ଗୋପ ବ୍ଲକ ସ୍ତରୀୟ କଂଗ୍ରେସ କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ
ଗୋପ ବ୍ଲକ ସ୍ତରୀୟ କଂଗ୍ରେସ କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ # ବିଜେଡି ବିଜେପିର ୨୦୦ କର୍ମୀ ଓ ନେତାଙ୍କ କଂଗ୍ରେସରେ ଯୋଗଦାନ, # ଗୁରୁ ମନ୍ତ୍ର ଦେଲେ ପିସିସି ସଭାପତି ଭକ୍ତ ଦାସ, # ନାରୀ ନିର୍ଯାତନା, ଚାଷୀ ଶୋଷଣ ଓ ବେକାରୀ ସମସ୍ୟା ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ଗୋପ – ଗୋପ ବ୍ଲକ ଅନ୍ତର୍ଗତ ସୁତନ ଗ୍ରାମପଞ୍ଚାୟତର ଟିକନା ଖେଳ ପଡିଆ ଠାରେ ଗୋପ ବ୍ଲକ କଂଗ୍ରେସ କମିଟି ପକ୍ଷରୁ ଏକ ବିଶାଳ ବ୍ଲକ ସ୍ତରୀୟ କଂଗ୍ରେସ କର୍ମୀ ସମ୍ମିଳନୀ ଓ ମିଶ୍ରଣ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଗୋପ ବ୍ଲକ କଂଗ୍ରେସ କମିଟି ସଭାପତି ଭାସ୍କର ଚନ୍ଦ୍ର ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଗୋପ ବ୍ଲକ କଂଗ୍ରେସ ସମ୍ମିଳନୀ ଓ ମିଶ୍ରଣ ସମାରୋହରେ ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଚରଣ ଦାସ ଯୋଗଦେଇ ରାଜ୍ୟରେ ନାରୀ ନିର୍ଯାତନା, ଚାଷୀ ଶୋଷଣ, ବେକାରୀ ସମସ୍ୟା ବୃଦ୍ଧି, ଖଣି ଲୁଟ, ୩୦୦ ୟୁନିଟ ବିଦ୍ଯୁତ ଛାଡର ମିଥ୍ଯା ପ୍ରତିଶ୍ରୁତି, ସ୍ମାର୍ଟ ମିଟର ଲଗାଇ ବିଦ୍ଯୁତ ଉପଭୋକ୍ତା ଉପରେ ଆର୍ଥିକ ବୋଝ ଲଦିବା ସମେତ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନାରେ ବ୍ୟାପକ ଦୁର୍ନୀତି ଓ ଅନିୟମିତତା ନେଇ ବିଜେପି ନେତୃତ୍ବାଧୀନ ରାଜ୍ୟ ସରକାରଙ୍କ ଉପରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସ ତୀବ୍ର ସମାଲୋଚନା କରି ବର୍ଷିଥିଲେ। ଦୀର୍ଘ ୧୮ ମାସର ସରକାର ସମୟରେ ନିର୍ବାଚନ ସମୟରେ ଜନସାଧାରଣଙ୍କୁ ଦେଇଥିବା ପ୍ରତିଶ୍ରୁତି ଭୂଲି ଏକଛତ୍ରବାଦୀ ଶାସନ ଚଳାଇବା ଯୋଗୁଁ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡ଼ି ଯାଇଛି ବୋଲି ମତବ୍ୟକ୍ତ କରିଥିଲେ। ତୃଣମୂଳ ସ୍ତରରେ କଂଗ୍ରେସ ପୁନଃ ସୁଦୃଢ ଓ ସଶକ୍ତ ହେଉଥିବା ଆଗାମୀ ୨୦୨୯ ମସିହାରେ ରାଜ୍ୟରେ ଚାଲିଥିବା