ଗୁରୁ ପୂର୍ଣ୍ଣିମା

               ଗୁରୁ ପୂର୍ଣ୍ଣିମା

   ✍️କବିରତ୍ନ ନୂତନ କୁମାର ବେହେରା

ହେ ବ୍ୟାସ ! ଗୁରୁ ଶ୍ରେଷ୍ଠ ମହାତ୍ମା
ସିଦ୍ଧ  ପୁରୁଷ  ଅମର   ଆତ୍ମା,
ପବିତ୍ର     ଆଷାଢ଼ର  ପୂର୍ଣ୍ଣିମା
ତବ ଜନ୍ମତିଥି  ନାମେ   ନାମା।
             ବିଶ୍ଵେ   ହୋଇ  ଯୋଗଜନ୍ମା
             ପ୍ରକାଶିଛ   ଅଶେଷ  ମହିମା,
             ତବ  ଜ୍ଞାନର  ଗୁଣ  ଗାରିମା
             ପାଳନ୍ତି ଆର୍ଯ୍ୟେ ତାର ମହିମା।
ଦିବ୍ୟଦୃଷ୍ଟି   ତବ  ଆଶାତୀତ
ରଚ଼ିଲ   ମହାକାବ୍ୟା  ଅମୃତ,
ଅନନ୍ୟ  ରୂପେ   ମହାଭାରତ
ସଂସାରରେ  ଅଦ୍ବିତୀୟ କୃତ୍ୟ।
              କଥାବସ୍ତୁ  ତା’  ଜାଜ୍ଜଲ୍ୟମାନ
              ଯୁଗେ  ଯୁଗେ ରହିଛି ଅମ୍ଳାନ,
              ମାନବେ   ଦିଏ   ଦିଗଦର୍ଶନ
              ଗଢିବାକୁ   ଉତ୍ତମ  ଜୀବନ।
ଗୁରୁ ପଦେ ତୁମେ ମହାଋଷି
ସମାଜ ସଂସ୍କାରେ ଦିବ୍ୟଦର୍ଶୀ,
ଅନନ୍ତ ଜ୍ଞାନେ ସତ୍ୟ ପ୍ରକାଶି
ସୂର୍ଯ୍ୟ ସମ ଦିଏ ଜ୍ୟୋତିରାଶି।
           ଗୁରୁ ବିନା  ମିଳେ ନାହିଁ ଜ୍ଞାନ
           ଗୁରୁ  ଚିର  ତ୍ରିଦେବ  ସମାନ,
           ଗୁରୁ  ସ୍ଵୟଂ  ସତ୍ୟ  ସନାତନ
           ଗୁରୁ ଆଶିଷେ  ଜୀବନ ଧନ୍ୟ।
ହେ ବ୍ୟାସ ! ତୁମେ ଆମ ଆଦର୍ଶ
ତୁମେ  ତ  ସଫଳତାର  ଶୀର୍ଷ,
ତବ   ଆଶ୍ରିତେ  ମିଳଇ  ହର୍ଷ
ଜୀବନ  ହୁଅଇ   ଯେ  ଉତ୍କର୍ଷ।
            ଗୁରୁ    ପରଂବ୍ରହ୍ମ  ଅବିନାଶୀ
             ଅନ୍ତରାତ୍ମାରେ   ଅଛନ୍ତି   ବସି,
             ଜାଗ୍ରତେ  ଜ୍ଞାନ ଆସେ ପ୍ରକାଶି
             ଚେତନା  ଶକ୍ତି  ଉଠେ ବିକଶି।
ଗୁରୁ ପୂର୍ଣ୍ଣିମାରେ  କରେ  ସ୍ତୁତି
ପ୍ରଣାମ  ଘେନ  ହେ ମହାମତି,
ସଭିଙ୍କୁ ଦିଅ  ଜ୍ଞାନର  ଜ୍ୟୋତି
ଜଗତେ  ପ୍ରାଣୀ  ପାଉ ମୁକତି।
       
         କୋହି,ବାରିପଦା,ମୟୂରଭଞ୍ଜ,
ଦୂରଭାଷା — ୮୦୧୮୩୫୩୩୨୨

Leave a Reply

Your email address will not be published. Required fields are marked *