କୋହି ଗାଆଁ ‘ହରପାର୍ବତୀ’ ଘଟ

      କୋହି ଗାଆଁ ‘ହରପାର୍ବତୀ’ ଘଟ
              
   କବିରତ୍ନ ନୂତନ କୁମାର ବେହେରା

ଓଡିଶା ରାଇଜର     ମୟୂରଭଞ୍ଜ ଜିଲ୍ଲା
        ମୋରଡ଼ା ପଞ୍ଚାୟତ ସମିତି,
କୋହି ନାମିତ ଗ୍ରାମ    ଏହାର ଅନ୍ତର୍ଭୁକ୍ତ
         ବହୁକାଳର ଏଇ ବସତି।

ଓଡିଆ ନବବର୍ଷ      ବୈଶାଖର ପ୍ରଥମ
        ମହାବିଷୁବ ସଂକ୍ରାନ୍ତି ଦିନ, 
ଏହି ଗ୍ରାମରେ ହୁଏ   ମହା ଆଡ଼ମ୍ବରରେ
       ହରଗୌରୀ ଘଟ ଉତ୍ତୋଳନ।

ଶ୍ରୀଶ୍ରୀ ଜଗତେଶ୍ଵର  ମହାଦେବ ବିଖ୍ୟାତ
        କେଉଁ ଯୁଗରୁ ତ ଆବିର୍ଭୁତ,
ମାନସ ଚେତନାରେ  ଆରାଧ୍ୟ ଦେବ ରୂପେ
         କୋଟିଜନ ମୁଖରେ ବିଦିତ।

ମହାଦେବ ମନ୍ଦିର   ପ୍ରାଙ୍ଗଣେ ବାରମାସ
        ହୁଏ ପର୍ବପର୍ବାଣୀ ପାଳିତ,
ହୋଇ ଆସୁଛି ସବୁ    ଶାନ୍ତି ଶୃଙ୍ଖଳାରେ
        ଦେଖିବା ଜନ ହୁଏ ଚକିତ।

ଚତୁର୍ଦ୍ଦଶୀ ଜାଗର       ଦଶହରା ମକର
        ଦିବସରେ ଜନସମାବେଶ,
ତନ୍ ମଧ୍ୟରୁ ଅଟେ     ସ୍ଵତନ୍ତ୍ର ଏ ସଂକ୍ରାନ୍ତି
        ଘଟ ଅଣା ଭାବରେ ପ୍ରକାଶ।

ହର ପାର୍ବତୀଙ୍କର      ହୁଏ ଶୁଭ ବିବାହ
         ଯଥାବିଧି କରି ସମାପନ,
ହାଣ୍ଡିଭଙ୍ଗା ଗ୍ରାମର   ତାଳ ପୋଖରୀଠାରେ
      ସକାଳୁ ଘଟ ଉଠେ ସେ ଦିନ।

ଚଳନ୍ତି ପ୍ରତିମାର     ହର ପାର୍ବତୀ ବେନି
      ସାଜସଜ୍ଜା ନୃତ୍ୟ ବାଜା ସାଥେ,
ନାଚି ନାଚି ଆସନ୍ତି    ଭକ୍ତାଙ୍କର ଗହଣେ
        ସହସ୍ର ଜନ ସମୁଦ୍ର ପଥେ।

ବାଜୁଥାଏ ନାଗରା   ଢୋଲ ଶଙ୍ଖ ମହୁରୀ
       ଘଣ୍ଟ ଘଣ୍ଟା ନାଦ ଜୟ ଧ୍ଵନି,
ଅପୂର୍ବ ଏଇ ଦୃଶ୍ୟ    ଦେଖି ପବିତ୍ର ଆଖି
       ହୃଦୟରୁ ଦୂରହୁଏ ଗ୍ଳାନି।

ଶହ ଶହ ଭକ୍ତାଙ୍କ   ସାଥିରେ ନାଚି ନାଚି
        ଉମାଶଙ୍କର ଆସୁ ଥାଆନ୍ତି,
ଝୁଣା ଧୂପ ନୈବେଦ୍ୟ  ସୁଗନ୍ଧରେ ମହକି
        ଦିବ୍ୟରୂପରେ ଝଟକୁଥାନ୍ତି।

