୨ ଦିନ ପାଇଁ ବିମାନ ବାତିଲ, ଯାତ୍ରୀ ହନ୍ତସନ୍ତ
ଜୟପୁର: ଆଉ ଦୁଇ ଦିନ ପାଇଁ ଇଣ୍ଡିଆ ୱାନ ତାର ଏୟାର ବିମାନ ଚଳାଚଳକୁ ବାତିଲ୍ କରିଥିବା ସୂଚନା ମିଳିଛି। ଭୁବନେଶ୍ୱର –ଜୟପୁର, ଜୟପୁର- ବିଶାଖାପାଟଣା, ବିଶାଖାପାଟଣା-ଜୟପୁର, ଜୟପୁର–ଭୁବନେଶ୍ୱର ଯିବା ପାଇଁ ଟିକେଟ ଅଗ୍ରିମ ସଂରକ୍ଷିତ କରିଥିବା ଯାତ୍ରୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଗତ ୧୫ତାରିଖରେ ଇଣ୍ଡିଆ ୱାନ ଏୟାର ବିମାନ ଭୁବନେଶ୍ୱରରୁ ଜୟପୁରକୁ ଆସି ବିମାନବନ୍ଦରର ଆକାଶ ଉପରେ ଛଅ ଚକ୍କର କାଟି ପୁଣି ଭୁବନେଶ୍ୱରକୁ ଫେରି ଯାଇଥିଲା।
ଗତକାଲି ଠାରୁ ସାମାନ୍ୟ ପାଗ କୋହଲା ଥିବାବେଳେ ଆଜି ସକାଳଠାରୁ ଝିପିଝିପି ବର୍ଷା ଲାଗି ରହିଛି। ଅପରପକ୍ଷରେ ଇଣ୍ଡିଆ ୱାନ ଏୟାର ପକ୍ଷରୁ ପାଗକୁ ଦେଖିକି ଯନ୍ତ୍ରାଂଶ ମରାମତି ନାଁରେ ଆଜି ଓ ଆସନ୍ତାକାଲିର ଯାତ୍ରାକୁ ବାତିଲ୍ କରିଥିବା ସୂଚନା ମିଳିଛି। ଏଭଳି ସମସ୍ୟା ବାରମ୍ବାର ଉପୁଜୁଛି ବୋଲି ସୂଚନା ମିଳିଛି। ବାରମ୍ବାର ବାତିଲ ଏବଂ ଆକାଶରୁ ଅବତରଣ କରି ନ ପାରି ଫେରିଯିବା ଘଟଣାକୁ ପ୍ରଶାସନ ଗୁରୁତର ସହ ନେବା ଦରକାର ବୋଲି ଯାତ୍ରୀମହଲରେ କ୍ଷୋଭ ପ୍ରକାଶ ପାଇଛି ।
