ଆନ୍ତର୍ଜାତୀୟ ମହିଳା ଦିବସ

ଆନ୍ତର୍ଜାତୀୟ ମହିଳା ଦିବସ
ଡ. ପ୍ରେମାନନ୍ଦ ବେହେରା

ସୃଷ୍ଟିର ପ୍ରଥମ ଅରୁଣୋଦୟରେ
ତୁମେ ହସିଥିଲ ଜଗତର ପ୍ରଥମ ହସ
ଧରାର ମାଟି ଯେବେ ନୀରବ ଥିଲା
ତୁମେ ଲେଖିଥିଲ
ଜୀବନର ପ୍ରଥମ ଅନୁଭବର ଅକ୍ଷର ।।

ତୁମେ ମା’, ମମତାର ଅସୀମ ସାଗର
ତୁମେ ଭଉଣୀ, ସ୍ନେହର ସୁଗନ୍ଧିତ ପବନ
ତୁମେ ସହଧର୍ମିଣୀ, ଜୀବନ ଯାତ୍ରାର
ସୁକୁମାର ଦୀପଶିଖା ଓ ଦୃଢ଼ ପ୍ରେରଣା ।।

ତୁମ ନୟନରେ ଥାଏ ସହସ୍ର ସ୍ୱପ୍ନ
ତୁମ ହୃଦୟରେ ଅସୀମ ଧୈର୍ଯ୍ୟର ନଦୀ
ବିପଦ ଯେବେ ଆସେ
ତୁମେ ହୁଅ ପାହାଡ଼ ସମ ଅଦମ୍ୟ
ତୁମ ପଦଚିହ୍ନରେ ଖୋଜେ ସମାଜ
ନୂତନ ଆଲୋକର ପଥ
ତୁମ ହସରେ ମହକିଯାଏ
ପୃଥିବୀର ସମସ୍ତ କ୍ଲାନ୍ତ ଅନୁଭବ ।।

ଯେତେ ଅନ୍ୟାୟ ଝଡ଼ ବହିଯାଉ
ତୁମ ସାହସ ହୁଏ ଅମର ବୃକ୍ଷ
ନିରାଶାର ଅନ୍ଧକାର ମଧ୍ୟରେ
ତୁମେ ହିଁ ଜଗାଅ ଆଶାର ଦୀପ,
ତୁମେ ନାରୀ
ସୃଷ୍ଟିର ଅଦ୍ୱିତୀୟ କାବ୍ୟ
ଧରାର ସୁଗନ୍ଧିତ ପ୍ରେମ
ସମୟର ଅକ୍ଷୟ ସାହସ ।।

ତୁମ ଛାୟା ବିନା
ନିର୍ଜୀବ ହେଇଯାଏ ଜୀବନର ସଙ୍ଗୀତ
ତୁମ ଆଲୋକ ବିନା
ଅନ୍ଧକାର ହେଇଯାଏ ଭବିଷ୍ୟତର ଦିଗନ୍ତ
ସେଇପାଇଁ ଆଜିର ଏହି ପବିତ୍ର ଦିନରେ
ନମନ୍ ତୁମ ଅସୀମ ଶକ୍ତିକୁ
ନମନ୍ ତୁମ ଅଦମ୍ୟ ସ୍ୱପ୍ନକୁ
ନମନ୍ ତୁମ ଅପାର ସ୍ନେହକୁ ।।

ନାରୀ….
ତୁମେ ଜୀବନର ପ୍ରଭାତ ତାରା
ତୁମେ ମାଟିର ଗର୍ଭରେ
ଭବିଷ୍ୟତର ସୁନା ଅଙ୍କୁରିତ କର
ତୁମ ଆଲୋକରେ
ଉଜ୍ଜ୍ୱଳ ହେଉ ସମସ୍ତ ଜଗତ
ତୁମ ସମ୍ମାନରେ
ସଦା ମୁଣ୍ଡ ନୂଆଁଉ ମାନବତା ।।

ପଦ୍ମପୁର, ବରଗଡ଼

Leave a Reply

Your email address will not be published. Required fields are marked *