ଜିଏସଟି ହ୍ରାସ ଯୋଗୁ ଗତ 10 ବର୍ଷ ମଧ୍ୟରେ ନବରାତ୍ରୀରେ ସର୍ବାଧିକ ବିକ୍ରି ରେକର୍ଡ

ଜିଏସଟି ହ୍ରାସ ଯୋଗୁ ଗତ 10 ବର୍ଷ ମଧ୍ୟରେ ନବରାତ୍ରୀରେ ସର୍ବାଧିକ ବିକ୍ରି ରେକର୍ଡ
ନୂଆଦିଲ୍ଲୀ, 3।10:

କିଛି ଦିନ ପୂର୍ବରୁ ମୋଦୀ ସରକାର ଜିଏସଟି ଟିକସ ଦର ହ୍ରାସ କରିବା ସହ ବିଭିନ୍ନ ଉତ୍ପାଦକୁ ସୁଲଭ କରିଥିବା କାରଣରୁ ଗତ ଏକ ଦଶନ୍ଧି ମଧ୍ୟରେ ଭାରତର ଉପଭୋକ୍ତା ଅର୍ଥବ୍ୟବସ୍ଥାରେ ସର୍ବାଧିକ ବିକ୍ରିର ରେକର୍ଡ ପ୍ରତିଷ୍ଠା ହୋଇଛି। ଏହି ପଦକ୍ଷେପ କେବଳ ଦରଦାମ ହ୍ରାସ କରିନାହିଁ ବରଂ ଉପଭୋକ୍ତାଙ୍କ ଆକାଂକ୍ଷାକୁ ପୂରଣ କରିଛି । ପରିବାରଗୁଡ଼ିକ ସେମାନଙ୍କ ପାଇଁ ବଡ଼ ଗାଡ଼ି କିଣିବାକୁ ସକ୍ଷମ ହୋଇଛନ୍ତି। ଗୃହ ଉପକରଣରେ ଅଧିକ ଟଙ୍କା ଖର୍ଚ୍ଚ କରିପାରିଛନ୍ତି। ସେମାନେ ଜୀବନଶୈଳୀ ଉତ୍ପାଦ କିଣିବାରେ ହାତଖୋଲା ଖର୍ଚ୍ଚ କରିଛନ୍ତି । ଏସବୁ ଫଳରେ ଉପଭୋକ୍ତାଙ୍କ ପାର୍ବଣ କିଣାକିଣି ସବୁ ରେକର୍ଡ ଟପିଛି ।
ଅଗ୍ରଣୀ କାର୍‌ ନିର୍ମାତା ମାରୁତି ସୁଜୁକିର ବିକ୍ରି ଚଳିତ ନବରାତ୍ରୀରେ 100% ବୃଦ୍ଧି ପାଇଛି। କମ୍ପାନୀର କାର୍‌ ବିକ୍ରି ପୂର୍ବବର୍ଷ ତୁଳନାରେ ଦୁଇ ଗୁଣ ବୃଦ୍ଧି ପାଇଛି ଯାହାକି ଗତ ଏକ ଦଶନ୍ଧି ମଧ୍ୟରେ ସର୍ବାଧିକ। ମାରୁତି ସୁଜୁକିର ବୁକିଂ ଦେଢ଼ ଲକ୍ଷ ଅତିକ୍ରମ କରିଥିବା ବେଳେ ଏହା ଖୁବଶୀଘ୍ର ଦୁଇ ଲକ୍ଷ ଛୁଇଁବ ବୋଲି ଅନୁମାନ କରାଯାଉଛି । ଏହି ନବରାତ୍ରୀର ଶେଷ ଦିନରେ କମ୍ପାନୀ 85 ହଜାର ଗାଡ଼ି ବିକ୍ରି କରିଛି ।
ନବରାତ୍ରୀର ପ୍ରଥମ ଆଠ ଦିନରେ ମାରୁତି ସୁଜୁକି 1 ଲକ୍ଷ 65 ହଜାର ବାହନ ବିକ୍ରି କରିଛି। ନବରାତ୍ରୀର ପ୍ରଥମ ଦିନ କମ୍ପାନୀ ରେକର୍ଡ 30 ହଜାର କାର ବିକ୍ରି କରିଥିଲା ଯାହା ବିଗତ 35 ବର୍ଷ ମଧ୍ୟରେ ଗୋଟିଏ ଦିନରେ ବିକ୍ରି ହୋଇଥିବା ଗାଡ଼ି ସଂଖ୍ୟା ଦୃଷ୍ଟିରୁ ଏକ ରେକର୍ଡ। ଏକ୍ସୟୁଭି 700 ଏବଂ ସ୍କର୍ପିଓ ଏନ୍‌ ଭଳି ଲୋକପ୍ରିୟ ଏସୟୁଭି କାର୍‌ ବିକ୍ରି କରୁଥିବା କମ୍ପାନୀ ମହିନ୍ଦ୍ରା ଏଣ୍ଡ ମହିନ୍ଦ୍ରା ପୂର୍ବବର୍ଷ ତୁଳନାରେ 60% ଅଧିକ ଗାଡ଼ି ବିକ୍ରି କରିଛି । ହ୍ୟୁଣ୍ଡାଇର କ୍ରେଟା ଏବଂ ଭେନ୍ୟୁ ଭଳି ଏସୟୁଭିର ମୋଟ୍‌ ବିକ୍ରିରେ 72% ବୃଦ୍ଧି ଦେଖାଯାଇଛି । ପାର୍ବଣ ଋତୁରେ ଟାଟା ମୋଟର୍ସ 50,000 ଗାଡ଼ି ବିକ୍ରି କରିଛି । ଅଲଟ୍ରୋଜ୍‌, ପଞ୍ଚ, ନେକ୍ସନ ଓ ଟିଆଗୋ ମଡେଲର ଚାହିଦା ଅଧିକ ରହିଛି ।
