ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ବିଭାଗ, ଓଡ଼ିଶା ସରକାର
୨୬ ନଭେମ୍ବର ୨୦୨୫, ଭୁବନେଶ୍ୱର ରାଜ୍ୟରେ ଜାତୀୟ ଦୁଗ୍ଧ ଦିବସ ପାଳିତ ଓୟୁଏଟିର କୃଷି ଶିକ୍ଷା ସଦନ ଠାରେ ଆଜି ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ଦ୍ଵାରା ଜାତୀୟ ଦୁଗ୍ଧ ଦିବସ (National Milk Day) କାର୍ଯକ୍ରମ ଉଦଘାଟିତ ହୋଇଯାଇଛି। ଉପସ୍ଥିତ ଗୋପାଳକ ଓ ଜନସାଧାରଣଙ୍କୁ ଉଦବୋଧନ ଦେଇ ମନ୍ତ୍ରୀ କହିଥିଲେ ଯେ, ଆଗାମୀ ପାଞ୍ଚ ବର୍ଷରେ ରାଜ୍ୟରେ ଦୁଗ୍ଧ ଉତ୍ପାଦନକୁ ଦୁଇଗୁଣ କରିବାର ଲକ୍ଷ୍ୟ ରଖି ରାଜ୍ୟ ସରକାର ନୂତନ ଭାବେ ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା। । ଏହି ଯୁଗାନ୍ତକାରୀ ଯୋଜନାରେ ଗାଈ ଓ ମଇଁଷି ପାଳନ ପାଇଁ ୭୦ ପ୍ରତିଶତ ପର୍ଯନ୍ତ ରିହାତି ଯୋଗାଇ ଦିଆଯାଉଛି। ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରେ ଅଦ୍ୟାବଧି ୪ ଲକ୍ଷ ୫୦ ହଜାର ହିତାଧିକାରୀ ପ୍ରାୟ ୨୦୦ କୋଟି ଟଙ୍କାର ଅନୁଦାନ ରାଶି ପାଇ ଉପକୃତ ହୋଇସାରିଲେଣି। ଏପର୍ଯନ୍ତ ଏହି ଯୋଜନା ଅଧିନରେ ୮ ହଜାରରୁ ଉର୍ଦ୍ଧ୍ବ ଗାଈମଇଁଷି ରାଜ୍ୟର ଗୋପାଳକ ମାନେ ବାହାର ରାଜ୍ୟରୁ କ୍ରୟ କରି ଦୁଗ୍ଧ ଉତ୍ପାଦନ ମାଧ୍ୟମରେ ସଶକ୍ତ ହେବାରେ ଲାଗିଛନ୍ତି। ଆମ ଦେଶରେ ଶ୍ଵେତ ବିପ୍ଲବ (White Revolution) ର ଜନକ ଡକ୍ଟର ଭର୍ଗିସ୍ କୁରିଏନଙ୍କ ଜନ୍ମଦିନକୁ ଜାତୀୟ ଦୁଗ୍ଧ ଦିବସ ଭାବରେ ପାଳନ କରାଯାଉଥିବା ଉଲ୍ଲେଖ କରି ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ ରାଜ୍ୟରେ ସମବାୟ ସମିତି ମାଧ୍ୟମରେ ଗୋପାଳକଙ୍କ ଉନ୍ନତି ଶିଖର ଛୁଇଁପାରିବା ବିଷୟରେ ମତବ୍ୟକ୍ତ କରିଥିଲେ। ନିଜ ବକ୍ତବ୍ୟରେ OMFED ରାଜ୍ୟର ଦୁଗ୍ଧ ଉତ୍ପାଦକଙ୍କ ପାଇଁ କିପରି ଆଲୋକବର୍ତ୍ତିକା ସାଜିଛି ସେ ବିଷୟରେ ମାନ୍ୟବର ମନ୍ତ୍ରୀ ବିଷଦ ଆଲୋଚନା କରିଥିଲେ। OMFED ର ପ୍ରାୟ ୪ ହଜାର ଦୁଗ୍ଧ ଉତ୍ପାଦକ ସମବାୟ ସମିତି ଜରିଆରେ ରାଜ୍ୟର ପ୍ରାୟ ୩ ଲକ୍ଷ ଗୋପାଳକ ଉପକୃତ ହେଉଛନ୍ତି। ସେମାନଙ୍କୁ ଗୋଖାଦ୍ୟରେ ରିହାତି ଯୋଗାଇ ଦିଆଯାଉଛି ଏବଂ ଉନ୍ନତ ଗୋପାଳନ ପାଇଁ ତାଲିମ ଦିଆଯାଉଛି। ଆଜି ଜାତୀୟ ଦୁଗ୍ଧ ଦିବସ ଅବସରରେ ମାନ୍ୟବର ମନ୍ତ୍ରୀଙ୍କ କରକମଳରେ OMFED ର ନୂତନ ଉତ୍ପାଦ ଯଥା: ପିଇବା ପାଣି, tetra pack ଲସି, ଚକୋଲେଟ୍ ମିଲ୍କ ସେକ୍ ଏବଂ ପ୍ରୋଟିନ yoghurt ଇତ୍ୟାଦିର ବଜାର ପ୍ରବେଶ ହୋଇଛି। ହିମିକୃତ ଶୁକ୍ର ଭଣ୍ଡାର, କଟକ ଠାରେ ଆଭାସି ମାଧ୍ୟମରେ sex sorted semen ପ୍ରୟୋଗଶାଳାର ଶୁଭାରମ୍ଭ କରି ଦୁଗ୍ଧ ଉତ୍ପାଦନ ବୃଦ୍ଧିରେ ନୂତନ ଜ୍ଞାନକୌଶଳର ପ୍ରୟୋଗ ଉପରେ ମାନ୍ୟବର ମନ୍ତ୍ରୀ ଗୁରୁତ୍ବାରୋପ କରିଥିଲେ।

ଏବେ sex sorted semen ଉତ୍ପାଦନରେ ଓଡ଼ିଶା ସାରା ଦେଶରେ ଚତୁର୍ଥ ରାଜ୍ୟ। ଏହା ଆମ ପାଇଁ ନିଶ୍ଚିତ ଗର୍ବର ବିଷୟ ବୋଲି ସେ କହିଥିଲେ। ଆଜି କାର୍ଯକ୍ରମରେ ୧୬ ଜଣ ଗୋପାଳକଙ୍କୁ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରେ ସହାୟତା ରାଶି ପ୍ରଦାନ କରାଯାଇଥିଲା । ପ୍ରାଣିକଲ୍ୟାଣ ପାଇଁ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତାକୁ ଦୃଷ୍ଟିରେ ରଖି ରାଜ୍ୟର ୮୩ ଗୋଟି ପଞ୍ଜିକୃତ ଗୋଶାଳାକୁ ବୁଲା ଓ ଅସହାୟ ଗୋରୁଙ୍କ ଖାଦ୍ୟ ଓ ରକ୍ଷଣାବେକ୍ଷଣ ପାଇଁ ୧୧ କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ ସହ ରାଜ୍ୟର ୨୪ ଗୋଟି ପୌରସଂସ୍ଥାକୁ ବୁଲା ପ୍ରାଣୀଙ୍କ ଉଦ୍ଧାର ପାଇଁ ଆବଶ୍ୟକୀୟ ଗାଡି କ୍ରୟ କରିବାକୁ ୬ କୋଟି ଟଙ୍କା ପ୍ରଦାନ କରାଯାଇଥିଲା। ଏହି କାର୍ଯକ୍ରମରେ ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ବିଭାଗର ପ୍ରମୁଖ ସଚିବ ସୁରେଶ କୁମାର ବଶିଷ୍ଠ, ମତ୍ସ୍ୟ ନିର୍ଦ୍ଦେଶକ ମହମ୍ମଦ ସାଦିକ ଆଲମ, ପ୍ରାଣିପାଳନ ଓ ପ୍ରାଣିଚିକିତ୍ସା ନିର୍ଦ୍ଦେଶକ ବିଜୟ ଅମୃତା କୁଲାଙ୍ଗେ, ଓମଫେଡ଼ ସଭାପତି ଶ୍ରୀ କିଶୋର ଚନ୍ଦ୍ର ପ୍ରଧାନୀ ଏବଂ ପ୍ରାଣିଚିକିତ୍ସା ଓ ପ୍ରାଣିପାଳନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡାକ୍ତର ସୁଷେଣ କୁମାର ପଣ୍ଡା ମଞ୍ଚରେ ଉପସ୍ଥିତ ଥିଲେ। ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଆସିଥିବା ଏକ ହଜାରରୁ ଉର୍ଦ୍ଧ୍ବ ଗୋପାଳକ ଏଥିରେ ଯୋଗ ଦେଇଥିଲେ।
