ଗ୍ଲୋବାଲ୍ ଏନର୍ଜି ଲିଡର୍ସ ସମିଟ୍ ୨୦୨୫
ଗ୍ଲୋବାଲ୍ ଏନର୍ଜି ଲିଡର୍ସ ସମିଟ୍ ୨୦୨୫ ପାଇଁ ଓଡ଼ିଶା ଗସ୍ତରେ ଆସିବେ ୩ ମୁଖ୍ୟମନ୍ତ୍ରୀ ଓ ୨ କେନ୍ଦ୍ର ମନ୍ତ୍ରୀ: ଏଭଳି ପ୍ରକାରର ପ୍ରଥମ ସ୍ୱଚ୍ଛ ଊର୍ଜା ନେତୃତ୍ୱ ସମ୍ମିଳନୀ ଡିସେମ୍ବର ୫ରୁ ୭ ତାରିଖ ପର୍ଯ୍ୟନ୍ତ ପୁରୀରେ ଅନୁଷ୍ଠିତ ହେବାକୁ ଥିବା ଗ୍ଲୋବାଲ୍ ଏନର୍ଜି ଲିଡର୍ସ ସମାବେଶ (ଜିଇଏଲ୍ଏସ୍) ୨୦୨୫ ପାଇଁ ଓଡ଼ିଶା ଗସ୍ତ କରିବାକୁ ଯାଉଥିବା ଊର୍ଜା କ୍ଷେତ୍ରରେ ଭାରତର ସବୁଠାରୁ ପ୍ରଭାବଶାଳୀ ନେତୃବୃନ୍ଦଙ୍କ ଏକ ଅଭୂତପୂର୍ବ ସମାବେଶ ଓଡ଼ିଶା ଆୟୋଜନ କରିବାକୁ ଯାଉଛି। ଏହି ସମାବେଶରେ ଭାରତ ସରକାରଙ୍କ କେନ୍ଦ୍ର ନବୀନ ଏବଂ ନବୀକରଣୀୟ ମନ୍ତ୍ରୀ ଶ୍ରୀ ପ୍ରହଲ୍ଲାଦ ଜୋଶୀ, ଭାରତ ସରକାରଙ୍କ କେନ୍ଦ୍ର ଶକ୍ତି ଏବଂ ନବୀନ ଓ ନବୀକରଣୀୟ ଶକ୍ତି ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଶ୍ରୀପଦ ନାୟକ, ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ, ହିମାଚଳ ପ୍ରଦେଶର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ସୁଖବିନ୍ଦର ସିଂହ ସୁଖୁ, ଛତିଶଗଡ଼ର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ବିଷ୍ଣୁ ଦେଓ ସାଇ ଏବଂ ଅନ୍ୟ ରାଜ୍ୟର ମନ୍ତ୍ରୀମାନଙ୍କ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି ।ଏହା ଏଭଳି ପ୍ରକାରର ପ୍ରଥମ ରାଜ୍ୟ ନେତୃତ୍ୱାଧୀନ ଜାତୀୟ ମଞ୍ଚ, ଯାହା ଭାରତର ସ୍ୱଚ୍ଛ ଊର୍ଜା ରୂପାନ୍ତରଣକୁ ତ୍ୱରାନ୍ୱିତ କରିବା ପାଇଁ ସମ୍ପୂର୍ଣ୍ଣ ଭାବରେ ଉତ୍ସର୍ଗୀକୃତ । ନୀତି ନିର୍ଦ୍ଧାରକ, ଅଗ୍ରଣୀ ଶିଳ୍ପପତି, ବିଶ୍ୱସ୍ତରୀୟ ବିଶେଷଜ୍ଞ ଏବଂ ଉଦ୍ଭାବକମାନଙ୍କୁ ଏକତ୍ରିତ କରି ସହଭାଗିତା , ଜ୍ଞାନ ଆଦାନପ୍ରଦାନ ଏବଂ ରାଜ୍ୟସ୍ତରୀୟ ନେତୃତ୍ୱ ପାଇଁ ଏକ ନୂତନ ସୁଯୋଗ ସୃଷ୍ଟି କରିବାକୁ ଏହି ସମ୍ମିଳନୀ ଲକ୍ଷ୍ୟ ରଖିଛି । ଜିଇଏଲ୍ଏସ୍ ୨୦୨୫ ରାଜ୍ୟମାନଙ୍କୁ ସଫଳତାର କାହାଣୀ ଜଣାଇବା, ବିଶ୍ୱର ସର୍ବୋତ୍ତମ କାର୍ଯ୍ୟଶୈଳୀରୁ ଶିକ୍ଷା ଲାଭ କରିବା ଏବଂ ଅକ୍ଷୟ ଊର୍ଜାକୁ ଆପଣେଇବା, ଗ୍ରୀଡ୍ ଆଧୁନିକୀକରଣ ଏବଂ ନିରନ୍ତର ବିକାଶ ଦିଗରେ କାର୍ଯ୍ୟକ୍ଷମ ମାର୍ଗର ରୂପରେଖ ପ୍ରସ୍ତୁତ କରିବାରେ ସହାୟତା କରିବା ପାଇଁ ଡିଜାଇନ୍ କରାଯାଇଛି । ସର୍ବୋଚ୍ଚ ସ୍ତରରେ ଏକାଧିକ ରାଜ୍ୟ ଓ କେନ୍ଦ୍ର ମନ୍ତ୍ରଣାଳୟର ଅଂଶଗ୍ରହଣ ସହିତ ଓଡ଼ିଶା ଭାରତର ସ୍ୱଚ୍ଛ ଊର୍ଜା ସଂକଳ୍ପର ଏକ ପ୍ରମୁଖ ପରିଚାଳକ ଭାବେ ଉଭା ହେଉଛି ।ଓଡ଼ିଶା ପାଇଁ ଜିଇଏଲ୍ଏସ୍ ଆୟୋଜନ କେବଳ ଏକ ସମ୍ମାନ ନୁହେଁ, ଏହା ଏକ ରୂପାନ୍ତରଣର ମୁହୂର୍ତ୍ତ। ଏହା ଦେଶର ଭବିଷ୍ୟତ ଗଠନ କରୁଥିବା ଗୁରୁତ୍ୱପୂର୍ଣ୍ଣ ଊର୍ଜା ସମ୍ପର୍କିତ ଆଲୋଚନାଚକ୍ରର କେନ୍ଦ୍ରବିନ୍ଦୁରେ ରାଜ୍ୟକୁ ସ୍ଥାନିତ କରିଛି ଏବଂ ଦୀର୍ଘକାଳୀନ ସ୍ଥାୟୀତ୍ୱ ପାଇଁ ଜାତୀୟ ତଥା ବିଶ୍ୱସ୍ତରୀୟ ନେତୃବୃନ୍ଦଙ୍କୁ ଆମନ୍ତ୍ରଣ କରିବାକୁ ଓଡ଼ିଶାର ପ୍ରସ୍ତୁତିକୁ ପ୍ରତିଫଳିତ କରୁଛି ।
