ଫୋକାସରେ ଟିକସ ଆଦାୟ
ମହାନଗର ନିଗମ ରାଜସ୍ୱ ସମୀକ୍ଷା , ଫୋକାସରେ ଟିକସ ଆଦାୟ
ବ୍ରହ୍ମପୁର ୨୨/୨ ବ୍ରହ୍ମପୁର ମହାନଗର ନିଗମର ଯେଉଁ ହୋଲ୍ଡିଂ ଟ୍ୟାକ୍ସ ଆଦାୟରେ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କର ରହିତାଦେଶ ନାହିଁ ସେ ସମସ୍ତ ହୋଲ୍ଡିଂ ଟାକ୍ସର ଆଦାୟ ମାର୍ଚ୍ଚ ପହିଲା ସୁଦ୍ଧା ସାରିବାକୁ କମିଶନର ଟାକ୍ସ କଲେକ୍ଟରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହ ବିଭିନ୍ନ ସରକାରୀ ସଂସ୍ଥାଗୁଡିକରୁ ହୋଲ୍ଡିଂ ଟାକ୍ସ ଆଦାୟକୁ ତ୍ୱରାନ୍ୱିତ କରିବା ଉପରେ ଗୁରୁତ୍ୱାରୋପ କରାଯାଇଛି। ମହାନଗର ନିଗମର ସମସ୍ତ ଷ୍ଟଲ ମାସିକ ଭଡା ପଇଠ ପାଇଁ ଗତ ସାତ ତାରିଖରୁ ଆରମ୍ଭ ହୋଇଥିବା କ୍ୟୁଆର କୋଡ ଏବଂ ନିର୍ଦ୍ଦେଶାବଳୀ ବଣ୍ଟନ ପ୍ରକ୍ରିୟାକୁ ଆଗାମୀ ସପ୍ତାହେ ମଧ୍ୟରେ ସାରିବାକୁ କମିଶନର କହିଛନ୍ତି। ବାରମ୍ବାର ଯିବା ସତ୍ତ୍ୱେ ଯେଉଁ ଷ୍ଟଲଗୁଡିକ ବକେୟା ଭଡା ପଇଠ କରୁନାହାନ୍ତି ସେସବୁର ଚୁକ୍ତି ରଦ୍ଦ, ଷ୍ଟଲ ସିଲ ଏବଂ ଓପିଡିଆର ନିୟମ ପ୍ରକାରେ କ୍ଷମତାପ୍ରାପ୍ତ ସାର୍ଟିଫେକେଟ ଅଫିସରଙ୍କ ନିକଟରେ ମାମଲା ରୁଜ୍ଜୁ ଭଳି ଆଇନଗତ ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି କମିଶନର ସୂଚନା ଦେଇଛନ୍ତି। ନଗର ନିଗମ ରାଜସ୍ୱର ନିଜସ୍ୱ ଉତ୍ସ ମଧ୍ୟରେ ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଟ୍ରେଡ ଲାଇସେନ୍ସ ଫି। ତେଣୁ ମାର୍ଚ୍ଚ ପହିଲାରୁ ମାର୍ଚ୍ଚ ପନ୍ଦର ତାରିଖ ମଧ୍ୟରେ ଟ୍ରେଡ ଲାଇସେନ୍ସର ନବୀକରଣ ଏବଂ ନୂଆ ଟ୍ରେଡ ଲାଇସେନ୍ସ ପାଇଁ ଆବେଦନ ଦାଖଲ କରିବାକୁ ନିଗମ ପକ୍ଷରୁ ଜନସାଧାରଣଙ୍କୁ ନିବେଦନ କରାଯାଇଛି। ସେଥିପାଇଁ ନିଗମ କାର୍ଯ୍ୟାଳୟରେ ଏକ ସ୍ୱତନ୍ତ୍ର ପ୍ରକୋଷ୍ଠ କାମ କରିବ। ତା ସାଙ୍ଗକୁ ସହର ଭିତରେ ନିଗମର ବିଭିନ୍ନ ଟିମ୍ ଜନସଚେତନତା, ଧରପଗଡ ଏବଂ ଖିଲାଫକାରୀଙ୍କ ବିରୁଦ୍ଧରେ ଅନ୍ୟ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ସମୀକ୍ଷା ବେଳେ ସହରର ଅନେକ ଦେଶୀମଦ ଭାଟି ଟ୍ରେଡ ଲାଇସେନ୍ସ କରିନଥିବା କମିଶନରଙ୍କ ଦୃଷ୍ଟିକୁ ଆସିବା ପରେ ସେ ଅବକାରୀ କମିଶନରଙ୍କ ସହ ଯୋଗାଯୋଗ କରି ସେ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ କହିଥିଲେ। ଅପରପକ୍ଷରେ ଆଇସିଆଇସିଆଇ ବ୍ୟାଙ୍କର ବିଭିନ୍ନ ଶାଖା ମଧ୍ୟ ଟ୍ରେଡ ଲାଇସେନ୍ସ କରିନଥିବା ଜଣାପଡିବାରୁ ତୁରନ୍ତ ନିର୍ଦ୍ଧାରିତ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିବା ପାଇଁ ସ୍ଥିର କରାଗଲା। କେବଳ କୋର୍ଟ ରହିତାଦେଶକୁ ବାଦ ଦେଲେ ମହାନଗର ନିଗମର ନିଜସ୍ୱ ରାଜସ୍ୱର ଅନ୍ୟ ସମସ୍ତ ଉତ୍ସର ଟିକିନିଖି ତଦାରଖ କରି ଖାସ କରି ବିଜ୍ଞାପନ ଫି, ପରିମଳ ବାବଦରେ ଉପଭୋକ୍ତା ଫି , କଲ୍ୟାଣ ମଣ୍ଡପ, ସମ୍ମିଳନୀ କକ୍ଷର ରେକର୍ଡ ଯାଞ୍ଚ ସହ ଫି ଆଦାୟକୁ ଶତ ପ୍ରତିଶତ ନିଶ୍ଚିତ କରିବାକୁ ସମସ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସମୀକ୍ଷା ବୈଠକରେ ଡେପୁଟି କମିଶନର କଲ୍ୟାଣୀ ସଙ୍ଘମିତ୍ରା ଦେବୀ ଏବଂ ଆଶୀର୍ବାଦ ପରିଡା, ସହକାରୀ କମିଶନର ରୋନିତ କୁମାର,ବିକ୍ରମ ସୁଣ୍ଡି ଏବଂ ବିଶାଲ ଗୌରବଙ୍କ ସମେତ ରାଜସ୍ୱ ଏବଂ ଟ୍ରେଡ ଲାଇସେନ୍ସ ଅନୁବିଭାଗର କର୍ମଚାରୀ ଓ ଟାକ୍ସ କଲେକ୍ଟରମାନେ ଉପସ୍ଥିତ ଥିଲେ।