ଅପରାହ୍ନ ବେଳାରେ ଗାଁ ବଡ଼ ପୋଖରୀରୁ
           ଆସଇ ଗରିଆ ଘଟ ଭାର,
ଓଲଟା ପିତଳର  ନୋଟାରେ ପାଣି ଭର୍ତ୍ତି
        ମୁହେଁ ବନ୍ଧା କନା ଥାଏ ତାର।

ଏ କୋହି ଗାଆଁ ଘଟ  ଭଞ୍ଜବଂଶ ରାଜତ୍ଵ
        କାଳରୁ ହେଉଛି ପ୍ରତିବର୍ଷ,
ବୀରା ସୁମିତ୍ରା ଦେବୀ  ମହାରାଣୀଙ୍କ ଭକ୍ତି
       ଚେତନା ଗୁଣର ଏ ବିଶେଷ।

‘ ଘଟ’ ର ପର ଦିନ   କ୍ରମରେ ଦୁଇ ରାତି
          ମଞ୍ଚସ୍ଥ ହୁଅଇ ଛଉ ନୃତ୍ୟ,
ସହସ୍ରାଧିକ ଲୋକ     ଦେଖି ହୁଅନ୍ତି ମୁଗ୍ଧ    
      ସର୍ବେ ହୋଇଥାନ୍ତି କୃତ୍ୟ କୃତ୍ୟ।

ଏ ଛଉ ନୃତ୍ୟ କଳା    ଗ୍ରାମାଞ୍ଚଳ ପ୍ରତିଭା
        ବିକାଶେ ରହିଥାନ୍ତି ଜାଗ୍ରତ,
ଏ ଜିଲ୍ଲାର ଐତିହ୍ୟ    ସଂସ୍କୃତି ପରମ୍ପରା
       ଜନ ମାନସେ ସଦା ଜୀବନ୍ତ।

କୃଷ୍ଣ ପ୍ରସାଦ କର      ପୂଜକ ମହାଶୟ
       ଥିଲେ ମନ୍ଦିର ଦାୟିତ୍ଵ କାର୍ଯ୍ୟେ,
ଏବେ ତାଙ୍କ ଦାୟାଦ    ପୂଜନ୍ତି ମହାଦେବ
     ବଂଶାନୁକ୍ରମେ ତାଙ୍କ ନିଧିର୍ଯ୍ୟେ।
       
ପୂର୍ବପୁରୁଷ ମୁଖେ    କିମ୍ବଦନ୍ତୀର ରୂପେ
         ଜନଶ୍ରୁତିରେ ରହିଛି କଥା,
ସ୍ଵୟଂ ଜଗତେଶ୍ଵର   ଇଚ୍ଛାରେ ଆବିର୍ଭାବ
      ଇତିହାସ ଗାଏ ତାର ଗାଥା।

କେତେ ଦୂରୁ ଶ୍ରଦ୍ଧାଳୁ   ଆସନ୍ତି ଘଟ ଦେଖି
        କରିବାକୁ ବ୍ରତ ପୂଜା ଅର୍ଚ୍ଚନା,
ପାଇ ଶିବଙ୍କ ବରେ    ସୁଖ ଶାନ୍ତି ଆନନ୍ଦ
         ପୂରଣ ହୁଏ ମନସ୍କାମନା ।     

ପୂର୍ବ ଦିନରୁ ବହୁ    ଦୋକାନ ସବୁ ଆସି
          ସଜାନ୍ତି ନିଜ ବିପଣୀମାଳା,
କିଣାବିକା ପ୍ରଚୁର     ହୁଅଇ କାରବାର
        ଭାରି ଗହଳି ହୁଏ ଏ ମେଳା।
        
କୋହିର ଘଟ ପର୍ବ  ସାରା ଅଞ୍ଚଳେ ଖ୍ୟାତ
           ଦର୍ଶକ ଦେଖି ହୁଏ ବିମୁଗ୍ଧ,
ପାପ ତାପରୁ ରକ୍ଷା     କରନ୍ତି ମହାଦେବ
      ଭକ୍ତି ଭାବେ ହୁଏ ମନୋବୋଧ ।
                    
       କୋହି,ବାରିପଦା,ମୟୂରଭଞ୍ଜ।

Leave a Reply

Your email address will not be published. Required fields are marked *