ଖୋଲା ବେଳାଭୂମିରେ ବିଦେଶୀ ମଦ ବାର
ଖୋଲା ବେଳାଭୂମିରେ ବିଦେଶୀ ମଦ ବାର
ଘଟିପାରେ ଅସଦାଚରଣ ମାମଲା
ପ୍ରଭାବିତ ହେଉଛନ୍ତି ମହିଳା ଓ ଛୋଟ ପିଲା
ଅସ୍ମିତା ହରାଉଛି ଓଡ଼ିଶାର ସଂସ୍କୃତି ଓ ପର୍ଯ୍ୟଟନ
କୋଣାର୍କ – ବିଶ୍ବ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ କୋଣାର୍କ ଠାରୁ ୪କିମି ଦୂରରେ ଅବସ୍ଥିତ ପୁରାଣ ପ୍ରସିଦ୍ଧ ଚନ୍ଦ୍ରଭାଗା ସ୍ଥିତ ସାହୁଖଣତା ବେଳାଭୂମି କୂଳରେ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ ଗତ ଡିସେମ୍ବର ମାସ ୧୩ ତାରିଖ ଠାରୁ ଆରମ୍ଭ ହୋଇଥିବା ଇକୋ ରିଟ୍ରିଟ ମହୋତ୍ସବ ସ୍ଥାନରେ ଖୋଲା ବିଦେଶୀ ମଦ ବାର ଖୋଲିବା ଯୋଗୁଁ ପୁରାଣ ପ୍ରସିଦ୍ଧ ଚନ୍ଦ୍ରଭାଗାର ପବିତ୍ରତା ନଷ୍ଟ ହେଉଥିବା ବେଳେ କୋଣାର୍କ – ପୁରୀ ବେଳାଭୂମି ମାର୍ଗରେ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଇବା ନେଇ କୋଣାର୍କ ଅଞ୍ଚଳର ବୁଦ୍ଧିଜୀବୀ, ସଂସ୍କୃତି ବିଶାରଦ ଓ ଜନସାଧାରଣ ମାନେ ଆଶଙ୍କା ବ୍ୟକ୍ତ କରି ଏହାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି। ଖବରରୁ ପ୍ରକାଶ ଯେ ଚନ୍ଦ୍ରଭାଗା ହେଉଛି ପୁରାଣ ପ୍ରସିଦ୍ଧ ତୀର୍ଥକ୍ଷେତ୍ର । ଏଠାକୁ ଦୈନିକ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକ ଦେଶବିଦେଶରୁ ଆସିଥାନ୍ତି। ଚନ୍ଦ୍ରଭାଗା ବେଳାଭୂମି କୂଳରେ ସୂର୍ଯ୍ୟୋଦୟ ଓ ସୂର୍ଯ୍ୟୋସ୍ତ ଦେଖିବା ସହ ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀ ଠାରେ ସୂର୍ଯ୍ୟ ନାରାୟଣଙ୍କ ପୂଜାର୍ଚ୍ଚନା କରିଥାନ୍ତି। ମାତ୍ର ରାଜ୍ୟ ସରକାରଙ୍କ ପକ୍ଷରୁ ଚନ୍ଦ୍ରଭାଗା ବେଳାଭୂମି ମାର୍ଗର ସାହୁଖଣତା ବେଳାଭୂମି କୂଳରେ ଆୟୋଜିତ ଇକୋ ରିଟ୍ରିଟ ମହୋତ୍ସବ ସ୍ଥାନରେ ଖୋଲା ବିଦେଶୀ ମଦ ବାର ଖୋଲିବା ଯୋଗୁଁ ଏହି ପ୍ରାଚୀନ ଧାର୍ମିକ ସ୍ଥାନ ଚନ୍ଦ୍ରଭାଗାର ପବିତ୍ରତା ନଷ୍ଟ ହେଉଛି ବୋଲି ବୁଦ୍ଧିଜୀବି ଓ ସଂସ୍କୃତି ବିଶାରଦ ମହଲରେ ଆଲୋଚନା ହେଉଛି। ଯାହା ଫଳରେ ମଦ୍ୟପ ମାନଙ୍କ ଦ୍ଵାରା ଘଟିପାରେ ଅସଦାଚରଣ ମାମଲା। ଯାହା ବିଗତ ଦିନରେ ଅନେକ ସ୍ଥାନରେ ଦେଖିବାକୁ ମିଳିଛି। ଖୋଲା ମଦ୍ୟପାନ ଯୋଗୁଁ ପ୍ରଭାବିତ ହେଉଛନ୍ତି ମହିଳା ଓ ଛୋଟ ପିଲା। ମହିଳା ମାନେ ମଧ୍ଯ ମଦ୍ୟପାନ କରି ଗଡୁ ଥିବା ଦେଖିବାକୁ ମିଳିଥିଲା। ଏପରି ପାଶ୍ଚାତ୍ୟ ସଂସ୍କୃତିର ପ୍ରଭାବ ଯୋଗୁଁ ଅସ୍ମିତା ହରାଉଛି ଓଡ଼ିଶାର ସଂସ୍କୃତି ଓ ପର୍ଯ୍ୟଟନ। ଚନ୍ଦ୍ରଭାଗା ବେଳାଭୂମି ମାର୍ଗରେ ପୂର୍ବରୁ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି, ଚୋରି ରାହାଜାନି ଭଳି ବେଆଇନ କାମ ସଂଘଟିତ ହୋଇଥିବାର ନଜିର ରହିଛି। କୋଣାର୍କ – ପୁରୀ ଜାତୀୟ ରାଜପଥ କଡରେ ଆୟୋଜିତ ଇକୋ ରିଟ୍ରିଟ ମହୋତ୍ସବ ସ୍ଥାନରେ ଖୋଲା ବିଦେଶୀ ମଦ ବାର ଖୋଲାଯାଇ ଥିବାରୁ ବେଳାମାର୍ଗରେ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଇବା ନେଇ କୋଣାର୍କ ଅଞ୍ଚଳର ବୁଦ୍ଧିଜୀବୀ, ସଚେତନ ନାଗରିକ, ବରିଷ୍ଠ ନାଗରିକ, ସଂସ୍କୃତି ବିଶାରଦ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି। ଧାର୍ମିକ ସ୍ଥାନ ଚନ୍ଦ୍ରଭାଗାର ପବିତ୍ରତା ଓ ଐତିହ୍ୟ ସୁରକ୍ଷା ପାଇଁ କୋଣାର୍କ ଇକୋ ରିଟ୍ରିଟ ମହୋତ୍ସବ ସ୍ଥାନରେ ଖୋଲା ଯାଇଥିବା ଖୋଲା ବିଦେଶୀ ମଦ ବାର ଘଟାଇବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଅବକାରୀ ବିଭାଗ ମନ୍ତ୍ରୀ, ବିଭାଗୀୟ ସଚିବ, ପର୍ଯ୍ୟଟନ ବିଭାଗ ମନ୍ତ୍ରୀ, ବିଭାଗୀୟ ସଚିବ ଓ ପୁରୀ ଜିଲ୍ଲାପାଳଙ୍କୁ କୋଣାର୍କ ଅଞ୍ଚଳର ବୁଦ୍ଧିଜୀବୀ, ସଚେତନ ନାଗରିକ, ପର୍ଯ୍ୟଟକ, ପର୍ଯ୍ୟଟନ ପ୍ରେମୀ, ସଂସ୍କୃତି ବିଶାରଦ, ସାମାଜିକ କର୍ମୀ ଓ ଜନସାଧାରଣ ମାନଙ୍କ ପକ୍ଷରୁ ଦାବି କରାଯାଇଛି।
