ଫେବୃଆରୀ ୬ ତାରିଖ ଦିନ ଗୋଲାମୁଣ୍ଡା ପଞ୍ଚାୟତ ସମିତି ବୈଠକ

ଭବାନୀପାଟଣା, ୦୯/୦୨:- ଫେବୃଆରୀ ୬ ତାରିଖ ଦିନ ଗୋଲାମୁଣ୍ଡା ପଞ୍ଚାୟତ ସମିତି ବୈଠକରେ ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ଉପସ୍ଥିତିରେ ହୋଇଥିବା ବିଶୃଙ୍ଖଳା କୁ ନେଇ ଆଜି ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନକୁ ଯୁବ ବିଜେଡି ସାକ୍ଷାତ କରି ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ବ୍ଳକ ସମୀକ୍ଷା ବୈଠକରେ ପ୍ରାୟୋଜିତ ଭାବେ ଅସାମାଜିକ ଲୋକଙ୍କ ଦ୍ୱାରା ବିଧାୟକଙ୍କୁ ଅସଦାଚରଣ ଉଦ୍ୟମ ଓ ବୈଠକକୁ ଭଣ୍ଡୁର କରିବା ପାଇଁ ପ୍ରୟାସ ଉଦ୍ୟମର ତଦନ୍ତ ଓ କାର୍ଯ୍ଯାନୁଷ୍ଠାନ ପାଇଁ ଦାବିପତ୍ରରେ ଯୁବ ବିଜେଡି ଦାବି କରିଛି । ସୂଚନାଯୋଗ୍ୟ ଯେ, ଗୋଲାମୁଣ୍ଡା ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଚିଠି ଅନୁଯାୟୀ ୬ ଫେବୃଆରୀ ପୂର୍ବାହ୍ନ ୧୧ ଘଣ୍ଟା ସମୟରେ ବ୍ଲକ ଅନ୍ତର୍ଗତ ବିଭିନ୍ନ ସରକାରୀ ବିଭାଗ (ଲାଇନ୍ ଡିପାର୍ଟମେଣ୍ଟ) କୁ ନେଇ ଏକ ସମୀକ୍ଷା ବୈଠକ ବ୍ଲକ ସମ୍ମିଳନୀ କକ୍ଷରେ ଅୟୋଜନ ହୋଇଥିଲା | ଏହି ବୈଠକରେ ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ସମୀକ୍ଷା ପାଇଁ ଯୋଗଦେଇ ଥିଲେ। ହେଲେ ସଭାକାର୍ଯ୍ୟ ଆରମ୍ଭ ପୂର୍ବରୁ କିଛି ଅସାମାଜିକ ଯୁବକ ନିଶାଗ୍ରସ୍ତ ହୋଇ ସେଠାରେ ବେଆଇନ ଭାବରେ ରୁଣ୍ଡ ହୋଇ ହୋ-ହାଲ୍ଲା କରିବା ଦେଖିବାକୁ ମିଳିଥିଲା । ଏହା ସମ୍ପୂର୍ଣ୍ଣ ପ୍ରାୟୋଜିତ ଓ ସୁପରିକଳ୍ପିତ ଯୋଜନା ଥିଲା ବୋଲି ଯୁବ ବିଜେଡି ଅଭିଯୋଗ କରିଛି। ଜୁନାଗଡ଼ ବିଧାୟକ ଉପସ୍ଥିତ ହେବା କ୍ଷଣି ସମ୍ମିଳନୀ କକ୍ଷ ଆଡ଼ୁ ଶତାଧିକ ନିଶାଶସ୍ତ ଯୁବକ ବିଶୃଙ୍ଖଳିତ ଆଚରଣ ପ୍ରଦର୍ଶନ କରି ତାଙ୍କ ଆଡ଼କୁ ମାଡ଼ିଆସିବା ଓ ଆୟୋଜକଙ୍କ ତରଫରୁ କୌଣସି ପ୍ରତିକ୍ରିୟା ପ୍ରକାଶ ନକରିବା ଘଟଣାରେ ବିଡିଓ ମଧ୍ୟ ଉତ୍ତରଦାୟୀ ବୋଲି ଯୁବ ବିଜେଡି ଉଲ୍ଲେଖ କରିଛି | ଏଭଳି ପରିସ୍ଥିତିକୁ ଏଡାଇପା ପାଇଁ କାହିଁକି ଗୋଷ୍ଠୀ ଉନ୍ନୟନ ଅଧିକାରୀ ସ୍ଥାନୀୟ ପୋଲିସଙ୍କୁ ସୂଚନା ଦେଲେ ନାହିଁ ବୋଲି ପ୍ରଶ୍ନ କରିଛନ୍ତି। ବିଧାୟକଙ୍କ ବାରମ୍ବାର ବ୍ଳକ ଗସ୍ତ ସମୟରେ ତାଙ୍କୁ ଜାଣିଶୁଣି ବିରୋଧ କରିବା, ସମୀକ୍ଷା ବୈଠକ କରାଇନଦେବା, ଲୋକ ଲଗାଇ ବିଧାୟକଙ୍କୁ ଅସଦାଚରଣ କରିବା ପାଇଁ ଚେଷ୍ଟା କରିବା ଆଦି ପଛରେ ନିଜେ ବ୍ଳକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ସାମିଲ ଅଛନ୍ତି ବୋଲି ଯୁବ ବିଜେଡି ଅଭିଯୋଗ ଆଣିଛି ।

