କୃତଜ୍ଞତା
କୃତଜ୍ଞତା
🖊️କବିରତ୍ନ ନୂତନ କୁମାର ବେହେରା
ପାଇଲେ କାହା’ଠାରୁ ଅନାବିଳ ଭଲ ପାଇବା
ଅନୁରକ୍ତିରେ ଭରି ଯାଏ କୋମଳ ହୃଦୟ
ସ୍ଵତଃ ପ୍ରବୃତ୍ତ ଭାବେ ଅନ୍ତରରୁ ଝରେ ଶ୍ରଦ୍ଧା
ନମ୍ରତାରେ କରି ତାଙ୍କର ଆନୁଗତ୍ୟ ସ୍ଵୀକାର
ସୌଜନ୍ୟ ପୂର୍ବକ ଜଣେ ଅଜାଡ଼ି ଦିଏ କୃତଜ୍ଞତା
କୃତି ଠାରୁ କୃତିତ୍ୱକୁ ରଖିବା ପାଇଁ ଅକ୍ଷୁଣ୍ଣ
ହୋଇଥାଏ ଜଣେ ବ୍ରତୀ ପାଇ ଉଚିତ ପ୍ରେରଣା
ଜୀବନ ଏକ ପ୍ରବାହିତ ନଦୀର ସ୍ରୋତ
ମହାନ ବ୍ୟକ୍ତିଙ୍କ ଆଦର୍ଶରେ ହୁଏ ଅନୁପ୍ରାଣୀତ
ଏ ତ ମଣିଷର ଏକ ସହଜାତ ଦିବ୍ୟ ଗୁଣ
ପ୍ରତିଭା ପ୍ରକାଶି… ପ୍ରତିଷ୍ଠିତ ହେବାର ଲକ୍ଷ୍ୟ
ସତ୍ୟର ପଥରରେ ହୋଇ ଅକ୍ଳାନ୍ତ ପଥିକ
ନିରବଚ୍ଛିନ୍ନ ସାଧନାରେ ରହେ ହେବାକୁ ସିଦ୍ଧ
ତାର ସ୍ଵଚ୍ଛ ଅନୁଭବ ହୁଏ ଯେତେ ଯେତେ
କୃତଜ୍ଞତା ଢାଳୁଥାଏ ସିଏ ହୋଇ ନିଃସ୍ଵାର୍ଥପର
ଜଣେ ପାଇ ଯଥେଷ୍ଟ ସାହାଯ୍ୟ ସହଯୋଗ
ହୁଏ ଯଦି କୃତଘ୍ନ…ତା’ ମହତ ଗୁଣ ହୁଏ ଅବକ୍ଷୟ
ଅଦୃଷ୍ଟ ନୀରବ ଭାବନାରେ ଆସେ ମନକୁ ଗ୍ଳାନି
ଶାନ୍ତି ସନ୍ତୋଷ ତୃପ୍ତି ପାଇବାରୁ ହୁଏ ବଞ୍ଚିତ
ହୁଏ ସେ ଆତ୍ମଦ୍ରୋହୀ…ଅବଜ୍ଞା କରେ ପରମଙ୍କୁ
ଅଜ୍ଞାନରେ କରେ ସେ ବହୁତ ଅବାଞ୍ଛିତ କାର୍ଯ୍ୟ
ରହେ ଯିଏ ଚିର କୃତଜ୍ଞ… ଗଢ଼େ ଅମ୍ଳାନ ଚରିତ୍ର
କୃତଜ୍ଞତା ଜଣାଇବାକୁ କରେ ନିଷ୍ଠାର ଉପଚାର
ପ୍ରାରବ୍ଧ ଖଣ୍ଡନେ ମହାପ୍ରଭୁ ଦିଅନ୍ତି ଆଶୀର୍ବାଦ
ମୋକ୍ଷ ପ୍ରାପ୍ତି ଦିଗେ ହୋଇଥାଏ ସେ ସଂକଳ୍ପବଦ୍ଧ
ମହତ ଦାନର ପ୍ରତିଦାନ ଦେବା ହିଁ କୃତଜ୍ଞତା।
ପ୍ରତିଷ୍ଠାତା ଓ ମୁଖ୍ୟସମ୍ପାଦକ,
ନବସୃଜନ ଇ-ପତ୍ରିକା
କୋହି,ବାରିପଦା,ମୟୂରଭଞ୍ଜ,
