ଅହଂକାରକୁ ପ୍ରତ୍ୟାଖ୍ୟାନ କଲେ ଗଣିଆବାସୀ
ଅହଂକାରକୁ ପ୍ରତ୍ୟାଖ୍ୟାନ କଲେ ଗଣିଆବାସୀ, ବିଧାୟକଙ୍କ ଦ୍ବାରା ଉଦଘାଟନ କଲେ ପାଠାଗାର
ଗଣିଆ – ପାଠାଗାର ଉଦଘାଟନକୁ ନେଇ ଗଣିଆରେ ଚାଲିଛି ଜୋରଦାର ରାଜନୀତି । ବିଜେଡି ଏବଂ ବିଜେପି ଗୋଷ୍ଠୀ ମଧ୍ୟରେ ଆରମ୍ଭ ହୋଇଛି ଫଳକ ରାଜନୀତି । ସାଂସଦ ଉଦଘାଟନ କରିବା ପୂର୍ବରୁ ବିଧାୟକ କରିଛନ୍ତି ଉଦଘାଟନ । ଘଟଣାରୁ ଜଣାପଡିଛି ଗଣିଆ ରଘୁନାଥ ଜୀଉ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ନବନିର୍ମିତ ପାଠାଗାର ନିର୍ମାଣ କରାଯାଇଛି । ଏହି ପାଠାଗାର ନିର୍ମାଣ ପାଇଁ ଦଶପଲ୍ଲା ବିଧାୟକ ଏବଂ ଜିଲ୍ଲା ପରିଷଦ ପାଣ୍ଠିରୁ ୫୦ ଲକ୍ଷରୁ ଅଧିକ ଟଙ୍କା ପ୍ରଦାନ କରାଯାଇ ବିଧାୟକଙ୍କ ପ୍ରଚେଷ୍ଟାରେ ନୂତନ ଶୈଳୀରେ ପାଠାଗାର ନିର୍ମାଣ କରାଯାଇଛି । ତେବେ ୧୧ ତାରିଖରେ ଏହି ନବନିର୍ମିତ ପାଠାଗାରର ଉଦଘାଟନ ହେବା ପାଇଁ ବିଦ୍ୟାଳୟ ତରଫରୁ ସ୍ଥିର କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏବଂ ମୁଖ୍ୟବକ୍ତା ଭାବେ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ଯୋଗ ଦେବା ପାଇଁ ସ୍ଥିର କରାଯିବା ସହିତ ନିମନ୍ତ୍ରଣ ପତ୍ର ମଧ୍ୟ ବଣ୍ଟନ କରାଯାଇଥିଲା । କିନ୍ତୁ ନିମନ୍ତ୍ରଣ ପତ୍ରରେ ବିଧାୟକଙ୍କ ନାଁ ନଥିବା ସହିତ ବିଧାୟକଙ୍କୁ ଏହି କାର୍ଯ୍ୟକ୍ରମକୁ ଡକାଯାଇନଥିଲା । ଫଳରେ ଶୁକ୍ରବାର ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କ ନେତୃତ୍ବରେ ପୂର୍ବତନ ବ୍ଳକ ଅଧ୍ୟକ୍ଷ ଶେଷଦେବ ସ୍ବାଇଁ, ଜିଲ୍ଲା ପରିଷଦ ସଭ୍ୟ ନରେଶ କୁମାର ବେହେରା, ଉପାଧ୍ୟକ୍ଷ ରାଜକିଶୋର ସାହୁଙ୍କ ସମେତ ଗଣିଆ ବ୍ଳକର ବହୁ ବୁଦ୍ଧିଜୀବୀ ତଥା ବିଜୁଜନତା ଦଳର ବରିଷ୍ଠ ନେତା ଏକ ବିଶାଳ ଶୋଭାଯାତ୍ରାରେ ବାହାରି ରଘୁନାଥ ଜୀଉ ଉଚ୍ଚ ବିଦ୍ୟାଳୟ ପରିସରରେ ପହଞ୍ଚି ଥିଲେ । ସେଠାରେ ବିଧାୟକ ନଡିଆ ବାଡେଇ ଫଳକ ଉନ୍ମୋଚନ କରିବା ସହିତ ଫିତାକାଟି ନୂତନ ଗୃହର ଶୁଭ ଉଦଘାଟନ କରିଥିଲେ । ଏହି ଘଟଣା ଘଟିବା ପରେ ଗଣିଆରେ ରାଜନୀତି ସରଗରମ ହେବା ସହିତ ଚର୍ଚ୍ଚାର ବିଷୟ ପାଲଟିଛି । ଏ ସମ୍ପର୍କରେ ବିଧାୟକ ଶ୍ରୀ ବେହେରାଙ୍କୁ ପଚାରିବାରୁ ଗଣିଆ ରଘୁନାଥ ଜୀଉ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ବିଧାୟକ, ପୂର୍ବତନ ସାଂସଦ ଡ଼ ଅଚ୍ୟୁତ ସାମନ୍ତ ଏବଂ ଜିଲ୍ଲା ପରିଷଦ ପାଣ୍ଠିରୁ ପ୍ରାୟ ଏକ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ନିର୍ମାଣ କରାଯାଇଛି ବୋଲି ସେ ପ୍ରକାଶ କରିଥିଲେ । ତେବେ ନୂତନ ସରକାର ଆସିବାର ଦେଢ ବର୍ଷରୁ ଅଧିକ ସମୟ ବିତି ଯାଇଥିଲେ ମଧ୍ୟ ମାଟି ଗାଣ୍ଡୁଆଟେ ପକାଇ ନଥିବା ବିଜେପି ଦଳ ନୂତନ ଗୃହ ଉଦଘାଟନ କରିବାକୁ ମନ ବଳାଇଥିବା ଅତ୍ୟନ୍ତ ନିନ୍ଦନୀୟ ତଥା ଲଜ୍ଜା ଜନକ ଘଟଣା ବୋଲି ସେ ମତ ଦେଇଛନ୍ତି । ଏପରିକି ପୁଅ ଜନ୍ମ କରିବ ଜଣେ ଏକୋଇଶିଆ ଆଉ ଜଣେ କରୁଚି ବୋଲି ବିଧାୟକ ଇଙ୍ଗିତ କରିଛନ୍ତି । ପାଠାଗାର ନିର୍ମାଣରେ ସାଂସଦ କିମ୍ବା ବିଜେପି ନେତୃବୃନ୍ଦଙ୍କର କୈାଣସି ଅବଦାନ ନଥିବାରୁ ଉଦଘାଟନ କରିବାର ଅଧିକାର ସେମାନଙ୍କର ନାହିଁ ବୋଲି ପୂର୍ବତନ ବ୍ଳକ ଅଧ୍ୟକ୍ଷ ଶେଷଦେବ ସ୍ବାଇଁ ମତ ଦେଇଛନ୍ତି । ଏପରିକି ଆସନ୍ତାକାଲି ଏହାକୁ ଘୋର ବିରୋଧ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି । ତେବେ ଅପରାହ୍ନରେ ବିଧାୟକ ଲଗାଇଥିବା ଫଳକ ଭଙ୍ଗା ଯାଇଥିବା ଜଣାପଡିଛି । ଏହି ଘଟଣା ପରେ ଗଣିଆରେ ରାଜନୈତିକ ଉଷ୍ମତା ବଢିବାରେ ଲାଗିଛି । ଗଣିଆ ରୁ ଜ୍ଞାନୀ ପ୍ରକାଶ ସେନାପତିଙ୍କ ରିପୋର୍ଟ
