ଝୁଲରେ ନିତାଇ ଝୁଲ
ଶୀର୍ଷକ _ଝୁଲରେ ନିତାଇ ଝୁଲ
ରୀତାରାଣୀ ଦାଶ
ବାଲେଶ୍ୱର
ମୁହୂର୍ତ୍ତର ଏକ ବିରତିର ପରେ
ଜୀବନ ହୁଏ ସ୍ଥଗିତ
ଅକୁହା କାହାଣୀ ପ୍ରଶଂସାର ସହ
ହୃଦୟ ସହ ଜଡିତ |
ଯାତ୍ରା ଗଲେ ସରି ପଛେ ଦେଇ ଛାଡି
ଅଭିନୟ ଓ ପୋଷାକ
ଖାଲି ସ୍ଥାନେ ଅବା ପିଙ୍ଗି ଦେଇ ତାକୁ
ବିନା ଯତ୍ନେ ବାକି ତକ |
ପ୍ରେମମୟ ଏଇ ଜୀବନର ସ୍ମୃତି
ଝୁଲି ରହିଛି ଫାଙ୍କାରେ
ପ୍ରତି ମୁହୂର୍ତ୍ତରେ ସଂଘର୍ଷରେ ଲଢ଼ି
ଝୁଲୁ ଅଛି ସପନରେ |
ଗୋପନର ବାର୍ତ୍ତା ଧୀରେ ଧୀରେ ଆସେ
ପବନରେ ଝୁଲି ଝୁଲି
ପ୍ରୀତିର ପସରା ଅସରନ୍ତି ପରା
ସପନକୁ ଦିଏ ଜାଳି |
ଅତୀତ ସ୍ମାରକ ଝୋଲାରେ ଝୁଲୁଛି
ଅବା ଟଙ୍ଗା ହୋଇଅଛି
ପ୍ରିୟ ଜୀବନର ଆନନ୍ଦ ଭୟର
କାହାଣୀ ସେ ତ ସାଜିଛି |
ସ୍ମୃତି ଖଣ୍ଡ ଖଣ୍ଡ ସମୟ ଜଣାଏ
ଧୂଳି ଧୂସରିତ ଝୋଲା
ତଥାପି ନୀରବ ଗୁଣୁ ଗୁଣୁ ଶବ୍ଦେ
ଯେ ଜୀବନ ଝୁଲୁଥିଲା |
