କୋଣାର୍କ କଲେଜରୁ ମହିଳା କିରାଣୀଙ୍କ ଅର୍ଥ ହରିଲୁଟ୍

କୋଣାର୍କ,୨୫/୫- ବର୍ଷ ବର୍ଷ ଧରି ଚାଲିଥିବା ଠକାମୀର ଆଂଶିକ ପର୍ଦ୍ଦାଫାଶ ଛାତ୍ରଛାତ୍ରୀଙ୍କୁ ମିଳିଛି। ନକଲି ରସିଦ୍ ୫ବର୍ଷର ଏମ୍ଆର ଯାଞ୍ଚ୍ କରୁଛି ଆକାଉଣ୍ଟସ କମିଟି। ଅପରାଧିକ ମାମଲା ରୁଜୁ ପାଇଁ ଦାବିକଲା ପୁରାତନ ଛାତ୍ରସଂଘ ।କିରାଣୀ ଶିଳାକୀର୍ତ୍ତି ନିଜର ଦୋଷ ସ୍ବୀକାର କରିଛନ୍ତି – ଅଧ୍ୟକ୍ଷ

ଗତ ଡିସେମ୍ବର ମାସରେ ପ୍ରମୋଶନ ପାଇ କାକଟପୁର ମଙ୍ଗଳା ମହାବିଦ୍ୟାଳୟକୁ ବଦଳି ହୋଇଥିବା କୋଣାର୍କ ଭଗବତୀ ମହାବିଦ୍ୟାଳୟର ପୂର୍ବତନ କିରାଣୀ ଶିଳାକୀର୍ତ୍ତି ପାତ୍ର ନକଲି ରସିଦ୍ କାଟି ଛାତ୍ରଛାତ୍ରୀମାନଙ୍କର ପ୍ରାୟ ୧୦ଲକ୍ଷ ଟଙ୍କା ହଡ଼ପ କରିଥିବା ଲୋକଲୋଚନକୁ ଆସିଛି। ସଂପ୍ରତି କୋଣାର୍କ କଲେଜରେ ଦାୟିତ୍ଵ ନିର୍ବାହ କରୁଥିବା ଅଧ୍ୟକ୍ଷ ଅବତାର ମିଶ୍ରଙ୍କ ନଜରକୁ ଏହି ଠକେଇ ମାମଲା ଆସିଵା ପରେ ସେ ୨୦୧୭ମସିହାଠାରୁ ୨୦୨୨ମସିହା ଡିସେମ୍ବର ମାସ ପର୍ଯ୍ୟନ୍ତ ମନି ରିସିପ୍ଟ ଯାଞ୍ଚ୍ କରିବା ପାଇଁ ଏକ କମିଟି ଗଠନ କରିଛନ୍ତି। ଏ ସଂପର୍କରେ ବିଭିନ୍ନ ଗଣମାଧ୍ୟମରେ ପ୍ରାଥମିକ ଖବର ପ୍ରକାଶ ପରେ କିରାଣୀ ଶିଳାକୀର୍ତ୍ତି ପାତ୍ର କଲେଜ୍ ଆକାଉଣ୍ଟରେ ୧ଲକ୍ଷ ୫୨ହଜାର ୯୬୦ଟଙ୍କା ଡିପୋଜିଟ୍ କରିଵା ସହିତ ନିଜର ଦୋଷ ସ୍ବୀକାର କରିଥିବା କୋଣାର୍କ କଲେଜ୍ ଅଧ୍ୟକ୍ଷ ଅବତାର ମିଶ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଦିବଂଗତ ଅଧ୍ୟାପକ ବିଜୟ ପାତ୍ରଙ୍କ ମୃତ୍ୟୁପରେ ତାଙ୍କ କନ୍ୟା ଶିଳାକୀର୍ତ୍ତି ୨୦୧୪ ମସିହାରେ ଅନୁକମ୍ପାମୂଳକ ନିଯୁକ୍ତି ପାଇଥିଲେ। ବିଭିନ୍ନ ଶିକ୍ଷାବର୍ଷରେ ଶିଳାକୀର୍ତ୍ତି ନକଲି ରସିଦ୍ ବ୍ୟବହାର କରି ଛାତ୍ରଛାତ୍ରୀମାନଙ୍କଠାରୁ ନାମଲେଖା, ପୁନଃ ନାମଲେଖା, ପରୀକ୍ଷା ଫର୍ମପୂରଣ ନିମନ୍ତେ ଅର୍ଥ ଆଦାୟ କରି ହଡ଼ପ କରିଥିବା ଜଣାପଡିଛି। ଏହି