ଶ୍ରାବଣ ପ୍ରଥମ ସୋମବାର। ଗୋରେଖନାଥ ପୀଠରେ ଜଳାଭିଷେକ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ।
ରଘୁନାଥପୁର:- ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ କେରେକେରା ସ୍ଥିତ ପ୍ରସିଦ୍ଧ ବିଭୂତି କ୍ଷେତ୍ର ପ୍ରଭୁ ଗୋରେଖନାଥ ପୀଠରେ ଶ୍ରାବଣ ପ୍ରଥମ ସୋମବାରରେ ଜଳାଭିଷେକ ପାଇଁ ୫ ହଜାରରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁଙ୍କ ଭିଡ ପରିଲକ୍ଷିତ ହୋଇଥିଲା।ରାତ୍ର ୨ଟା ୩୦ ମିନିଟରେ ପହୁଡ଼ ଖୋଲିବା ପରେ ଶ୍ରଦ୍ଧାଳୁମାନେ ଲାଇନରେ ଆସି ପାଣି ଢାଳିଥିଲେ।ମନ୍ଦିର ପ୍ରଶାସନ ପକ୍ଷରୁ ଭକ୍ତଙ୍କ ରହଣି ପାଇଁ ଟେଣ୍ଟ କରାଯିବା ସହ ପର୍ଯ୍ୟାପ୍ତ ପାନୀୟଜଳ,ଆଲୋକ ଓ ଅସ୍ଥାୟୀ ଶୌଚାଳୟର ବ୍ୟବସ୍ଥା କରାଯାଇଥିଲା।ଏଥିସହ ଫାଷ୍ଟେଡେ ସୁବିଧା ମଧ୍ଯ କରାଯାଇଥିଲା। ଶୃଙ୍ଖଳାର ସହ ଶ୍ରଦ୍ଧାଳୁମାନେ ପାଣି ଢାଳିବା ପାଇଁ ବ୍ୟାରିକେଡ ବ୍ୟବସ୍ଥା ହୋଇଥିଲା।ଅନ୍ୟପକ୍ଷେ ପ୍ରଥମ ଥର ପାଇଁ ପ୍ରଭୂଙ୍କ ମନ୍ଦିର ସମ୍ମୁଖରୁ ଅଫିସ ପର୍ଯ୍ୟନ୍ତ ବ୍ୟାରିକେଡ କରାଯାଇଥିଲା। ଭକ୍ତମାନେ ପାଣିଢାଳି ସାରି ଉକ୍ତ ବ୍ୟାରିକେଡ ଦେଇ ଚାଲିଯାଉଥିବାରୁ ପୀଠ ପକ୍ଷରୁ ନିଲାମ ପ୍ରାପ୍ତ ଭୋଗ ଓ ଦୀପ ଦୋକାନ ଫାଙ୍କା ପଡ଼ିଥିଲା। ଏକ କୋଟି ଟଙ୍କାରୁ ଉର୍ଦ୍ଧ ନିଲାମ ନେଇଥିବା ଦୁଇ ଭୋଗ ଓ ଦୀପ ଦୋକାନୀ ଶ୍ରାବଣ ମାସ ଚାରି ପାଳିରେ କିଛି ବେପାର କରିବାକୁ ଆଶା ବାନ୍ଧିଥିବା ବେଳେ ବ୍ୟାରିକେଡ ହିଁ ସେମାନଙ୍କ ପାଇଁ ପ୍ରତିବନ୍ଧକ ସାଜିଲା ବୋଲି ନିଲାମଧାରି ସତ୍ୟବ୍ରତ ତ୍ରିପାଠୀ ଓ ରମେଶ ଚନ୍ଦ୍ର ସାହୁ ପ୍ରକାଶ କରିଛନ୍ତି।ଏ ସମ୍ପର୍କରେ ସେମାନେ ମନ୍ଦିର ଉପଦେଷ୍ଟା କମିଟି ଓ ବ୍ୟାରିକେଡ଼ ନିର୍ମାଣ ଦାୟୀତ୍ୱରେ ଥିବା ତିର୍ତ୍ତୋଲ ପୋଲିସଙ୍କୁ ଜଣାଇଥିଲେ ସୁଧା କେହି ସେମାନଙ୍କ ଅଭିଯୋଗକୁ କର୍ଣ୍ଣପାତ କରିନଥିଲେ ବୋଲି ପ୍ରକାଶ କରିଛନ୍ତି।ପ୍ରଥମ ପାଳିରେ ଯେଉଁ କ୍ଷତି ହେଲା ତାହା କିପରି ଭରଣା ହେବ ବୋଲି ନିଲାମଧାରୀ ତ୍ରିପାଠୀ ଓ ସାହୁ ମନ୍ଦିର ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି।ଏ ସମ୍ପର୍କରେ ପୀଠ କାର୍ଯ୍ୟନିର୍ବାହୀ ଅଧିକାରୀ ସୌର୍ଯ୍ୟରଞ୍ଜନ ପରିଜାଙ୍କୁ ପଚାରିବାର ସେ ଅସୁସ୍ଥ ଥିବା ଏବଂ ବ୍ୟାରିକେଡ଼ ନିର୍ମାଣ ଦାଇତ୍ୱ ପୋଲିସ ହାତରେ ନ୍ୟସ୍ତ ଥିବାର ପ୍ରକାଶ କରିଥିଲେ। ଜନସମାଗମକୁ ଦୃଷ୍ଟିରେ ରଖି ଜିଲ୍ଳା ପ୍ରଶାସନ ପକ୍ଷରୁ ରଘୁନାଥପୁର ଅତିରିକ୍ତ ତହସିଲଦାର ତପନ କୁମାର ପରିଡା ଓ ତିର୍ତ୍ତୋଲ ଅତିରିକ୍ତ ତହସିଲଦାର କଳ୍ପନା ତପସ୍ଵିନୀ ନାୟକ ମାଜିଷ୍ଟ୍ରେଟ ଦାୟୀତ୍ୱରେ ଉପସ୍ଥିତ ଥିଲେ।ଉପଦେଷ୍ଟା କମିଟି ସଦସ୍ୟ ରମେଶ ଚନ୍ଦ୍ର ମହାନ୍ତି, ଗ୍ରାମ୍ୟ କମିଟି ପକ୍ଷରୁ ଆଇନଜୀବି ଜୀବନ ବଲ୍ଲଭ ମହାନ୍ତି, ପ୍ରଦୀପ୍ତ କୁମାର ମହାନ୍ତି ଓ ପୀଠ କର୍ମଚାରୀ ସରୋଜ କୁମାର ସାହାଣୀ ଉପସ୍ଥିତ ରହି ସହଯୋଗ କରିଥିଲେ।