ଏହି ଘଟଣାରେ ଜିଲ୍ଲାପାଳ ନିରପେକ୍ଷ ତଦନ୍ତ କରି ସତ୍ୟାସତ୍ୟ ବାହାର କରନ୍ତୁ ବୋଲି କୁହାଯାଇଛି । ଏପରିକି ସୋସିଆଲ ମିଡ଼ିଆରେ ଭାଇରାଲ୍ ତଥା ଉପଲବ୍ଧ ଭିଡ଼ିଓ କ୍ଲିପିଂମାନଙ୍କରୁ ସ୍ୱଷ୍ଟ ଜଣାପଡୁଛି ଯେ ସେମାନେ ଗୋଲାମୁଣ୍ଡ ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦଙ୍କ ସହଯୋଗୀ ହୋଇଥିବା ଅନେକ କାର୍ଯ୍ଯକ୍ରମରେ ଫଟୋ ଓ ଭିଡ଼ିଓ ପ୍ରମାଣିତ କରୁଅଛି | ଏଣୁ ଗୋଲାମୁଣ୍ଡା ବିଡ଼ିଓଙ୍କୁ ହାତବାରିସି କରି ପ୍ରାୟୋଜିତ ଅସାମାଜିକ ଯୁବକମାନଙ୍କୁ ମେଳିକରି ସରକାରୀ ସମୀକ୍ଷା ବୈଠକ ଭଣ୍ଡୁର କରିବା ସହ କର୍ତ୍ତବ୍ଯରତ ଜୁନାଗଡ଼ ବିଧାୟକଙ୍କ ଉପରେ ଆକ୍ରମଣ କରିବା ପାଇଁ ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦଙ୍କ ଷଡ଼ଯନ୍ତ୍ର କରିବା ଅତ୍ୟନ୍ତ ଘୃଣ୍ୟ ଓ ନିନ୍ଦନୀୟ ବୋଲି ଯୁବ ବିଜେଡି ଅଭିଯୋଗ ଆଣିବାସହ ଦାବିପତ୍ରରେ ଉଲ୍ଲେଖ କରିଛି । ଜଣେ ଜନ ପ୍ରତିନିଧିଙ୍କ ଉପସ୍ଥିତିରେ ହୋଇଥିବା ଏହି ବିଶୃଙ୍ଖଳା ସମ୍ପର୍କରେ ଏପର୍ଯ୍ୟନ୍ତ ବିଡିଓଙ୍କ ତରଫରୁ କୌଣସି ଏତଲା ନଦେବା ଏହି ଘଟଣାରେ ତାଙ୍କ ସମ୍ପୃକ୍ତି ପ୍ରମାଣ କରୁଥିବା ନେଇ ଯୁବ ବିଜେଡି ନେତା ମାନେ ପ୍ରଶ୍ନ କରିଛନ୍ତି। ଏହି ଘଟଣାରେ ଯଦି କୌଣସି ତୁରନ୍ତ ପଦକ୍ଷେପ ଗ୍ରହଣ କରାନଯାଏ ତେବେ ଆଗାମୀ ଦିନରେ ବିଜୁ ଯୁବ ଜନତା ଦଳ ରାଜରାସ୍ତାରେ ବିକ୍ଷୋଭ କରିବ ଓ ଜିଲ୍ଲା ପ୍ରଶାସନ ଏଥିପାଇଁ ସମ୍ପୂର୍ଣ୍ଣ ରୂପେ ଦାୟୀ ରହିବେ ବୋଲି ଦାବି ପତ୍ରରେ ଉଲ୍ଲେଖ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଯୁବ ବିଜେଡି ସଭାପତି ଆଦିତ୍ୟ ନନ୍ଦ, ବରିଷ୍ଠ ବିଜେଡି ନେତା ପ୍ରଶାନ୍ତ ନାଏକ, ରାଜ୍ୟ ଯୁବ ବରିଷ୍ଠ ଉପସଭାପତି ମଣ୍ଟୁ ନାଏକ, ରାଜ୍ୟ ଯୁବ ଉପସଭାପତି ମନିନ୍ଦ୍ର ମହାନ୍ତି, ଯୁବ ନେତା ଅବିନାଶ ଠାକୁର, କୃଷକ ନେତା ସାମନ୍ତ ଖମାରୀ, ସେନାପତି ନାଏକ, କାଉନସିଲର କ୍ଷିରସିନ୍ଧୁ ନାଏକ, ଶିବା ସାହୁ, ମହେନ୍ଦ୍ର ରାଉତ, ଯୁବ ନେତା ଦିନେଶ ବଗର୍ତ୍ତି, ଅମିତ ଯାଦବ, ଛାତ୍ର ନେତା ମାନସ ସିନ୍ଦୂର, ନିମସ ତାଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ।‌

Leave a Reply

Your email address will not be published. Required fields are marked *