ଠକାମୀର ଟିକିନିଖି ଆକାଉଣ୍ଟ ଯାଞ୍ଚ କରୁଥିବା କମିଟୀରେ କଲେଜର ଇଂରାଜୀ ଅଧ୍ୟାପକ ନୟନ କୁମାର ଦତ୍ତ, ଗଣିତ ଅଧ୍ୟାପକ ଅଶୋକ ପଲେଇ, ଓଡ଼ିଆ ଅଧ୍ୟାପକ ଦୁର୍ଗାଚରଣ ମୁରୁଡି ଓ କମର୍ସ ଅଧ୍ୟାପକ ସରୋଜ କୁମାର ଶତପଥୀ ରହିଛନ୍ତି। ପ୍ରତିବର୍ଷ ରସିଦରେ ଜାଲିଆତି କରାଯାଇ ପିଲାମାନଙ୍କଠାରୁ ଆଦାୟ କରାଯାଇଥିବା ଆକାଉଣ୍ଟସ ଯାଞ୍ଚ୍ କମିଟି ଅଧ୍ୟକ୍ଷ ନୟନ କୁମାର ଦତ୍ତ ଓ କଲେଜ ଅଧ୍ୟକ୍ଷ ଅବତାର ମିଶ୍ରଙ୍କଠାରୁ ସୂଚନା ମିଳିଛି। ସଂପ୍ରତି ୨୦୧୭ରୁ ୨୦୨୨ମସିହା ପର୍ଯ୍ୟନ୍ତ ବିଗତ ୫ଵର୍ଷର ଅର୍ଥ ହେରଫେର ସଂପର୍କରେ ଯାଞ୍ଚ୍ ଚାଲିଛି ଏବଂ ହଡ଼ପ ଅର୍ଥର ସଠିକ୍ ହିସାବ ମିଳିବା ପରେ ଅସାଧୁ କିରାଣୀ ଶିଳାକୀର୍ତ୍ତିଙ୍କ ବିରୋଧରେ କୋଣାର୍କ ଥାନାରେ ଅପରାଧିକ ମାମଲା ଦାୟର କରାଯିବ ବୋଲି ଅଧ୍ୟକ୍ଷ ଶ୍ରୀ ମିଶ୍ର କହିଛନ୍ତି। +୩ ଛାତ୍ରଛାତ୍ରୀଙ୍କ ଦ୍ୱିତୀୟ ବର୍ଷ କଲେଜ୍ ଦେୟ ବକେୟା ଥିବା ସଂପର୍କରେ ସେମାନଙ୍କୁ ଅବଗତ କରାଯିବା ସମୟରେ ଛାତ୍ରଛାତ୍ରୀମାନେ କଲେଜ ଦେୟ ପୈଠ କରିସାରିଥିଵା କହିଥିଲେ। ଏହାର ପ୍ରମାଣସ୍ୱରୂପ ଛାତ୍ରଛାତ୍ରୀମାନେ ଦେଖାଇଥିବା ରସିଦ୍ ନକଲି ବୋଲି ଜଣାପଡିବା ପରେ ଏହି ଠକାମୀର ପର୍ଦ୍ଦାଫାଶ ହୋଇଛି। ପୂର୍ବତନ ତଥା ଅବସରପ୍ରାପ୍ତ ଅଧ୍ୟକ୍ଷ ବିଷ୍ଣୁଚରଣ ମିଶ୍ରଙ୍କ କାର୍ଯ୍ୟକାଳ ସମୟରେ ଏହି ଠକେଇ ଚରମସୀମାରେ ପହଞ୍ଚିଥିବା ଆକାଉଣ୍ଟସ ଯାଞ୍ଚ୍ କମିଟି ସଦସ୍ୟଙ୍କଠାରୁ ସୂଚନା ମିଳିଛି। ୨୦୧୭ମସିହାରେ କଲେଜର ତତ୍କାଳୀନ ଅଧ୍ୟକ୍ଷା ବନ୍ଦନା ରାୟ କିରାଣୀ ଶିଳାକୀର୍ତ୍ତିଙ୍କର ଏକ ଠକେଇ ମାମଲାକୁ ଧରିଥିଲେ। ସେକେଣ୍ଡ ସିଲେକ୍ସନରେ ଟିସିନେଇ ଅନ୍ୟ କଲେଜକୁ ନାମଲେଖା ନିମନ୍ତେ ଯାଉଥିବା ଜଣେ ଛାତ୍ରଙ୍କର ଅର୍ଥକୁ କଲେଜ୍ ଆକାଉଣ୍ଟ ଚେକରେ ନିଜ ନାମ ଲେଖି ଶିଳାକୀର୍ତ୍ତି ହରିଲୁଟ୍ କରିଵା ପାଇଁ ଯୋଜନା କରୁଥିବା ବେଳେ ଅଧ୍ୟକ୍ଷା ବନ୍ଦନା ରାୟଙ୍କ ହାତରେ ଧରା ପଡ଼ିଥିଲେ। ସେତେବେଳେ ନିଜର ଭୁଲ୍ ସ୍ବୀକାର କରି ଅଧ୍ୟକ୍ଷାଙ୍କର ପାଦଧରି ଶିଳାକୀର୍ତ୍ତି ବିଭାଗୀୟ କାର୍ଯ୍ୟାନୁଷ୍ଠାନରୁ ଵର୍ତ୍ତି ଯାଇଥିଲେ। କୋଣାର୍କ କଲେଜ ପ୍ରାରମ୍ଭରୁ ସରକାରୀ ଅନୁଦାନ ପାଇନଥିବା ସମୟରେ କାର୍ଯ୍ୟ କରିଥିଵା ପୂର୍ବତନ ତଥା ଦିବଂଗତ ଅଧ୍ୟାପକ ବିଜୟ କୁମାର ପାତ୍ରଙ୍କର ରାସ୍ତା ଦୁର୍ଘଟଣାରେ ଅକାଳ ବିୟୋଗ ହେବାଯୋଗୁଁ ତାଙ୍କ ପରିବାରକୁ କୋଣାର୍କଵାସୀ ଅକୁଣ୍ଠ ଆର୍ଥିକ ସହଯୋଗ କରିଥିଲେ। ପରେ ୨୦୧୪ମସିହାରେ ସ୍ୱର୍ଗୀୟ ବିଜୟ ପାତ୍ରଙ୍କ କନ୍ୟା ଶିଳାକୀର୍ତ୍ତିଙ୍କୁ ରିହାଵିଲିଟେସନ ସ୍କିମରେ କନିଷ୍ଠ କିରାଣୀ ଚାକିରୀ ମିଳିଥିଲା। ତେବେ କୋଣାର୍କଵାସୀଙ୍କ ଅନୁକମ୍ପାର ପ୍ରତିଦାନରେ ଗରୀଵ ଛାତ୍ରଛାତ୍ରୀଙ୍କ ଅର୍ଥହଡପ ଭଳି ଶିଳାକୀର୍ତ୍ତିଙ୍କ ଏପରି ନିନ୍ଦନୀୟ କାର୍ଯ୍ୟକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର୍ ଧରିଛି। ଏହି ମହାଘୋଟାଲାର ଉଚ୍ଚସ୍ତରୀୟ ତଦନ୍ତ କରାଯିବ ସହିତ ଅର୍ଥ ହଡପକାରୀ କିରାଣୀ ଶିଳାକୀର୍ତ୍ତିଙ୍କ ବିରୋଧରେ କଲେଜ୍ ଅଧ୍ୟକ୍ଷ ତୁରନ୍ତ ଅପରାଧିକ ମାମଲା ଦାୟର କରିବାକୁ ଦାବି କରିଛି ପୁରାତନ ଛାତ୍ର ସଂଘ। କଲେଜର ପୁରାତନ ଛାତ୍ର ଭାଗିରଥୀ ସ୍ୱାଇଁ, ମନୋରଞ୍ଜନ ପଣ୍ଡା, ଏନ୍.ଏ.ଶାହା ଅନସାରୀ, ସ୍ୱାଧୀନ କୁମାର ନାୟକଙ୍କ ସମେତ ଶତାଧିକ ବ୍ୟକ୍ତି ମୁଖ୍ୟମନ୍ତ୍ରୀ, ଉଚ୍ଚଶିକ୍ଷା ମନ୍ତ୍ରୀ, ବିଭାଗୀୟ ସଚିବ, ନିର୍ଦ୍ଦେଶକ ଓ ପୁରୀ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ ପଠାଇ ସାତଦିନ ମଧ୍ୟରେ ଅସାଧୁ କିରାଣୀ ଶିଳାକୀର୍ତ୍ତିଙ୍କୁ ନିଲମ୍ବନ କରିବା ସହିତ ଗିରଫଦାରୀ ଦାଵି କରିଛନ୍ତି।

Leave a Reply

Your email address will not be published. Required fields are marked *