ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ ଗୃହଗଣନା ଏବଂ ଗୃହତାଲିକା-୨୦୨୬
ଭୁବନେଶ୍ୱର ତା- ୦୧.୦୪.୨୦୨୬ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଅଧିନସ୍ଥ ଜନଗଣନା ନିର୍ଦ୍ଦେଶାଳୟ, ଓଡ଼ିଶା ଏବଂ ଓଡ଼ିଶା ରାଜ୍ୟ ସରକାରଙ୍କ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗର ମିଳିତ ସମନ୍ୱୟରେ ସମଗ୍ର ଓଡ଼ିଶାର ୩୦ ଟି ଜିଲ୍ଲାରେ ଜନଗଣନାର ପ୍ରଥମ ପର୍ଯ୍ୟାୟରେ ଗୃହଗଣନା ଏବଂ ଗୃହତାଲିକା ପ୍ରସ୍ତୁତି ଆଗାମୀ ଅପ୍ରେଲ୍ ୧୬ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଏହି କାର୍ଯ୍ୟକ୍ରମରେ ଅପ୍ରେଲ୍ ୧୬ ତାରିଖରୁ ମଇ ୧୫ ତାରିଖ ପର୍ଯ୍ୟନ୍ତ ତାଲିମ ପ୍ରାପ୍ତ ଗଣନାକାରୀ ଓ ସୁପରଭାଇଜରମାନେ ଘରକୁ ଘର ବୁଲି ତଥ୍ୟ ସଂଗ୍ରହ କରିବେ । ଏହା ପୂର୍ବରୁ ଅପ୍ରେଲ୍ ୧ ତାରିଖରୁ ଅପ୍ରେଲ୍ ୧୫ ତାରିଖ ମଧ୍ୟ ରାତ୍ରି ପର୍ଯ୍ୟନ୍ତ ସ୍ଵ-ଗଣନାର ପ୍ରାବଧାନ ରହିଛି । ଏହି କାର୍ଯ୍ୟକ୍ରମରେ ସେଲ୍ଫ ଏନ୍ୟୁମେରେସନ ପୋର୍ଟାଲ-ଏସଇ (https://se.census.gov.in) ମାଧ୍ୟମରେ ଜନସାଧାରଣ ନିଜର ତଥ୍ୟ ନିଜେ ପ୍ରଦାନ କରି ପାରିବେ । ଏହି ସ୍ଵ-ଗଣନା କାର୍ଯ୍ୟକ୍ରମ ଅପ୍ରେଲ୍ ୧ ତାରିଖରୁ ଅପ୍ରେଲ୍ ୧୫ ତାରିଖ ମଧ୍ୟ ରାତ୍ରି ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ଏବଂ ଅପ୍ରେଲ୍ ୧୬ ତାରିଖରୁ ତାଲିମପ୍ରାପ୍ତ ଗଣନାକାରୀମାନେ ଘର ଘର ବୁଲି ତଥ୍ୟ ସଂଗ୍ରହ କରିବେ ଏବଂ ଆପଣ ପ୍ରଦତ୍ତ କରିଥିବା ତଥ୍ୟର ଯାଞ୍ଚ କରି ଚୂଡ଼ାନ୍ତ କଲା ପରେ ଦାଖଲ କରିବେ ।ଭାରତୀୟ ଜନଗଣନାରେ ପ୍ରଥମଥର କରି ସ୍ଵ – ଗଣନାର ପ୍ରାବଧାନ

ରଖାଯାଇଛି , ଯାହା ଆଜି ଠାରୁ ଆରମ୍ଭ ହେଉଛି ଏବଂ ଓଡ଼ିଶା ସରକାରଙ୍କ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ନିଜେ ପୋର୍ଟାଲ ମାଧ୍ୟମରେ ନିଜସ୍ଵ ତଥ୍ୟ ପ୍ରଦାନ କରିଛନ୍ତି । ଏହି ଜାତୀୟ କାର୍ଯ୍ୟକ୍ରମରେ ସ୍ଵ-ଗଣନା ମାଧ୍ୟମ ରେ ସଠିକ ତଥ୍ୟ ପ୍ରଦାନ କରି ସହଯୋଗ ପ୍ରଦାନ କରିବାକୁ ମୁଖ୍ୟ ଶାସନ ସଚିବ ଓଡ଼ିଶାର ଜନସାଧାରଣଙ୍କୁ ଅନୁରୋଧ କରିବା ସହ ଏହି ଅବସରରେ ସେ ସମସ୍ତଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରିଛନ୍ତି । ଏହି ସ୍ୱ-ଗଣନା ପ୍ରକ୍ରିୟା କାର୍ଯ୍ୟକ୍ରମରେ ଜନଗଣନା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଶ୍ରୀ ନିଖିଳ ପବନ କଲ୍ୟାଣ, ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ହେମନ୍ତ କୁମାର ସିଂହ ଓ ଶ୍ରୀ ହାରାଧନ କର୍ମୀ ଏବଂ ସହକାରୀ ନିର୍ଦ୍ଦେଶକ ଶ୍ରୀ ଉମାକାନ୍ତ ସାହୁ ଏବଂ ଭୁବନେଶ୍ୱର ମହାନଗର ନିଗମର ଡେପୁଟୀ କମିଶନର ଶ୍ରୀମତୀ ପ୍ରିୟଦର୍ଶିନୀ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।
