ଶୁଭନି ତୁମ ଫେରିବାର ପାଦ ଶବ୍ଦ

   ଶୁଭନି ତୁମ ଫେରିବାର ପାଦ ଶବ୍ଦ

🖋️କବିରତ୍ନ ନୂତନ କୁମାର ବେହେରା

କେତେ ଦିନ କେତେ କାଳ ଆଉ ଭରସା କରି
ଅଟଳ ବିଶ୍ଵାସକୁ ବଞ୍ଚାଇ ରଖିବି ଆଶାରେ
ବିରହୀ ହୃଦୟର ପ୍ରତିଟି ସ୍ପନ୍ଦନରେ ମୋର
ବହୁବାର ଦୃଢ଼ ବଚନରେ ଦେଇ ଯାଇଛ ପ୍ରତିଶ୍ରୁତି
ପରିସ୍ଥିତି ଯା’ ବି ହେଉ ଆସୁ ଯେତେ ବି ବିଘ୍ନ
ପ୍ରତିକୂଳର ଦୁରବସ୍ଥାରେ ମଧ୍ୟ ଭୁଲିବ ନାହିଁ
ଏ ଦୁନିଆଁରେ ଏକାତ୍ମ ହୋଇ ରଖିବା ଆମେ ଦୁହେଁ
ମୋ ଭଲ ପାଇବାକୁ ସ୍ଵୀକାର କରିଛ ତୁମେ
କହିଛ ମୁଁ କେବଳ ତୁମ ପାଇଁ ଏ ଜନ୍ମର ନୁହେଁ
ଯେତେ ଥର ଜନ୍ମ ନେବା ଆମେ ଏ ଧରାପୃଷ୍ଠରେ
ଜୀବନ ସାଥୀ ହୋଇ ଏକାଠି ବିତାଇବା ସମୟ
ଏତେ ସବୁ କଥା ସତରେ କ’ଣ ଭୁଲି ଯାଇଛ
ନା ତୁମ ସ୍ମୃତି ଶକ୍ତି ଲୋପ ପାଇଛି କିଛି କାରଣରେ
ତୁମକୁ ମୁଁ ଖୋଜୁଛି ମୋ ମନରେ ପ୍ରାଣରେ
ସ୍ମରଣ ମାତ୍ରେ ସତେଜ ଓ ଜୀବନ୍ତ ହୁଏ ସେ ସ୍ମୃତି
ନିଦାଘର ତାତିରେ ପୋଡ଼ି ମରି ଯାଇଥିବା
ଘାସ ଯେମିତି ବଞ୍ଚି ଉଠେ ଅସରାଏ ବର୍ଷାରେ
ତୁମର ଦେଇଥିବା ସେ ଆଶ୍ଵାସନା ମୋତେ ବୁଝାଏ
ସତରେ ତୁମେ ଫେରି ଆସିବ ତ … ମୋ ପାଇଁ
ପ୍ରତୀକ୍ଷାର ଅବଧି ମଧ୍ୟରେ ରଖିବ ତୁମର ସଂକଳ୍ପ
ଯେତିକି ହେଉଛି ବିଳମ୍ବ ରହୁନି ମୋର ଧୈର୍ଯ୍ୟ
ଗୋଟିଏ ମୁହୂର୍ତ୍ତ ବି ଲାଗୁଛି ଗୋଟାଏ ଯୁଗ
କାନ ଡ଼େରିଛି ରହିଛି ମୁଁ ନୀରବରେ ଧୀର ସ୍ଥିର
ମୋତେ ଶୁଭୁନି ତୁମ ଫେରିବାର ପାଦ ଶବ୍ଦ
ଶୁଣିଛି ମୁଁ ଅନେକଙ୍କ ମୁହଁରୁ ଏ ପ୍ରସଙ୍ଗରେ
ପ୍ରତିଶ୍ରୁତି ଦେଇ ଯାଇଥିବା ମନର ମଣିଷଟିଏ
ଯାଏ ସିନା…ଯିବାର ପାଦଚିହ୍ନ ଆଙ୍କି ଦେଇ
କିନ୍ତୁ ଫେରିବାର ପାଦଚିହ୍ନ ଆଉ ଦିଶେନା
ପ୍ରତୀକ୍ଷିତ ଯେତେ ଅବଧି ଅନ୍ତ ହେବା ପର୍ଯ୍ୟନ୍ତ
ତୁମେ ସେମିତି ନୁହଁ ତ…ହେବ ମୋ ପ୍ରତି ନିଷ୍ଠୁର
ମୋ ବିଶ୍ଵାସ ଆଗରେ ହେବ ନି ତ ପ୍ରତାରକ
ତୁମକୁ ପ୍ରବଞ୍ଚକ ବୋଲି କହିବ ମୋର ହୃଦୟ
ମୋର ଆତ୍ମା କହେ ପ୍ରେମ ଅମର ଚିରନ୍ତନ
ଏ କ’ଣ ଭୁଲ୍ ପ୍ରମାଣିତ କରିବ… ତୁମେ ନ ଫେରି
କେଉଁ ଅଜଣା ଦ୍ଵୀପରେ ରହିଲ ନିର୍ବାସିତ ହୋଇ
ସବୁ ଯୋଗାଯୋଗକୁ କରି ରଖିଛ ବିଚ୍ଛିନ୍ନ
ମୋ ପରି ତୁମର ମନରେ ଭାବନା ଆସୁ ନାହିଁ କି
କେମିତି ତୁମେ କେମିତି ତୁମର ଭଲ ପାଇବା
ମୋ ଅନ୍ତରର ନୀରବ ବିଳାପ ଶୁଣ ଯେଉଁଠି ଥାଅ
ଏବେ ବି ତୁମକୁ ହିଁ ରଖିଛି ମୋ ହୃଦୟରେ
ଆସିବ ବୋଲି ଚାହିଁ ରହିଛି ଅପଲକ ନୟନରେ
କିନ୍ତୁ ଶୁଭୁନି ତୁମ ଫେରିବାର ପାଦ ଶବ୍ଦ…।

 କୋହି,ବାରିପଦା,ମୟୂରଭଞ୍ଜ।

Leave a Reply

Your email address will not be published. Required fields are marked *