ମୂରବୀ ବିହିନ ଗଣିଆ ବ୍ଲକ
ମୂରବୀ ବିହିନ ଗଣିଆ ବ୍ଲକ, ବାରମ୍ଵାର ବଦଳୁଛନ୍ତି ବିଡ଼ିଓ
ଗଣିଆ- ଆଦିବାସୀ ଅଧ୍ୟୁଷିତ ତଥା ବଣଜଙ୍ଗଲ ଘେରା ଅଞ୍ଚଳ ଭାବେ ପରିଗଣିତ ଗଣିଆ ବ୍ଳକ । ଶିକ୍ଷା ସ୍ବାସ୍ଥ୍ୟ ଗମନାଗମନ ଏଠାରେ ବିପର୍ଯ୍ୟସ୍ତ । ବିଦ୍ୟାଳୟରେ ଶିକ୍ଷକ ନଥିବା ବେଳେ ମେଡିକାଲରେ ଡାକ୍ତର ନାହାନ୍ତି । ଗାଁ କୁ ପକ୍କା ସଡ଼କ ନଥିବା ବେଳେ ବିଶୁଦ୍ଧ ପାଣି ଟୋପେ ପାଇଁ ଡହଳବିକଳ ହେଉଛନ୍ତି ଗ୍ରାମବାସୀ । ଏଭଳି ଅନୁନ୍ନତ ବ୍ଳକ ଏବେ ମୂରବୀ ବିହିନ ହୋଇପଡିଥିବା ଦେଖିବାକୁ ମିଳିଛି । ବିଡ଼ିଓଙ୍କ ଭୂମିକା ଏହି ବ୍ଳକରେ ଗୁରୁତ୍ବପୂର୍ଣ୍ଣ ଥିବା ବେଳେ ଗତ ୨ ବର୍ଷରେ ୪ ଜଣ ବିଡ଼ିଓଙ୍କ ବଦଳି ଫଳରେ ବ୍ଳକର ଉନ୍ନୟନମୂଳକ କାର୍ଯ୍ୟରେ ବାଧା ଉପୁଜୁଛି । ମିଳିଥିବା ସୂଚନା ଅନୁଯାୟୀ ୨୦୨୩ ଜାନୁୟାରୀ ମାସ ୧ ତାରିଖରେ ବିଡ଼ିଓ ସିରିୟାଲ ଶୁଭ୍ର ପଟେଲଙ୍କ ବଦଳି ପରେ ଦାୟିତ୍ବ ଗ୍ରହଣ କରିଥିଲେ ଅତିରିକ୍ତ ବିଡ଼ିଓ ରତନଲାଳ ଲୋହରା । ୧୩/୦୨/୨୦୨୩ରେ ନୂତନ ବିଡ଼ିଓ ଖଗେଶ୍ବର ପାତ୍ର ଦାୟିତ୍ବ ନେବା ପରେ ପୁଣିଥରେ ୧୫/୦୮/୨୦୨୩ରେ ଅତିରିକ୍ତ ବିଡ଼ିଓଙ୍କୁ ଦାୟିତ୍ବ ପ୍ରଦାନ କରାଯାଇଥିଲା । ୨୬/୧୦/୨୦୨୩ ରେ ନୂତନ ବିଡ଼ିଓ ଭାବେ ଡମ୍ବରୁଧର ମଲ୍ଲିକ ଯୋଗଦେବା ପରେ ୪ ମାସ ପରେ ୨୭/୦୨/୨୦୨୪ରେ ତାଙ୍କର ମଧ୍ୟ ବଦଳି ହୋଇଯାଇଥିବା ବେଳେ ଅତିରିକ୍ତ ବିଡ଼ିଓ ଦାୟିତ୍ବ ଗ୍ରହଣ କରିଥିଲେ । ୦୬/୦୩/୨୦୨୪ରେ ନୂତନ ବିଡ଼ିଓ ଭାବେ ଡ଼ ବେବିତା ମଞ୍ଜରୀ ନାୟକ ଯୋଗ ଦେଇଥିବା ବେଳେ ୯ ମାସ ପରେ ୨୧/୧୨/୨୦୨୪ରେ ତାଙ୍କର ବଦଳି ହୋଇଥିବା ବେଳେ ତହସିଲଦାର ପ୍ରିତିବାଳା ରଣାଙ୍କୁ ଦାୟିତ୍ବ ପ୍ରଦାନ କରାଯାଇଥିଲା । ୦୫/୦୩/୨୦୨୫ରେ ନୂତନ ବିଡ଼ିଓ ଭାବେ ସାଗର କୁମାର ନନ୍ଦ ଯୋଗ ଦେଇଥିବା ବେଳେ ମାତ୍ର ୪ ମାସ ରହିବା ପରେ ୧୯/୦୭/୨୦୨୫ରେ ତାଙ୍କର ବାଲିକୁଦା ଜଗତସିଂହପୁର ବଦଳି ହୋଇଛି । ତେବେ ଉପରୋକ୍ତ ତଥ୍ୟ ଅନୁସାରେ କିଏ ୪ ମାସ ତ ଆଉ କିଏ ୯ ମାସରୁ ଅଧିକ ସମୟ ତିଷ୍ଠି ପାରୁ ନାହାନ୍ତି । ଯାହା ଫଳରେ ଗଣିଆ ବ୍ଳକ ଅବସ୍ଥା ଦିନକୁ ଦିନ ଶୋଚନୀୟ ହୋଇପଡୁଛି । ୮ଟି ପଞ୍ଚାୟତରେ ଅନେକ ଉନ୍ନୟନ ମୂଳକ କାର୍ଯ୍ୟ ଠପ୍ ହୋଇଯାଇଥିବା ବେଳେ ବ୍ଳକ ସମ୍ମୁଖରେ ଟେଣ୍ଟବାନ୍ଧି ଧାରଣା ବଢି ଚାଲିଛି ଯାହାକି ବ୍ଳକ ଅଧିକାରୀଙ୍କ ଅପାରଗତାକୁ ପଦାରେ ପକାଉଛି । ଦେଖିବାକୁ ଗଲେ ୮ଟି ପଞ୍ଚାୟତରେ କୋଟି କୋଟି ଟଙ୍କା ମଞ୍ଜୁର ହୋଇ କାମ ନହୋଇ ପଡ଼ି ରହିଛି । ତେବେ ବିଡ଼ିଓଙ୍କ ଏଭଳି ବଦଳି ପଛରେ ରାଜନୈତିକ ଅଭିସନ୍ଧି ନା ବ୍ୟକ୍ତିଗତ କାରଣ ତାହା ଜଣାପଡ଼ିନାହିଁ । ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେଇ ଜଣେ ସ୍ଥାୟୀ ବିଡ଼ିଓ ନିଯୁକ୍ତି କରିବାକୁ ସାଧାରଣରେ ଦାବି ହେଉଛି । ଗଣିଆ ରୁ ଜ୍ଞାନୀ ପ୍ରକାଶ ସେନାପତିଙ୍କ ରିପୋର୍ଟ
