ହେ ସଖା ଶ୍ରୀକୃଷ୍ଣ ! ମୋ ସାରଥୀ

    ହେ ସଖା ଶ୍ରୀକୃଷ୍ଣ ! ମୋ ସାରଥୀ
                     (୨)
  🖊କବିରତ୍ନ ନୂତନ କୁମାର ବେହେରା

ଶୁଣି ସଖା ଅର୍ଜୁନଙ୍କ ଦ୍ବନ୍ଦ୍ବାତ୍ମକ ପ୍ରଶ୍ନ
ସ୍ମିତ ହାସ୍ୟେ ଶ୍ରୀକୃଷ୍ଣ ଦେଲେ ଉତ୍ତର…
ହେ ପାର୍ଥ ! ଶ୍ରେଷ୍ଠ ବୀର ଧନୁର୍ଦ୍ଧର
ସବୁ ତ ଜାଣିଛ ତୁମେ,
ପୁଣି କେଉଁ ଶଙ୍କା ସନ୍ଦେହରେ
ଏ ପ୍ରଶ୍ନ ପଚାରିଲ ମୋତେ…
ତଥାପି କହୁଛି ଶୁଣ ହେ ବୀର ଅର୍ଜୁନ
ସତ୍ୟ ହିଁ ପରମ ଧର୍ମ ଏ ଧରାଧାମେ।
ତୁମେ ଏକ ପୁଣ୍ୟ ପବିତ୍ର ଆତ୍ମା
ଦିବ୍ୟ ଆଲୋକର ଅଖଣ୍ଡ ଜ୍ୟୋତି
ସ୍ବଚ୍ଛ ନିର୍ମଳ ତୁମର ହୃଦୟ
ଅସମ୍ଭବ ବି ତୁମ ଦ୍ବାରା ହୁଏ ସମ୍ଭବ,
ଏ ଭବ ସଂସାରରେ ଶରୀର ନେଇ
ଜନ୍ମ ହୁଅନ୍ତି ଅସଂଖ୍ୟ ପ୍ରାଣୀ
ମଣିଷ ଶ୍ରେଷ୍ଠ ପ୍ରାଣୀ ସବୁରି ମଧ୍ୟେ
ସ୍ବତନ୍ତ୍ର ବିଚାରରେ ହୁଏ ଧନ୍ୟ
ସତ୍ୟଜ୍ଞାନ ହିଁ ତାର ପ୍ରକୃତ ବିଭବ।
ବନ୍ଧନଗ୍ରସ୍ତ ଆତ୍ମା ଏକ ହୋଇ
ମଳିନକାଞ୍ଚନ ସମ ହୁଏ ତେଜହୀନ
ବୁଝେନା ନିଜ ଜୀବନର ମୂଲ୍ୟ,
ସତ୍ କର୍ମରେ ଆତ୍ମସଂସ୍କାର ବିନା
କରୁଥାଏ ସେ ଅପକର୍ମମାନ
ପାର୍ଥିବ ଲାଳସାକୁ ଭାବେ ସୁଖ ବୋଲି
ଜୀବନ କାଟେ ଇତର ତୁଲ୍ୟ।
କଠିନ ଶିଳାସ୍ତର ଯେସନେ
ସଲିଳ ଭେଦି ହୁଏନା କୋମଳ
ସେଇ ପ୍ରାୟେ ଥାଏ ରୁକ୍ଷ କଠିନ
ନାସ୍ତିକର ହୃଦୟ ଥାଏ ସେ ପ୍ରକାର,
ଜ୍ଞାନ ଗାରିମାର ଅମୃତବାଣୀ
ତା ଅନ୍ତରକୁ ପାରେ ନାହିଁ ଭେଦି
ଜନ୍ମ ମୃତ୍ଯୁର ଚକ୍ରରେ ହେଉଥାଏ ଘାଣ୍ଟି
ଅଜ୍ଞାନ ବଶତଃ ଜନ୍ମେ ବାରମ୍ବାର।
ନ ପାଇବା ଯାଏଁ ଆତ୍ମଜ୍ଞାନ ବ୍ରହ୍ମଜ୍ଞାନ
ସଂସାରର ଭୋଗେ କ୍ଳେଶ ଯାତନା କଷଣ
ତା’ ମନର ମଳିନତା ହୁଏ ନାହିଁ ଊଣା
ଯେବେ କରୁଥାଏ ଧ୍ୟାନ ଧାରଣା
ଏକାଗ୍ର ଚିତ୍ତରେ ନିଷ୍ଠା ପାଳି
କିଞ୍ଚିତ ମିଳିଥାଏ ତାକୁ ଜ୍ଞାନର ଶକ୍ତି,
ସେ କ୍ରମର ଧାରା ରଖି ଅବ୍ୟାହତ
କରୁଥିଲେ ଜୀବନ ନିର୍ବାହ
ଜନ୍ମାନ୍ତରେ ହୁଏ ତାର ସଂସ୍କାର
ପାଏ ସେ ମୋକ୍ଷ ହୁଏ ତାର ମୁକ୍ତି।

     କୋହି,ବାରିପଦା,ମୟୂରଭଞ୍ଜ,
ଦୂରଭାଷା — ୮୦୧୮୩୫୩୩୨୨

Leave a Reply

Your email address will not be published. Required fields are marked *