, ପୂର୍ବତନ ଜିଲ୍ଲା ଆର୍ଥିକ ସେବା ଓ ସଞ୍ଚୟ ଅଧିକାରୀ ପଦ୍ମନ କୁମାର ରାୟ, ଭାରତୀୟ ଡାକ ଓ ପେମେଣ୍ଟ ବ୍ୟାଙ୍କ୍ ମନୋଜ କୁମାର ଦାସ, ସାଇବର ସେଲ ଅଧିକାରୀ ଇନ୍ସପେକ୍ଟର ବନ୍ଦନା ଦେବୀ, ଡାକ ବିଭାଗ ବିଜନେସ ଏକ୍ସିକୁଟିଭ ସୋଭନ କୁମାର ମହାନ୍ତି ଓ
ଧୂଷୁରୀ ଗ୍ରାମର ସରପଞ୍ଚ ଅନ୍ତର୍ଯ୍ୟାମୀ ପତି ଏବଂ ଧାମନଗର ସି ଡ଼ି ପି ଓ ଯୋଗ ଦେଇଥିଲେ।
ଏହି ସଭାରେ ଜିଲ୍ଲା ଆର୍ଥିକ ସେବା ଓ ସଞ୍ଚୟ ଅଧିକାରୀ ସଭା ପରିଚାଳନା କରିଥିଲେ ଓ ଲୋକମାନଙ୍କୁ ସଞ୍ଚୟ କରିବା ଲାଗି ଅନୁପ୍ରାଣିତ କରିଥିଲେ ଓ ସ୍ୱଳ୍ପ ସଞ୍ଚୟ ପ୍ରୋତ୍ସାହନ ଯୋଜନା ସମ୍ପର୍କରେ ଅବଗତ କରାଇ ଥିଲେ। ଲିଡ ବ୍ୟାଙ୍କ୍ ମ୍ୟାନେଜର ସରକାରଙ୍କ ଦ୍ଵାରା ପ୍ରଚଳିତ ସାମାଜିକ ସୁରକ୍ଷା ଯୋଜନା ଗୁଡିକ ସମ୍ପର୍କରେ ଅବଗତ କରାଇବା ସହ ଏହିସବୁ ଯୋଜନା ରେ ଯୋଡ଼ିହେବା ପାଇଁ ଅନୁପ୍ରାଣିତ କରିଥିଲେ। ଶ୍ରୀ ପଦ୍ମନ ରାୟ ଲୋକମାନଙ୍କୁ ଚିଟ୍ ଫଣ୍ଡ କମ୍ପାନୀ ଗୁଡ଼ିକ ମଧ୍ୟରେ ନିବେଶ ନ କରିବା ଲାଗି ଅନୁପ୍ରାଣିତ କରିଥିଲେ। ମନୋଜ ଦାସ ଓ ସୋଭନ୍ କୁମାର ମହାନ୍ତି ଡାକ ଘରେ ଉପଲବ୍ଧ ଥିବା ସମସ୍ତ ସ୍ୱଳ୍ପ ସଞ୍ଚୟ ଯୋଜନା, ବିମା ଯୋଜନା ଓ ଅନ୍ୟାନ୍ୟ ଯୋଜନା ସମ୍ପର୍କରେ ଅବଗତ କରାଇଥିଲେ। ସାଇବର ଅପରାଧୀ ମାନଙ୍କ ଠକିବାର ବିଭିନ୍ନ ତରିକା ସମ୍ପର୍କରେ ସଚେତନ କରାଇଥିଲେ ଓ ଅଧିକରୁ ଅଧିକ ଅଭିଯୋଗ ଦାଖଲ କରିବାଲାଗି ଅନୁପ୍ରାଣିତ କରିଥିଲେ ସାଇବର ସେଲ ଅଧିକାରୀ। ଏହି ସଭାରେ ଧୂଷୁରୀ ଗ୍ରାମ ଓ ପାଖ ଗ୍ରାମରୁ ଶତାଧିକ ଜନସାଧାରଣ ଯୋଗ ଦେଇଥିଲେ। ଏହି ସଭା ଆୟୋଜନ ରେ ଜିଲ୍ଲା ଆର୍ଥିକ ସେବା ଓ ସଞ୍ଚୟ ବିଭାଗ ର କର୍ମଚାରୀ ମୋନାଲିସା ମାଝୀ ଓ ଅମୂଲ୍ୟ କୁମାର ପରିଡ଼ା ତଥା ଧାମନଗର ବ୍ଲକ ର ସମସ୍ତ ଡାକ ଏଜେ ଣ୍ଟମାନେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *