ସ୍ଵଲିପି ପରିବାର ପକ୍ଷରୁ ବନ୍ଧୁ ମିଳନ ଓ ପୁସ୍ତକ ଉନ୍ମୋଚନ
ଜଟଣୀ ତା-୧୨-୦୨-୨୫ ଜଟଣୀ ସନ୍ନିକଟ ଡେଲାଙ୍ଗ ବ୍ଲକ୍ ଅନ୍ତର୍ଗତ ରେଙ୍ଗଳ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଡେଲାଙ୍ଗ-ବ୍ଲକ୍ ର ପ୍ରାକ୍ତନ ଅଣ ଆନୁଷ୍ଠାନିକ ଶିକ୍ଷକ ଶିକ୍ଷୟିତ୍ରୀ ଓ ସମାଜସେବୀମାନଙ୍କୁ ନେଇ ଏକ ଆଲୋଚନା ଚକ୍ର,ପୁସ୍ତକ ଉନ୍ମୋଚନ ଓ ବନ୍ଧୁମିଳନ ଉତ୍ସବ ଆନନ୍ଦ ଉଲ୍ଲାସରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଡେଲାଙ୍ଗ-ବ୍ଲକ୍ ର ପ୍ରାକ୍ତନ ଅଣ ଆନୁଷ୍ଠାନିକ ଶିକ୍ଷାର ପ୍ରକଳ୍ପ ଅଧିକାରୀ ପ୍ରଫୁଲ୍ଲ ମହାରଣା ଅଧ୍ୟକ୍ଷତା କରିଥିଲେ। ଏଥିରେ ଅତିଥି ଓ ବକ୍ତାଭାବେ ସମାଜସେବୀ ମହେଶ ଛାଟୋଇ, ପ୍ରାଥମିକ ଶିକ୍ଷକ ସଂଘ ସଭାପତି ଦିଗମ୍ବର ରଥ, ଶିକ୍ଷାବିତ୍ ତଥା ସୁସାହିତ୍ୟିକ କାଶୀନାଥ ମହାପାତ୍ର, ଐତିହାସିକ ପ୍ରଦୀପ ଜେନା, ପ୍ରଧାନ ଶିକ୍ଷକ ଗୋପାଳ ମହାପାତ୍ର, ମଙ୍ଗୁଳି ପରିଡ଼ା,ସଂସ୍କୃତି ପ୍ରେମୀ ଶିକ୍ଷକ ଅଭୟ ଚରଣ ସାହୁ ପ୍ରମୁଖ ଯୋଗଦେଇ ପ୍ରାକ୍ତନ ଅଣ ଆନୁଷ୍ଠାନିକ ଶିକ୍ଷକଙ୍କ ଅସୀମ ଧୈର୍ଯ୍ୟ, ନିଷ୍ଠା ଓ ଶିକ୍ଷା ସେବାର ପ୍ରଶଂସା କରି ପ୍ରାଥମିକ ଶିକ୍ଷାର ଦୃଢ଼ତା ଓ ପ୍ରତିଟି ମଣିଷ ପାଇଁ ବନ୍ଧୁତ୍ବପୂର୍ଣ୍ଣ ବାତାଵରଣ ଆବଶ୍ୟକତା ଉପରେ ଗୁରୁତ୍ଵାରୋପ କରିଥିଲେ।ଶିକ୍ଷକ କୈଳାସ ପ୍ରଧାନ ଓ ସାମାଜିକ କର୍ମୀ ପର୍ଶୁରାମ ପ୍ରଧାନ କାର୍ଯ୍ୟକ୍ରମର ସୁନ୍ଦର ସଂଯୋଜନା କରିଥିଲେ। ଏଥିରେ ୧୯୮୮ ମସିହରୁ ପ୍ରତିକୂଳ ପରିସ୍ଥିତିରେ ବି ଗାଁ ଗାଁ ବୁଲି ଶିକ୍ଷା ସଚେତନତା ବାର୍ତ୍ତା ଦେବାର ଅଭୁଲା ସ୍ମୃତିକୁ ସମସ୍ତେ ସାଉଁଟି ଥିଲେ। ଏହି ଅବସରରେ ଅତିଥି ମାନଙ୍କଦ୍ବାରା ସ୍ଵଲିପି ପରିବାର ତରଫରୁ ପ୍ରସ୍ତୁତ “ସ୍ଵଲିପି” ପୁସ୍ତକ ଉନ୍ମୋଚିତ ହୋଇଥିଲା। ଶିକ୍ଷକ ସଦାଶିବ ବିଶ୍ବାଳ,ପ୍ରଭାସ ମହାରଣା, ବାସୁଦେବ ସାହୁ,ପଙ୍କଜ ବେହେରା, ବିଷ୍ଣୁପ୍ରିୟା ଭୁଜବଳ, ପ୍ରବୀଣା ସାମନ୍ତରାୟ ,ମଞ୍ଜୁଲତା ପ୍ରଧାନ, ଗୀତାଞ୍ଜଳି ପଟ୍ଟନାୟକ,ମମତା ରଥ ,ଦିଲ୍ଲୀପ ପଟ୍ଟନାୟକ, ପ୍ରକାଶ ପ୍ରଧାନ,ଧୀରେନ୍ଦ୍ର ରଥଙ୍କ ସହ ପ୍ରାୟ ୫୦ ଜଣ ତତ୍କାଳୀନ ସମୟର ଆବେଗପୂର୍ଣ୍ଣ ଶୈକ୍ଷିକ ଅନୁଭୂତି ବର୍ଣ୍ଣନା କରିଥିଲେ।ସାମାଜିକ କର୍ମୀ ଗୁଣ୍ଡିଚା ବଳିୟାର ସିଂହ ଧନ୍ୟବାଦ ଦେଇଥିଲାବେଳେ ଧାଡୁବନ୍ଧୁ ଲେଙ୍କା ପରିଚାଳନାରେ ସହଯୋଗ କରିଥିଲେ।
ଜଟଣୀରୁ ସ୍ଵତନ୍ତ୍ର ପ୍ରତିନିଧି ନୀଳାମ୍ବର ମିଶ୍ରଙ୍କ ରିପୋର୍ଟ ।
