ଶ୍ରୀକୃଷ୍ଣ ସୁଦାମାଙ୍କ ବନ୍ଧୁତା ଅନନ୍ୟ
ଶ୍ରୀକୃଷ୍ଣ ସୁଦାମାଙ୍କ ବନ୍ଧୁତା ଅନନ୍ୟ
✍️କବିରତ୍ନ ନୂତନ କୁମାର ବେହେରା
ଶ୍ରୀକୃଷ୍ଣ ସୁଦାମାଙ୍କ ବନ୍ଧୁତା ଏକ ବିରଳ ଦୃଷ୍ଟାନ୍ତ
ସଖା ପରି ସଖା ବନ୍ଧୁ ପରି ବନ୍ଧୁ ଥିଲେ ଦୁହେଁ
ଭୁଲି ନାହାଁନ୍ତି ମନ ହୃଦୟରୁ କେହି କାହାକୁ
ନ ହେଉଥିଲେ ବି ପରସ୍ପର ମଧ୍ୟରେ ଆଳାପ
ଅବା ଦୀର୍ଘବର୍ଷ ଧରି ହୋଇ ନଥିଲେ ବି ଦେଖା,
ବାଲ୍ୟକାଳୁ ଥିଲା ତାଙ୍କର ଏ ବନ୍ଧୁତା ଅନନ୍ୟ
ପରିଣତ ବୟସ ଯାଏଁ ଥିଲା ଅତୁଟ ଅମ୍ଳାନ
ବନ୍ଧୁତ୍ବର ଏ ପରାକାଷ୍ଠା ଜଗତକୁ ଦିଏ ମହାଶିଖା।
ପ୍ରଭୁ ଶ୍ରୀକୃଷ୍ଣ ଆଉ ଦରିଦ୍ର ବ୍ରାହ୍ମଣ ସଖା ସୁଦାମା
ଏକ ମନ ଏକ ପ୍ରାଣ ଥିଲା ତାଙ୍କର ଆତ୍ମା,
ଜଣେ ସମାଜର ଶୀର୍ଷତମ ସ୍ଥାନରେ ମହାରାଜା
ଅନ୍ୟ ଜଣେ ନିମ୍ନ ସ୍ତରରେ ସାଧାରଣ ପ୍ରଜା
ଦେଖାଇଛନ୍ତି ବନ୍ଧୁତ୍ଵରେ ବିରଳ ଅପାର ମହିମା।
ନିଃସ୍ବ ଗରିବ ଅସହାୟ ବ୍ରାହ୍ମଣ ସୁଦାମା
ଭୋଗୀ ନା ନା ଦୁଃଖ ଯନ୍ତ୍ରଣାର ଦୂରବସ୍ଥା
କେବେ କରି ନାହାଁନ୍ତି ବନ୍ଧୁତ୍ଵର ଅମର୍ଯ୍ଯାଦା,
ଧନରେ ନୁହେଁ କେବଳ ପବିତ୍ର ହୃଦୟରେ
ଭାବ ଭକ୍ତିରେ ଅକଳନ ଥିଲା ନିଃସ୍ବାର୍ଥ ବନ୍ଧୁତା
ପ୍ରାଣରେ ସ୍ପନ୍ଦିତ ହେଉଥିଲା ଯା’ ସର୍ବଦା।
ସେ ବନ୍ଧୁତ୍ଵ ଅନନ୍ଯ… ନାହିଁ ତାର ପଟାନ୍ତର
ହୃଦୟ ହୃଦୟର ଅଛିହ୍ନ ପ୍ରେମର ବନ୍ଧନ
ସାରା ସଂସାରରେ ଏ ଘନିଷ୍ଠତା ଅଦ୍ଵିତୀୟ,
ସୁଦାମା ହୋଇ ବି ଅଭାବ ଅନାଟନରେ ଦଗ୍ଧ
କେବେ ପାର୍ଥିବ ଐଶ୍ଵର୍ଯ୍ୟ ବିଭବ ପାଇଁ
ସଖାଙ୍କୁ ହାତ ପାତି ନାହାଁନ୍ତି ହୋଇ ବିନୟ।
ଅନ୍ତର୍ଯ୍ୟାମୀ ପ୍ରଭୁ ଶ୍ରୀକୃଷ୍ଣ ରୂପୀ ନାରାୟଣ
ବନ୍ଧୁର ବନ୍ଧୁତ୍ଵରେ ହୋଇ ଅତ୍ୟନ୍ତ ପ୍ରୀତ
ପରିପୂର୍ଣ୍ଣ କରିଥିଲେ ତାଙ୍କର ମନୋବାଞ୍ଛା,
ଯଶ ଖ୍ୟାତି ତାର ରହିଛି ରହିବ କାଳ କାଳ
ସୁଦାମା ଶ୍ରୀକୃଷ୍ତଙ୍କର ସଖା ଭାବେ ଅମର
ଇଚ୍ଛାମୟ ପୂରଣ କରନ୍ତି ଭକ୍ତର ସବୁ ଇଚ୍ଛା।
ଏ ବନ୍ଧୁତ୍ଵ ପ୍ରେରଣା ଦିଏ ଜଗତକୁ ଯୁଗ ଯୁଗ
ଭକ୍ତି ଭାବରେ ଭଗବାନ ବି ହୁଅନ୍ତି ସଖା
ଆପଦ ବିପଦେ ସହାୟ ହୁଆନ୍ତି ସ୍ମରଣ ମାତ୍ରେ
ପତିତଜନଙ୍କୁ ସଦାସର୍ବଦା କରିଥାନ୍ତି ରକ୍ଷା।
ଧନ୍ଯ ସୁଦାମ ଧନ୍ୟ ତାଙ୍କର ଗଭୀର ଭକ୍ତିଭାବ
ଭକ୍ତି ଛଡା ଆଉ କିଛି ନଥିଲା ତାଙ୍କୁ ଜଣା
ଭକ୍ତ ସଖା ବନ୍ଧୁ ଭାବରେ ସେ ସଂସାରେ ଶ୍ରେଷ୍ଠ ,
ଭାବ ଭକ୍ତିରେ ପ୍ରଭୁଙ୍କୁ ବାନ୍ଧି ରଖିଲେ ଅନ୍ତରରେ
ଅନାବିଳ ବନ୍ଧୁ ପ୍ରୀତିର ଦେଖାଇଛନ୍ତି ଉଚ୍ଚ ଆଦର୍ଶ
ଭକ୍ତିରେ ପ୍ରଭୁଙ୍କ ସାଥେ ହୋଇଥିଲେ ଘନିଷ୍ଠ।
ଶ୍ରୀକୃଷ୍ଣ ସୁଦାମାଙ୍କ ବନ୍ଧୁତା ଭୁଲି ନାହିଁ ଏ ଜଗତ
ସୃଷ୍ଟିଥିବା ଯିଏ ପ୍ରେରଣା ଦେଉଥିବ ଅବିରତ,
ଧନ୍ୟ ଧନ୍ୟ ପ୍ରଭୁ ଭକ୍ତ ବତ୍ସଳ ଭାବଗ୍ରାହୀ
ତୁମ ଶ୍ରୀଚରଣ ତଳେ ସଦା ମଥା ରହୁ ନତ।
ପ୍ରତିଷ୍ଠାତା ଓ ମୁଖ୍ୟସମ୍ପାଦକ,
ନବସୃଜନ ଇ-ପତ୍ରିକା
କୋହି,ବାରିପଦା,ମୟୂରଭଞ୍ଜ।
