ନବବର୍ଷର ବନ୍ଧୁ ମିଳନ
ଗଞ୍ଜାମ ଜିଲ୍ଲା ବୁଗୁଡା ସହରରେ ପ୍ରତିଷ୍ଠିତ ହୋଇଥିବା ଏକ କଳା,ସାହିତ୍ୟ ଓ ସଂସ୍କୃତିର ଅନନ୍ୟ ପ୍ରତିଷ୍ଠାନ ମଦନମୋହନ ପାଠାଗାର ଓ ସାହିତ୍ୟ ସଂସଦ ପକ୍ଷରୁ ଭାମଶ୍ୟାଳି ଗ୍ରାମର ଶ୍ରୀରାଧାକୃଷ୍ଣ ମନ୍ଦିର ପରିସରରେ ନବବର୍ଷର ବନ୍ଧୁ ମିଳନ ହୋଇଯାଇଛି । ଏହି ଅବସରରେ ସଂସଦର ସଭାପତି ହର ପ୍ରସାଦ ଦାଶଙ୍କ ଅଧ୍ୟକ୍ଷତାରେ ପ୍ରଧାନ ଶିକ୍ଷକ ତଥା ସୁସାହିତ୍ୟିକ ଡ ବିଜୟଚନ୍ଦ୍ର ମହାରଣା ଏବଂ ସ୍ବତନ୍ତ୍ର ଅତିଥି ଭାବେ ଗୌରହରି ବିଷୋୟୀ ଅଂଶଗ୍ରହଣ କରିଥିଲେ । ସର୍ବପ୍ରଥମେ ସଂସଦର ପ୍ରତିଷ୍ଠାତା ତଥା ସମ୍ପାଦକ ତ୍ରିଲୋଚନ ପଣ୍ଡା ନବବର୍ଷର ଅଭିନନ୍ଦନ ଜଣାଇବା ସହ ଅତିଥି ପରିଚୟ ପ୍ରଦାନ ଓ ସ୍ବାଗତ ଭାଷଣ ଦେଇଥିଲେ । ଅତିଥିମାନଙ୍କ ଦ୍ବାରା ଜଗତର ନାଥ ଶ୍ରୀଜଗନ୍ନାଥ ଓ ପିତା ମଦନମୋହନ ପଣ୍ଡା ଓ ମାତା ଲାବାଣ୍ୟବତୀ ପଣ୍ଡାଙ୍କ ଫୋଟଚିତ୍ରରେ ମାଲ୍ୟାର୍ପଣ ସହ ପ୍ରଦୀପ ପ୍ରଜ୍ଜଳନ କରିଥିବା ବେଳେ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ ବସନ୍ତ ବିଷୋୟୀ । ବିଗତ ୨୦୨୧ ମସିହାରେ ବିୟୋଗ ଘଟିଥିବା ସମସ୍ତଙ୍କ ପାଇଁ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ତାପରେ “ପିତାମାତାଙ୍କୁ ନେଇ ସନ୍ତାନର କର୍ତ୍ତବ୍ୟ” ଶୀର୍ଷକ ଆଲୋଚନା ହୋଇଥିଲା ଏବଂ “ଆମ କ୍ୟାଲେଣ୍ଡର” ଉନ୍ମୋଚନ,ସମ୍ବର୍ଦ୍ଧନା ଓ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠାନ ପକ୍ଷରୁ ଯୋଗଗୁରୁ ତଥା ପରିବେଶବିତ୍ ଗୌରହରି ବିଷୋୟୀ,ସମାଜସେବୀ ଧୋବା ସାହୁ ଏବଂ ଗୋଲକ ବିହାରୀ ସେନାପତିଙ୍କୁ ଉପଢୌକନ ସହ ସମ୍ବର୍ଦ୍ଧିତ ପତ୍ର ପ୍ରଦାନ କରାଯାଇଥିଲା । ପରିଶେଷରେ ପ୍ରଭୁ ରାଧେକୃଷ୍ଣଙ୍କ ପ୍ରସାଦ ସେବନ କରିଥିଲେ । ଏହି କାର୍ଯ୍ୟକ୍ରମରେ ପୂଜକ ଶ୍ରୀନିବାସ ମହାପାତ୍ର,ପଦ୍ମଚରଣ ପ୍ରଧାନ,ଦିଗାମ୍ବର ମହାରଣା,ବି ଗୋପାଳ ପାତ୍ର,କେଦାର ନାଥ ଦାଶ ଓ ଶ୍ରୀଧର ମିଶ୍ର ପ୍ରମୁଖ ସୁପରିଚାଳନା କରିଥିଲେ ।
ରିପୋର୍ଟ-ଗଞ୍ଜାମ ଜିଲ୍ଲା ବୁଗୁଡାରୁ ତ୍ରିଲୋଚନ ପଣ୍ଡା
