ଚନ୍ଦ୍ରଭାଗା ସମୁଦ୍ରରୁ ମାଛଧରା ଟ୍ରଲର ଜବତ
କୋଣାର୍କ, ୧୯ /୧୧()- ପୁରୀ ଜିଲ୍ଲା ସମୁଦ୍ର ତଟବର୍ତୀ ନିଷିଦ୍ଧାଞ୍ଚଳ ବର୍ତ୍ତମାନ ଅଲିଭ ରିଡେଲ କଇଁଛଙ୍କ ସଙ୍ଗମ ଓ ଅଣ୍ଡାଦାନ ପ୍ରକ୍ରିୟା ଜାରି ରହିଥିବାରୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ତରଫରୁ ଯନ୍ତ୍ରଚାଳିତ ବୋଟ ଉପରେ ମାଛ ଧରିବା କଟକଣା ଜାରି କରାଯାଇଛି । ହେଲେ ଏହି କଟକଣାକୁ ଖାତିର ନକରି ଦେବୀ ନଦୀ ନାଶି ଠାରୁ ୨୦ କିଲୋମିଟର ଭିତରେ ଥିବା ନିଶିଧାଞ୍ଚଳ ଚନ୍ଦ୍ରଭାଗା ନିକଟ ସମୁଦ୍ରରେ ମାଛ ମାରୁଥିବା ବେଳେ ଏକ ଟ୍ରଲରକୁ ଜବତ କରିଛି ବନ ବିଭାଗ । ମା’କାଳୀ ନାମକ ଟ୍ରଲର ପଞ୍ଜିକୃତ ନମ୍ବର IND-ORO5-MM-337 ବୋଲି ଜଣା ପଡିଛି। ଏଥିରେ ୬ ଜଣ କର୍ମଚାରୀ ଥିବା ବେଳେ ସେମାନଙ୍କୁ ଅଟକ ରଖିବା ସହିତ ଦେଢ଼ କୁଇଣ୍ଟାଲ ମାଛ ଓ ଚି଼ଙ୍କୁଡ଼ି ଜବତ କରାଯାଇଛି । ଏହି ଚଢ଼ାଉରେ ଏପିଆର , ସି ଟର୍ଟଲ ସ୍କ୍ୱାଡ଼ ଓ ବନ ବିଭାଗର ଫରେଷ୍ଟର ମାନସ କୁମାର ବେହେରା, ବବୁଲୁ ମଲିକ, ସୁଭାସିସ ବିଶ୍ଵାଳ, ଭାବଗ୍ରାହୀ ସେଠୀ ପ୍ରମୁଖ ସାମିଲି ହୋଇଥିଲେ। ଅସ୍ତରଙ୍ଗ ରେଞ୍ଜ ଅଧିକାରୀ ମୋନାଲିସା ମହାପାତ୍ର ଜବତ ମାଛ ଓ ଟ୍ରଲରକୁ ଅସ୍ତରଂଗ ଓ କୋଣାର୍କ ସହକାରୀ ମତ୍ସ୍ୟ ଅଧିକାରୀଙ୍କୁ ହସ୍ତାନ୍ତର କରିଥିଲେ। ମତ୍ସ ବିଭାଗ ପକ୍ଷରୁ ଆଇନ୍ ଅନୁଯାୟୀ ଉକ୍ତ ଟ୍ରଲର ମାଲିକ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ସୁଚନା ମିଳିଛି।