ସେହିପରି ହିରୋ ମୋଟ୍‌ କର୍ପ ଭଳି ଦୁଇ ଚକିଆ ଯାନ ନିର୍ମାତାଙ୍କ ଗ୍ରାହକଙ୍କ ସଂଖ୍ୟା ମଧ୍ୟ ଦୁଇ ଗୁଣ ବୃଦ୍ଧି ପାଇଛି । ବଜାଜ ଅଟୋ ବିକ୍ରି ମଧ୍ୟ ନବରାତ୍ରୀ ସମୟରେ ବୃଦ୍ଧି ପାଇଛି ।
ଉପଭୋକ୍ତା ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ ଏଲଜି, ହାୟର ଓ ଗୋଦ୍ରେଜ ଭଳି କମ୍ପାନୀର ବିକ୍ରି ନବରାତ୍ରୀ ସମୟରେ ପୂର୍ବବର୍ଷ ତୁଳନାରେ ଦୁଇ ଗୁଣ ବୃଦ୍ଧି ପାଇଛି । ହାୟର କମ୍ପାନୀର ବିକ୍ରି 85% ବୃଦ୍ଧି ପାଇଛି। ଅଢ଼େଇ ଲକ୍ଷ ଟଙ୍କାରୁ ଅଧିକ ଦାମର 85 ଏବଂ 100 ଇଞ୍ଚ ଟିଭି ବିକ୍ରିରେ କମ୍ପାନୀ ଏହାର ଦୀପାବଳି ଷ୍ଟକକୁ ଅତିକ୍ରମ କରିଛି । ଏହି ସମୟ ମଧ୍ୟରେ କମ୍ପାନୀ 300ରୁ350ଟି 65 ଇଞ୍ଚ ଟିଭି ବିକ୍ରି କରିଛି । ଭାରତର ସବୁଠୁ ବଡ଼ ଖୁଚୁରା ବିକ୍ରେତା ରିଲାଏନ୍ସ ରିଟେଲର ବିକ୍ରି ଗତ ବର୍ଷ ନବରାତ୍ରୀ ତୁଳନାରେ 20-25% ବୃଦ୍ଧି ପାଇଛି । ବିଶେଷ କରି ବଡ଼ ସ୍କ୍ରିନ୍‌ ବିଶିଷ୍ଟ ଟିଭି, ସ୍ମାର୍ଟଫୋନ୍‌ ଏବଂ ଫେଶନ୍‌ ସାମଗ୍ରୀ ବିକ୍ରି ବଢ଼ିଛି । ସେହିପରି ଇଲେକ୍ଟ୍ରୋନିକ୍ସ ଖୁଚୁରା ଶୃଙ୍ଖଳ ବିଜୟ ସେଲ୍ସ ବିକ୍ରି ମଧ୍ୟ 20% ବଢ଼ିଛି। ଏଲଜି ଇଲେକ୍ଟ୍ରୋନିକ୍ସ ଇଣ୍ଡିଆର ବିକ୍ରି ମଧ୍ୟ ନବରାତ୍ରୀ ସମୟରେ ଅଭୂତପୂର୍ବ ଭାବେ ବୃଦ୍ଧି ପାଇଛି ।
ଜିଏସଟି ସ୍ଲାବକୁ ଯୁକ୍ତିସଂଗତ କରିବା ସହ ଅତ୍ୟାବଶ୍ୟକ ଓ ଆକାଂକ୍ଷୀ ସାମଗ୍ରୀ ଉପରେ ଟିକସ ବୋଝକୁ କମ କରି, ସରକାର ଆତ୍ମବିଶ୍ୱାସପୂର୍ଣ୍ଣ ଖର୍ଚ୍ଚ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିଛନ୍ତି। ଫଳସ୍ୱରୂପ, ବ୍ରାଣ୍ଡ ଏବଂ ଖୁଚୁରା ବ୍ୟବସାୟୀମାନଙ୍କ ବିକ୍ରି 25% ରୁ 100% ପର୍ଯ୍ୟନ୍ତ ବୃଦ୍ଧି ପାଇଛି । ଏହା ଭାରତର ବ୍ୟବହାର-ପରିଚାଳିତ ଅର୍ଥବ୍ୟବସ୍ଥା ପାଇଁ ଏକ ପ୍ରମୁଖ ପ୍ରୋତ୍ସାହନ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଓଣମ୍, ଦୁର୍ଗା ପୂଜା ଏବଂ ଦଶହରାକୁ ନେଇ ପାର୍ବଣ ଋତୁର ପ୍ରଥମାର୍ଦ୍ଧ ବିକ୍ରି ମୋଟ୍‌ ବିକ୍ରୟର 40-45% ଭାଗ ଅକ୍ତିଆର କରିଥାଏ । ଏହା ହେଉଛି ଦେଶର ସର୍ବବୃହତ ବ୍ୟବହାରିକ ସାମଗ୍ରୀ ବିକ୍ରିର ସମୟ।

Leave a Reply

Your email address will not be published. Required fields are marked *