ଗାନ୍ଧୀ ଖୋଜୁଛନ୍ତି ସୁରକ୍ଷା, ବର୍ଷକୁ ମନେ ପଡ଼ନ୍ତି ଦୁଇଥର
ଗଣିଆ -ଗଣିଆ ବଜାରରେ ଥିବା ମହାତ୍ମା ଗାନ୍ଧୀ ପୀଠଟି ଅବହେଳିତ ଅବସ୍ତାରେ ପଡି ରହିଛି । ବଜାର ଉପରେ ଉକ୍ତ ପୀଠଟି ରହିଥିଲେ ମଧ୍ୟ ଏହାର ଉନ୍ନତି କଥା କେହି ଚିନ୍ତା କରୁନାହାନ୍ତି । ଦଳୀୟ ଶୋଭାଯାତ୍ରା ଠାରୁ ଆରମ୍ଭ କରି ପଥପ୍ରାନ୍ତ ନାଟକ ଏହି ପୀଠ ପରିସରରେ ଅନୁଷ୍ଠିତ ହେଉଛି । ମଣ୍ଡପଟି ଖୋଲା ରହୁଥିବାରୁ ବୁଲା ଗୋରୁ ଗାଇଙ୍କ ଦ୍ବାରା ଅପରିଷ୍କାର ହେଉଛି । ଏପରିକି ଗାନ୍ଧୀଙ୍କ ମୂର୍ତ୍ତି ଅନେକ ସ୍ଥାନ ଖଣ୍ଡିଆ ଖାବରା ହୋଇଗଲାଣି । କେବଳ ଜାନୁଆରୀ ୨୬ ଏବଂ ୧୫ ଅଗଷ୍ଟରେ ପ୍ରଶାସନ ତରଫରୁ ରଙ୍ଗ ବୋଳିଦେଇ ସେମାନଙ୍କ କାମ ସାରି ଦେଉଛନ୍ତି । କହିବାକୁ ଗଲେ ଗଣିଆରେ ଗାନ୍ଧୀ ଖୋଜୁଛନ୍ତି ସୁରକ୍ଷା । ରାଜନୈତିକ ନେତା ମାନେ ବିଭିନ୍ନ ସମୟରେ ବାହାସ୍ପୋଟ ମାରୁଥିଲେ ବି ତାହା ଫମ୍ପା ଆବାଜ ବୋଲି ଜଣାପଡିଛି । ଗାନ୍ଧୀ ସ୍ମୃତି ମଣ୍ଡପର ପୁନରୁଦ୍ଧାର ପାଇଁ ୭ ଲକ୍ଷରୁ ଅଧିକ ଟଙ୍କା ମଞ୍ଜୁର ହୋଇଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହୋଇପାରୁନି । ରାଜନୈତିକ ବାଦବିବାଦ ଯୋଗୁଁ ଏହା ନିର୍ମାଣ ହୋଇପାରୁନଥିବା ଅଭିଯୋଗ ହୋଇଛି । ଅନେକ ଆବଶ୍ୟକ ସ୍ଥାନରେ ଅର୍ଥ ମଞ୍ଜୁର ହେଉନଥିବା ବେଳେ ଏଠାରେ ଅର୍ଥ ମଞ୍ଜୁର ହୋଇ ମଧ୍ୟ ବର୍ଷ ବର୍ଷ ଧରି କାର୍ଯ୍ୟକାରୀ ନହେବା ଆନ୍ତରିକତାର ଅଭାବ ବୋଲି ଆଲୋଚନା ହେଉଛି । ଏହି ମଣ୍ଡପଟିର ବାରମ୍ବାର ଡିଜାଇନ କରାଯାଇ ସ୍ବପ୍ନ ଦେଖୁଥିବା ବେଳେ ଏହା କେବେ ବାସ୍ତବ ରୂପ ନେବ ତାହା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସ୍ବାଧୀନତା ଦିବସ ପ୍ରସ୍ତୁତି ବୈଠକରେ ତୁରନ୍ତ ଉକ୍ତ କାର୍ଯ୍ୟ ଆରମ୍ଭ କରିବାକୁ ବିଡ଼ିଓ କନିଷ୍ଠ ଯନ୍ତ୍ରୀଙ୍କୁ ନିର୍ଦେଶ ଦେଇଛନ୍ତି । ତେବେ ଏହି ନିର୍ଦେଶ କାର୍ଯ୍ୟକାରୀ ହେବ ନା ଫମ୍ପା ଆବାଜ ପାଲଟିବ ଆଗକୁ ଦେଖିବାକୁ ବାକି ରହିଲା ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଚାଲିଛି ।
