ସରକାରୀ ବାସଗୃହ ଗୁଡିକର ସୁରକ୍ଷା ପ୍ରତିଆଖିବୁଜି ଦେଇଛି ପ୍ରଶାସନ
ସରକାରୀ ବାସଗୃହ ଗୁଡିକର ସୁରକ୍ଷା ପ୍ରତି
ଆଖିବୁଜି ଦେଇଛି ପ୍ରଶାସନ
ଗଣିଆ – ବିଭିନ୍ନ ସ୍ଥାନରେ ସରକାରୀ କର୍ମଚାରୀମାନଙ୍କ ରହିବା ନିମନ୍ତେ ବାସଗୃହ ଗୁଡିକ ନିର୍ମାଣ କରାଯାଇଥିଲା।ତେବେ ରକ୍ଷଣାବେକ୍ଷଣ ଅଭାବରୁ ସମୟାନୁକ୍ରମେ ବାସଗୃହ ଗୁଡିକ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ଦଣ୍ଡାୟମାନ। କେଉଁଠି ବାସଗୃହ ଗୁଡିକ ଭାଙ୍ଗିଯାଇ ମାଟିରେ ମିଶିଲାଣି ତ ପୁଣି କେଉଁଠି ବାସଗୃହ ମଧ୍ଯରେ ଅନାବନା ଗଛଲତା ଉଠି ତାହା ବିଷଧର ସରୀସୃପଙ୍କ ନିମନ୍ତେ ନିରାପଦ ଆଶ୍ରୟସ୍ଥଳ ପାଲଟିଲାଣି । ଗଣିଆ ବ୍ଲକ କାର୍ଯ୍ଯାଳୟ ପରିସରରେ ପରିତ୍ୟକ୍ତ ଅବସ୍ଥାରେ ପଡି ରହିଥିବା ବାସଗୃହ ଗୁଡିକର ପୁନରୁଦ୍ଧାର ଦିଗରେ ବ୍ଲକ ପ୍ରଶାସନ ଦୃଷ୍ଟି ଦେଉନଥିବା ବେଳେ ବ୍ଲକରେ କାର୍ଯ୍ଯରତ କର୍ମଚାରୀମାନେ ସରକାରୀ ବାସଗୃହ ଅଭାବରୁ ବାଧ୍ଯ ହୋଇ ବାହାରେ ଘରଭଡା ନେଇ ରହୁଛନ୍ତି। ସେହିପରି ତହସିଲ ପ୍ରଶାସନ,ଶିକ୍ଷା ବିଭାଗ,ସ୍ବାସ୍ଥ୍ୟ ବିଭାଗ ,ଜନସ୍ବାସ୍ଥ୍ୟ ବିଭାଗ,ପୂର୍ତ୍ତବିଭାଗ,ବନବିଭାଗ ,ପୋଲିସ ବିଭାଗ,କ୍ଷୁଦ୍ର ଜଳସେଚନ ବିଭାଗ ସମେତ ଅନ୍ଯ ବିଭାଗ ଗୁଡିକରେ କାର୍ଯ୍ଯରତ କର୍ମଚାରୀଙ୍କ ରହିବା ନିମନ୍ତେ ଦୀର୍ଘ ବର୍ଷ ତଳୁ ଏକାଧିକ ସରକାରୀ ବାସଗୃହ ନିର୍ମାଣ କରାଯାଇଥିଲା। ଏବେ ସେହି ବାସଗୃହ ଗୁଡିକ କର୍ମଚାରୀମାନଙ୍କ ସେବାରେ ଲାଗୁନଥିବା ବେଳେ ଏହାର ସୁଯୋଗ ନେଇ ଅସାମାଜିକ ବ୍ୟକ୍ତିମାନେ ବାସଗୃହ ଗୁଡିକରୁ କବାଟ,ଝରକା,ଲୁହାଗ୍ରିଲ, ଚଉକାଠ,ଟିଣ ଓ ଆଜବେଷ୍ଟସ ଆଦି ମୂଲ୍ଯବାନ ସାମଗ୍ରୀ ଗୁଡିକ ଚୋରୀ କରି ନେଉଥିବା ଅଭିଯୋଗ ହେଉଛି। ତେଣୁ ସରକାରୀ ବାସଗୃହ ଗୁଡିକର ପୁନରୁଦ୍ଧାର ଦିଗରେ ସ୍ଥାନୀୟ ପ୍ରଶାସନ ଓ ବିଭିନ୍ନ ବିଭାଗର ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବି ହେଉଛି । ଗଣିଆ ରୁ ଜ୍ଞାନୀ ପ୍ରକାଶ ସେନାପତିଙ୍କ ରିପୋର୍ଟ
