ଗୋପାଳପୁର – ରେଢ଼ାଖୋଲ ରେଳ ୱେ ଲାଇନ ତୁରନ୍ତ ନିର୍ମାଣ କରାଯାଉ – ସହର ତଳି ଅଞ୍ଚଳ କ୍ରିୟାନୁଷ୍ଠାନ କମିଟି।
ବ୍ରହ୍ମପୁର — ସ୍ଵାଧୀନତା ପରବର୍ତ୍ତୀ ସମୟରେ ଓଡ଼ିଶାରେ ବିଶେଷ କରି ଦକ୍ଷିଣ ଓଡିଶାରେ ଭିତ୍ତିଭୂମିର ଏକ ପ୍ରମୁଖ ଅଙ୍ଗ ରେଲ୍ ୱେର ବିକାଶ ଓ ଉନ୍ନତି କରିବା ଲାଗି ଉଭୟ କେନ୍ଦ୍ର ଓ ରାଜ୍ୟରେ ଥିବା ସକ୍ସେଶିଭ ସରକାର ମାନେ ସେ ଯେଉଁ ଦଳର ସରକାର ହେଉନା କାହିଁକି ଯେଉଁ ଧ୍ୟାନ, ଆଗ୍ରହ, ଆନ୍ତରିକତା ଏଵଂ ଇଚ୍ଛାଶକ୍ତି ଦେଖେଇବା କଥା ତାହା ପଦର୍ଶନ କରିବାରେ ଅହେତୁକ ଚରମ ଅବହେଳା ଓ ବୈମାତୃକ ମନୋଭାବ ପୋଷଣ କରି ଆସିଛନ୍ତି। ଫଳସ୍ୱରୁପ୍ ସ୍ବାଧୀନତାର ପଞ୍ଚସ୍ତରୀ ବର୍ଷ ପରେ ମଧ୍ୟ ଦକ୍ଷିଣାଞ୍ଚଳର ଅନେକ ପ୍ରମୁଖ ତଥା ସାମାଜିକ,ସାଂସ୍କୃତିକ , ଅର୍ଥନୈତିକ , ପର୍ଯଟନ ଓ ରାଜନୈତିକ ଦୃଷ୍ଟକୋଣରୁ ଗୁରୁତ୍ତ୍ୱପୂର୍ଣ୍ଣ ସହର ଓ ସେଠାକାର ଅଧିବାସୀଙ୍କ ନିମନ୍ତେ ରେଳ ସୁବିଧା ସ୍ବପ୍ନ ଏବଂ ଅପହଞ୍ଚ ହୋଇ ରହିଛି ଯାହା ଅତ୍ୟନ୍ତ ଲଜ୍ଜ୍ୟାକର ବିଷୟ କହିଲେ ଅତ୍ୟୁକ୍ତି ହେବ ନାହିଁ। ସେଥିମଧ୍ୟରୁ ଗୋପାଳପୁର ରେଢ଼ାଖୋଲ ଭୟା ଫୁଲବାଣୀ ଦେଇ ନିର୍ମାଣ ହେବାକୁ ଥିବା ରେଳ ୱେ ଲାଇନ ଏକ ବହୁ ଉପଯୋଗୀ ପ୍ରକଳ୍ପ ହୋଇଥିଲେ ମଧ୍ୟ ତାହାକୁ ବହୁ ଦିନର ଦାବୀ ପରେ ମଧ୍ୟ ଅଣଦେଖା କରାଯାଇ ଆସୁଛି।

ଓଡିଶାର ଜନଜାତି ଅଧ୍ଯୁଷିତ, ଅନଗ୍ରସର ଓ ପ୍ରାକୃତିକ ଦୃଶ୍ଯରେ ଭରପୂର ଫୁଲବାଣୀ ଅଞ୍ଚଳର ଆର୍ଥିକ ଓ ସାମାଜିକ ଉନ୍ନୟନ ତଥା ଦ୍ରୁତ ବିକାଶ ନିମନ୍ତେ ଗୋପାଳପୁର-ବ୍ରହ୍ମପୁର-ଆସ୍କା- ଭଞ୍ଜନଗର-ଜି.ଉଦୟଗିରି-ଫୁଲବାଣୀ-ବୌଦ-ରେଢାଖୋଲ ରେଲ୍ ୱେ ଲାଇନ୍ ଅତି ଶୀଘ୍ର ନିର୍ମାଣ କରାଇବାର ଆବଶ୍ଯକତା ଅନୁଭୂତ ହେଉଛି।କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଓଡିଶାର ପ୍ରତିନିଧିତ୍ବ କରୁଥିବା ସମ୍ମାନନୀୟ ରେଳ ମନ୍ତ୍ରୀ ଶ୍ରୀ ଅଶ୍ବିନୀ ବୈଷ୍ଣବ, ଓଡିଶାର ସମ୍ମାନନୀୟ ସାଂସଦଗଣ ଓ “ଓଡିଆ ଅସ୍ମିତା” କଥା କହୁଥିବା ଓଡିଶା ସରକାର ଏ ଦିଗରେ ଶୀଘ୍ର ଆବଶ୍ଯକ ପଦକ୍ଷେପ ଗ୍ରହଣ କରିବେ ବୋଲି ସମସ୍ତ ସ୍ବାଭିମାନୀ ଓଡିଆ, ଓଡିଶାପ୍ରେମୀ ଓ ସଚେତନ ଓଡିଶାବାସୀ ଆଶା କରିବା ସହିତ ଦୃଢ ବିଶ୍ବାସ ପୋଷଣ କରନ୍ତି।ଏହା ହିଁ ସମୟର ଆହ୍ବାନ ବୋଲି ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ କୁହାଯାଇଛି। ଏ ନେଇ ଓଡ଼ିଶାରୁ ନିର୍ବାଚିତ ରେଳ ମନ୍ତ୍ରୀ ତୁରନ୍ତ ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ କମିଟି ସଭାପତି ସଞ୍ଜୀବ କୁମାର ପଟ୍ଟନାୟକ ଇମେଲ୍ ଜରିଆରେ ନିବେଦନ କରିଛନ୍ତି।ସଞ୍ଜୀବ କୁମାର ପଟ୍ଟନାୟକ, ସଭାପତି, ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟି, ବ୍ରହ୍ମପୁର l
