ଆଦିଶକ୍ତି ସ୍ଵରୂପିଣୀ ଭାବେ ଉଭା
ହୁଅ ତୁମେ ଏ ଧରାଧାମେ,
ସଂସାରରେ ତୁମେ ବିକାଶି ପ୍ରତିଭା
ନିଷ୍ଠା ପାଳ ନିଜ ଧରମେ,
ହେ ଦେବୀ
ତୁମେ ଜନନୀ ଚିରପୂଜ୍ୟା,
ସେବା ତ୍ୟାଗ ଯତ୍ନ ଗୁଣେ ମହନୀୟା
ତୁମେ ବନ୍ଦନୀୟା ନମସ୍ୟା/୧/

ନାରୀ ରୂପରେ ହୁଅ ତୁମେ ଜନମ
ଦୁନିଆଁ କହେ କନ୍ୟାରତ୍ନ,
ସ୍ନେହ ମମତାର ଜୀବନ୍ତ ପ୍ରତିମା
ରଖି ଧ୍ୟାନ ପ୍ରଗତି ଆଣ,
ହେ ଦେବୀ
ହୃଦୟେ ସମର୍ପଣ ଭାବ,
ହିତେ ରହି ସଦା ଦିଅ ଆଶ୍ଵସନା
ତୁମେ ଭବ ଶିରୀ ବିଭବ/୨/

ମାତା ହୋଇ ହୁଅ ଜଗତରେ ଜିତା
ସନ୍ତାନର ସହା ଭରସା,
କରି ତୁମେ ଉପାସନା ଆରାଧନା
ପୂରଣ କର ତାର ଆଶା,
ହେ ଦେବୀ
ପବିତ୍ରପ୍ରାଣା ଧର୍ମପ୍ରାଣା,
ତୁମେ ଯଶ ଧ୍ଵଜା ଧରି ଉଡ଼ାଅ
ବରଷାଅ ତୁମ କରୁଣା/୩/

ସୃଷ୍ଟିର ସମ୍ଭାରକୁ କର ସୁରକ୍ଷା
ଦେଇ ସଦା ଅଗ୍ନି ପରୀକ୍ଷା,
ଦାନର ପ୍ରତିଦାନ ପାଇବା ପାଇଁ
କେବେ କରନାହିଁ ପ୍ରତୀକ୍ଷା,
ହେ ଦେବୀ
ତୁମ ମହନୀୟ ଗୁଣରେ,
ଶାନ୍ତି ତୃପ୍ତି କରୁଥାଅ ବିତରଣ
ପୂଜ୍ୟା ତୁମେ ଏ ସଂସାରରେ/୪/

ନିଜ ସୁଖ ଲାଗି ଭାବ ନାହିଁ କେବେ
କଷ୍ଟ ସହି କର ଉତ୍ସର୍ଗ,
ଜଗତ କଲ୍ୟାଣେ କରି ପୂଜା ବ୍ରତ
ଦେଖାଇ ଥାଅ ସତ୍ୟମାର୍ଗ,
ହେ ଦେବୀ
ପ୍ରଣାମ ତୁମ ଚରଣରେ,
ପାଅ ତୁମେ ପ୍ରକୃତ ମାନ ସମ୍ମାନ
ଦୁଃଖ ଯତନା ଯାଉ ଦୂରେ/୫/

 କୋହି,ବାରିପଦା,ମୟୂରଭଞ୍ଜ।

Leave a Reply

Your email address will not be published. Required fields are marked *