ଗୋପବନ୍ଧୁଙ୍କ ଜିଲ୍ଲାସ୍ତରୀୟ ୧୪୪ତମ ଜୟନ୍ତୀ ପାଳିତ
ପୁରୀ- ତା. ୦୯.୧୦.୨୦୨୧– ଉତ୍କଳମଣି ପଣ୍ତିତ ଗୋପବନ୍ଧୁ ଦାସଙ୍କ ଜିଲ୍ଲାସ୍ତରୀୟ ୧୪୪ତମ ଜୟନ୍ତୀ ଆଜି ପାଳିତ ହୋଇଛି । ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ ମୁଖ୍ୟ ଅତିଥି ଓ ଉପ ଜିଲ୍ଲାପାଳ ଶ୍ରୀ ଭବତାରଣ ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସିଂହଦ୍ବାରସ୍ଥିତ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଗୋପବନ୍ଧୁଙ୍କ ସ୍ମୃତି ଚାରଣ କରିଥିଲେ । ଗୋପବନ୍ଧୁଙ୍କ ତ୍ୟାଗ ଓ ବଳିଦାନର ପଟାନ୍ତର ନାହିଁ । ତାଙ୍କର ନିଷ୍ଠା ଓ ସେବା ନିମନ୍ତେ ଉତ୍କଳମଣି ଉତ୍କଳବାସୀଙ୍କ ପାଇଁ ପ୍ରାତଃ ସ୍ମରଣୀୟ ରହିବେ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଉତ୍କଳମଣି ଗୋପବନ୍ଧୁ ସ୍ମୃତି ସଂସଦର ଶ୍ରୀ ଶରତ ଜୟସିଂ, ଶ୍ରୀ ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ, ଶ୍ରୀ ସୌମେନ୍ଦ୍ର ଦାସ, ଶ୍ରୀ ଗୋବିନ୍ଦ ଚନ୍ଦ୍ର ମହାନ୍ତି, ଶ୍ରୀ ଉମାବଲ୍ଲଭ ମହାପାତ୍ର, ଶ୍ରୀ ଶିବ ପ୍ରସାଦ ମିଶ୍ର ପ୍ରମୁଖ ଯୋଗଦେଇ ମାଲ୍ୟାର୍ପଣ କରିଥିଲେ ।ଏହି ଅବସରରେ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ନିକଟରେ କରୋନା ଯୋଦ୍ଧା ସାମ୍ବାଦିକ ସ୍ବର୍ଗତ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଧର୍ମପତ୍ନୀ ପ୍ରିୟବାସିନୀ କରଙ୍କୁ ରାଜ୍ୟ ସରକାରଙ୍କ ସହାୟତାମୂଳକ ରାଶି ୧୫ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା । ପରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ବ) ଶ୍ରୀ ସୁଭାଷ ଚନ୍ଦ୍ର ନାଥଶର୍ମା ସାକ୍ଷୀଗୋପାଳ ବସଷ୍ଟାଣ୍ତ ସ୍ଥିତ ପଞ୍ଚସଖା ପୀଠ, ବକୁଳବନ, ସମାଧିପୀଠ, ସତ୍ୟବାଦୀ ହାଇସ୍କୁଲ ଓ ସୁଆଣ୍ତୋସ୍ଥିତ ଗୋପବନ୍ଧୁଙ୍କ ଷଠିଘର ଥିବା ପ୍ରତିପୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ଏଥିସହ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନାଥଶର୍ମା ଗୋପବନ୍ଧୁଙ୍କ ଐତିହ୍ୟ ଗ୍ରାମ ନିର୍ମାଣ କାର୍ଯ୍ୟ ବୁଲି ଦେଖି ବିଭିନ୍ନ ପ୍ରସଙ୍ଗ ଉପରେ ତାଙ୍କ ପରିବାର ସହ ଆଲୋଚନା କରିଥିଲେ ।ଏହି ଅବସରରେ ସତ୍ୟବାଦୀ ମଣ୍ତଳ ଉନ୍ନୟନ ଅଧିକାରୀ ଶ୍ରୀ କ୍ଷୀରୋଦ କୁମାର ବେହେରା, ଗୋପବନ୍ଧୁଙ୍କ ଅଣନାତି ଶ୍ରୀ ଧିରେନ୍ଦ୍ର ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।
