କୋଟଗଡ଼ ଆଇ.ଟି.ଆଇ ରେ ଗୀତାଞ୍ଜଳି ସାହାଣୀଙ୍କ ଭାରପ୍ରାପ୍ତ ଅଧ୍ୟକ୍ଷା ରୂପେ ନିଯୁକ୍ତି।

କୋଟଗଡ଼/କନ୍ଧମାଳ,୧୦/୦୧/୨୬ରାଜ୍ୟ ଦକ୍ଷତା ବିକାଶ କ୍ଷେତ୍ରରେ ଏକ ଗୌରବମୟ ମୁହୂର୍ତ୍ତ ସୃଷ୍ଟି କରି,ନିଷ୍ଠା, ପରିଶ୍ରମ ଓ ମହିଳା ସଶକ୍ତିକରଣର ଏକ ଉଜ୍ଜ୍ୱଳ ଦୃଷ୍ଟାନ୍ତ ସ୍ଵରୂପ ଶ୍ରୀମତୀ ଗୀତାଞ୍ଜଳି ସାହାଣୀ ଙ୍କୁ ସରକାରୀ ଆଇଟିଆଇ, କୋଟଗଡ଼ର ନୂତନ ଭାରପ୍ରାପ୍ତ ଅଧ୍ୟକ୍ଷା ଭାବେ ନିଯୁକ୍ତ କରାଯାଇଛି। ସେ ପୂର୍ବରୁ କଟକ ଆଇ ଟି ଆଇ ରେ ତାଲିମ୍ ଅଧିକାରିଣୀ ଭାବେ ସଫଳତାର ସହିତ କାର୍ଯ୍ୟ କରିଥିବା ସହିତ, ପଦୋନ୍ନତି ମାଧ୍ୟମରେ ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଗ୍ରହଣ କରିଛନ୍ତି।କନ୍ଧମାଳ ଜିଲ୍ଲାର ଫୁଲବାଣୀ ଅଞ୍ଚଳ ତାଙ୍କର ଜନ୍ମସ୍ଥାନ। ସେ ନିଜ କାର୍ଯ୍ୟଜୀବନ ଆରମ୍ଭ କରିଥିଲେ ଆଇଟିଆଇ, ଫୁଲବାଣୀରେ ଏକ ଆସିଷ୍ଟାଣ୍ଟ ଟ୍ରେନିଂ ଅଫିସର ଭାବେ। ସେଠାରୁ ଆରମ୍ଭ କରି ନିଷ୍ଠା, ଦୃଢ଼ ସଂକଳ୍ପ ଓ ଅଦମ୍ୟ ପରିଶ୍ରମ ମାଧ୍ୟମରେ ସେ ଆଜି ଏହି ସମ୍ମାନଜନକ ପଦବୀରେ ଅଭିଷିକ୍ତ ହୋଇଛନ୍ତି।କଟକ ଆଇଟିଆଇ ରେ ଟ୍ରେନିଂ ଅଫିସର ଭାବେ କାର୍ଯ୍ୟରତ ଥିବା ସମୟରେ ଶ୍ରୀମତୀ ସାହାଣୀ ‘ସୁଦକ୍ଷା’ ଯୋଜନା ସମ୍ପର୍କରେ ଛାତ୍ରୀମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରି, ନିୟମିତ କ୍ୟାରିଅର କାଉନ୍ସେଲିଂ କାର୍ଯ୍ୟକ୍ରମ ରେ ଯୋଗୋଦାନ ଦେଇଥିଲେ।

ତାଙ୍କର ଏହି ପଦକ୍ଷେପ ଫଳରେ ଆଇଟିଆଇ ରେ ଛାତ୍ରୀ ଭର୍ତ୍ତି ହାର ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଇଥିଲା, ଯାହା ମହିଳା ସଶକ୍ତିକରଣ ଦିଗରେ ଏକ ମାଇଲ୍‌ସ୍ଟୋନ୍‌ ଭାବେ ଗଣ୍ୟ।ବୃତ୍ତିଗତ ଜୀବନ ସହିତ, ବ୍ୟକ୍ତିଗତ ସମ୍ପର୍କ ଓ ସାମାଜିକ କ୍ଷେତ୍ରରେ ମଧ୍ୟ ସେ ଅତ୍ୟନ୍ତ ସକ୍ରିୟ। ‘ସ୍କିଲ୍ଡ୍ ଇନ୍ ଓଡ଼ିଶା’ ପ୍ରକଳ୍ପ ଅଧୀନରେ ଯୁବପିଢ଼ି ଙ୍କୁ ଦକ୍ଷ କରିବା ଦିଗରେ ସେ ଅନେକ ନୂତନ ପଦକ୍ଷେପ ନେଇଥିବାରୁ ସହକର୍ମୀ ଓ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସେ ବିଶେଷ ସମ୍ମାନ ଲାଭ କରିଛନ୍ତି।ଶ୍ରୀମତୀ ଗୀତାଞ୍ଜଳି ସାହାଣୀ ଙ୍କ ଏହି ନିଯୁକ୍ତି ସରକାରୀ ଆଇଟିଆଇ, କୋଟଗଡ଼ ପାଇଁ ଏକ ନୂତନ ଆଶା ଓ ଦିଗଦର୍ଶନ ନେଇଆସିଛି ବୋଲି ଶିକ୍ଷାବିଦ୍‌ମାନେ ମତ ପ୍ରକାଶ କରିଥିବା ବେଳେ ତାଙ୍କ ନିଯୁକ୍ତିକୁ କୋଟଗଡ଼ ଆଇଟିଆଇର ଛାତ୍ରଛାତ୍ରୀ, ତାଲିମଦାତା ମଣ୍ଡଳୀ ଓ ସ୍ଥାନୀୟ ଅଞ୍ଚଳବାସୀ ସ୍ବାଗତ କରିଥିବା ସହ ଏହା ଆଇଟିଆଇ ର ସାର୍ବିକ ଉନ୍ନତିକୁ ନୂତନ ଦିଗ ଦେବ ବୋଲି ଆଶା ପ୍ରକାଶ କରାଯାଇଛି।

Leave a Reply

Your email address will not be published. Required fields are marked *