ମୁରଲୀ
ମୁରଲୀ
🖊️କବିରତ୍ନ ନୂତନ କୁମାର ବେହେରା
ଶୂନ୍ୟତାରେ ଦିଏ ପୂର୍ଣ୍ଣତା ଭରି
ସାତ ସୁରେ ତୋଳେ ସୁମଧୁର ରାଗିଣୀ
ଗଗନେ ପବନେ ଝଙ୍କୃତ ହୁଏ
ଜୀବ ଜଗତକୁ ନେଇ ନାଚେ ଧରଣୀ
ନାଆଁ ତାର ମୁରଲୀ
ଏ ମୁରଲୀ ଧରି ବଜାଇଲେ କୃଷ୍ଣ
ଗୋପପୁରେ ହୋଇଲେ ସେ ମୁରଲୀଧର
ସମ୍ମୋହକ ବାଦ୍ୟଯନ୍ତ୍ର ରୂପରେ
ତ୍ରିପୁରରେ ଶୁଭେ ତାର ଅମିୟ ଝଙ୍କାର
ତା’ ମଧୁର ମୂର୍ଚ୍ଛନା ପ୍ରାଣକୁ ପୁଲକାଏ
ହୃଦୟକୁ କରେ ତଲ୍ଲୀନ
ନବ ଚେତନାର ଦିଏ ଆହ୍ବାନ
ଏକାଗ୍ରତାର ଧ୍ୟାନେ ସ୍ଥିର ହୁଏ ମନ
ଆଦ୍ୟ କାଳେ ପିତାମହ ବ୍ରହ୍ମା
ଦେବତାମାନଙ୍କୁ ନେଇ
ସହସ୍ର ବର୍ଷବ୍ୟାପୀ କରିଥିଲେ ଏକ ଯଜ୍ଞ
ସେ ଯଜ୍ଞକୁଣ୍ଡରୁ ବାଉଁଶ ଗଛଟିଏ
ହୋଇଥିଲା ସୃଷ୍ଟି
ପଚିଶ ପବ ଲମ୍ବ ବିଶିଷ୍ଟ ଥିଲା ବାଉଁଶ
ତହିଁରୁ ନିର୍ମିତ ହୋଇଲା
ଦେବତାଙ୍କ ପାଇଁ ଚାରି ଗୋଟି ଧନୁ
ନଅ ପବରେ କୋଦଣ୍ଡ
ସାତରେ ପିନାକ ପାଞ୍ଚରେ ସାରଙ୍ଗ
ତିନି ପବରେ ଯେ ଗାଣ୍ଡିବ
ଚାରି ଧନୁକୁ ଧରିଥିଲେ ଚାରି ଦିବ୍ୟ ପୁରୁଷ
କୋଦଣ୍ଡକୁ ଧରି ଶ୍ରୀରାମ କୋଦଣ୍ଡଧର
ପିନାକ ଧରି ଶିବ ଶଙ୍କର ହେଲେ ପିନାକୀ
ଶ୍ରୀକୃଷ୍ଣ ଧରିଥିଲେ ଯେ ସାରଙ୍ଗ
ବୀର ଅର୍ଜୁନ ଧରି ଚତୁର୍ଥ ଧନୁ ଗାଣ୍ଡିବ
କୁରୁକ୍ଷେତ୍ରେ କଲେ ଯୁଦ୍ଧ
ଅବଶିଷ୍ଟ ଏକ ପବରେ ବ୍ରହ୍ମା
କୃଷ୍ଣାବତାର ପାଇଁ ତିଆରିଲେ ବଂଶୀ
ନାମ ତା’ର ମୋହନ ମୁରଲୀ
ଏ ମୁରଲୀ ବତିଶ ଆଙ୍ଗୁଳ ଷଡ଼ ରନ୍ଧ୍ର
ଜମ୍ଭୁନଦ ରତ୍ନ ବନ୍ଧ ଜଡ଼ିତ
ପଶ୍ଚାତରେ ହେଲା ସୁରଲୀ ଖୁରଲୀ
ବଂଶୀ ଅଳାଁବେଣୁ ନାମ ଆଦି
କାର୍ଯ୍ୟ ଭେଦେ ଗୁଣକୁ ନେଇ ତାର
ମୋହନ ମୁରଲୀ ସୁରେ ସୁରେ ହେଲା
ଗୋପ ପ୍ରେମଲୀଳା ସବୁ ଗୁନ୍ଥା
ଶ୍ରୀରାଧାକୃଷ୍ଣ ଅନନ୍ୟ ପରକିୟା ପ୍ରୀତି
କେଳିକୁଞ୍ଜେ ରଚିଲା ଦିବ୍ୟରାସ
ଅମୃତେ ଅମୃତମୟ ହେଲା ଜଗତ
ମୁରଲୀ ସ୍ବନ ଶ୍ରବଣେ ହୁଏ ଚାରି ଅବସ୍ଥା
ଉଚ୍ଚାଟନ,ସ୍ତମ୍ଭନ,ବଶୀକରଣ ଓ ମୋହନ
ଯା’ର ଖ୍ୟାତି ପ୍ରଶସ୍ତି ଜାଣେ ତ୍ରିଭୁବନ
ଆତ୍ମଜ୍ଞାନ ମାର୍ଗେ ଏ ମୁରଲୀ
ଅଟଇ ମାନବ ଶରୀର
ପ୍ରଣବ ଧ୍ଵନି ଯେ ତାର ମଧୁର ସ୍ଵନ
କୁଣ୍ଡଳିନୀରୁ ହୁଏ ଅହରହ
ଆତ୍ମା ରୂପୀ ଜୀବନ ପାଇଁ ଦେହ
ଜୀବ ପରମଙ୍କ ମଧ୍ୟେ ରଚେ ନିତ୍ୟରାସ
ଏ ମୁରଲୀର ସୁରେ ଜଗତ ଯେ ବଶ।
ପ୍ରତିଷ୍ଠାତା ଓ ମୁଖ୍ୟସମ୍ପାଦକ,
‘ ନବସୃଜନ ‘ ଇ-ପତ୍ରିକା,
କୋହି,ବାରିପଦା,ମୟୂରଭଞ୍ଜ।
