ରଜ ସଂକ୍ରାନ୍ତିରେ ଗୋରେଖନାଥ ପୀଠ ଭକ୍ତମୟ

ରଜ ସଂକ୍ରାନ୍ତିରେ ଗୋରେଖନାଥ ପୀଠ ଭକ୍ତମୟ।
ରଘୁନାଥପୁର:- ପବିତ୍ର ରଜ ସଂକ୍ରାନ୍ତିରେ ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ କେରେକେରା ସ୍ଥିତ ପ୍ରସିଦ୍ଧ ବିଭୂତି କ୍ଷେତ୍ର ପ୍ରଭୁ ଗୋରେଖନାଥ ପୀଠରେ ପ୍ରବଳ ଜନଗହଳି ପରିଲକ୍ଷିତ ହୋଇଥିଲା।ପ୍ରତ୍ୟୁଷରୁ ପ୍ରଭୁଙ୍କୁ ଚିତା ଲାଗି କରାଯାଇ ଭବ୍ୟ ନୀତିକାନ୍ତି ସମାପନ ପରେ ପୀଠ ମଧ୍ୟକୁ ଭକ୍ତଙ୍କ ଆଗମନ ହୋଇଥିଲା।ଏହା କ୍ରମଶଃ ବୃଦ୍ଧି ପାଇବାରେ ଲାଗିଥିଲା। ବିଭିନ୍ନ ପାର୍ଶ୍ଵରୁ ପୀଠକୁ ଆସିବାକୁ ଥିବା ରାସ୍ତାରେ ଶତାଧିକ ସଂଖ୍ୟାରେ ଅଟୋ, କାର ଓ ବାଇକ ଟ୍ରାଫିକ ଜାମରେ ଘଣ୍ଟା ଘଣ୍ଟା ଫସି ରହିଥିଲା।ତିର୍ତ୍ତୋଲ ପୋଲିସ ପକ୍ଷରୁ ବ୍ୟାପକ ପୋଲିସ ବ୍ୟବସ୍ଥା ନଥିବାରୁ ପ୍ରବଳ ଗୁଳୁଗୁଳିରେ ରାସ୍ତା ଉପରେ ଯାତ୍ରୀମାନେ ଅସହାୟ ଅବସ୍ଥାରେ ଅଟକି ରହିଥିଲେ। ଏପରିକି ପାଦରେ ଚାଲି ଚାଲି ଆସୁଥିବା ଲୋକେ ମଧ୍ଯ ଅସୁବିଧାରେ ସମ୍ମୁଖିନ ହୋଇଥିଲେ। ବହୁ ସଂଖ୍ୟାରେ ଯାତ୍ରୀ ସମାଗମକୁ ଦୃଷ୍ଟିରେ ରଖି ପୀଠ ପକ୍ଷରୁ ପର୍ଯ୍ୟାପ୍ତ ପାନୀୟଜଳ ବ୍ୟବସ୍ଥା କରାଯାଇଥିଲା।ସେହିପରି ପୀଠରେ ରଘୁନାଥପୁର ଅତିରିକ୍ତ ତହସିଲଦାର ତପନ କୁମାର ପରିଡା ମାଜିଷ୍ଟ୍ରେଟ ଦାୟୀତ୍ୱରେ ରହିଥିଲେ।ପୀଠ ଚତୁର୍ପାର୍ଶ୍ୱ ରସ୍ତାକୁ ସ୍ଥାନୀୟ ବ୍ୟବସାୟୀମାନେ ବେପାର ଉଦ୍ଦେଶ୍ୟରେ ଅବରୋଧ କରି ରଖିଥିବାରୁ ଯାତାୟାତ ପାଇଁ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ।ଦିନତମାମ ପୀଠ ମଧ୍ୟରେ ଭଜନ କୀର୍ତ୍ତନ ଲାଗି ରହିଥିଲା।ଯାତ୍ରୀମାନଙ୍କ ପାଇଁ ଧାଡି ଦର୍ଶନ ବ୍ୟବସ୍ଥା କରାଯାଇଥିଲା। ଆଗଭଳି ଏଠାରେ ପ୍ରସାଦ ସେବନର ବ୍ୟବସ୍ଥା ନଥିବାରୁ ଦୂରଦୂରାନ୍ତରୁ ଆସିଥିବା ଯାତ୍ରୀମାନେ ଅସୋନ୍ତୋଷ ପ୍ରକାଶ କରି ଫେରିଯାଉଥିଲେ।ପୀଠ କିରାଣୀ ସରୋଜ କୁମାର ସାହାଣୀ, ଉପଦେଷ୍ଟା କମିଟି ସଦସ୍ୟ ବିଜୟ ସ୍ବାଇଁ ଙ୍କ ସହ ସମସ୍ତ କର୍ମଚାରୀମାନେ ଉପସ୍ଥିତ ରହି ସେବା ଯୋଗାଇ ଦେଇଥିଲେ।

Leave a Reply

Your email address will not be published. Required fields are marked *