ଶୋଷଣ, ଏକଛତ୍ରବାଦୀ ଓ ଜନମାରଣ କାରୀ ସରକାରଙ୍କୁ ସମୁଦ୍ରର ଅତଳ ଗର୍ଭରେ ନିକ୍ଷେପ କରି କଂଗ୍ରେସ ନେତୃତ୍ଵାଧୀନ ସରକାର ଗଠନ ପାଇଁ କର୍ମୀ ମାନେ ଏକଜୁଟ ହୋଇ କାର୍ଯ୍ୟ କରିବାକୁ ପିସିସି ସଭାପତି ଭକ୍ତ ଚରଣ ଦାସ କର୍ମୀ ମାନଙ୍କୁ ଗୁରୁ ମନ୍ତ୍ର ଦେଇଥିଲେ। ଏହି ବ୍ଲକ କଂଗ୍ରେସ କର୍ମୀ ସମ୍ମିଳନୀ ଓ ମିଶ୍ରଣ ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପ୍ରସାଦ ହରିଚନ୍ଦନ, ପୁରୀ ଜିଲ୍ଲା କଂଗ୍ରେସ ସଭାପତି ଇଂ ରାଜେଶ ମିଶ୍ର, କାକଟପୁର ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ବିଶ୍ବ ଭୁଷଣ ଦାସ, ପୁରୀ ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ନିରୂପମା ପାତ୍ର, ପୁରୀ ଜିଲ୍ଲା କଂଗ୍ରେସ ପ୍ରଭାରୀ ଶିଳ୍ପିଶ୍ରୀ ହରିଚନ୍ଦନ, କାକଟପୁର ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସ

ସଭାପତି ବିରଂଚି ନାରାୟଣ ପତି, କାକଟପୁର ବ୍ଲକ ପୂର୍ବତନ କଂଗ୍ରେସ ସଭାପତି ଅବଧୂତ ସ୍ବାଇଁ, ବଡତରା କଂଗ୍ରେସ ସରପଞ୍ଚ ବିବେକାନନ୍ଦ ମିଶ୍ର, ଗୋପ ବ୍ଲକ ପ୍ରାକ୍ତନ ସଭାପତି ଲକ୍ଷ୍ମୀଧର ପ୍ରଧାନ, ଗୋପ ବ୍ଲକ ପୂର୍ବତନ ଅଧ୍ୟକ୍ଷ ନୀଳମଣି ପ୍ରଧାନ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ରବିନ୍ଦ୍ର ନାଥ ବେହେରା, ସରପଞ୍ଚ ବିଚିତ୍ରାନନ୍ଦ ପ୍ରଧାନ ଓ ଯୁବନେତା ବିଷ୍ଣୁ ଚରଣ ବେହେରା ପ୍ରମୁଖ ଯୋଗ ଦେଇଥିଲେ। ଏହି କର୍ମୀ ସମ୍ମିଳନୀରେ ଗୋପ ବ୍ଲକ ୩୧ ଗୋଟି ଗ୍ରାମ ପଞ୍ଚାୟତର ବିଜେଡି ଓ ବିଜେପିରୁ ୨୦୦ରୁ ଊର୍ଦ୍ଧ୍ବ କର୍ମୀ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ଉପସ୍ଥିତରେ କଂଗ୍ରେସରେ ଯୋଗ ଦେଇଥିଲେ। ଏହି କର୍ମୀ ସମ୍ମିଳନୀରେ ୨୦୦୦ରୁ ଉର୍ଦ୍ଧ୍ବ କଂଗ୍ରେସ କର୍ମୀ ଓ ପୁରୁଖା ନେତା ମାନେ ଯୋଗଦାନ କରିଥିଲେ। ଏହି ବ୍ଲକ ସ୍ତରୀୟ କଂଗ୍ରେସ କର୍ମୀ ସମ୍ମିଳନୀକୁ କଂଗ୍ରେସ ନେତା ନିରଞ୍ଜନ ଖୁଣ୍ଟିଆ, ବିନାୟକ ସ୍ବାଇଁ, ଦେଶପ୍ରାଣ ଲେଙ୍କା, ମାନସ କୁମାର ସେନାପତି, ଜିତେନ୍ଦ୍ର କୁମାର ସାହୁ ଓ ରମେଶ ଚନ୍ଦ୍ର ବେହେରା ପ୍ରମୁଖ ପରିଚାଳନା କରିଥିଲେ।
