ବିଦ୍ୟାଳୟରେ ସ୍ୱାସ୍ଥ୍ୟ ସଚେତନତା ଓ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ।
ରଘୁନାଥପୁର:- ରଘୁନାଥପୁର ବ୍ଲକ ତାରପୁର ପଞ୍ଚାୟତ ଗୋକୁଳପୁର ସ୍ଥିତ ସାରଦା ସରକାରୀ ଉଚ୍ଚ ବିଦ୍ୟାଳୟରେ ଅବସରପ୍ରାପ୍ତ କର୍ମଚାରୀ ସଂଘ,ଜଗତସିଂହପୁର ଜିଲ୍ଲା କୃଷକ ସଙ୍ଗଠନ ଓ ବିଷୁବ ସଂସଦ ମିଳିତ ଆନୁକୁଲ୍ୟରେ ଛାତ୍ରୀଛାତ୍ରଙ୍କୁ ନେଇ ସ୍ଵାସ୍ଥ୍ୟ ସଚେତନତା ଓ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଆୟୋଜିତ ସଭାରେ ପ୍ରଧାନଶିକ୍ଷକ ବିଶ୍ୱଜିତ ଓଝା ପୌରହିତ କରିଥିଲେ। ଏଥିରେ ଅବସରପ୍ରାପ୍ତ ବନବିଭାଗ ଅଧିକାରୀ ନିରଞ୍ଜନ ସାହୁ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ସାରା ବିଶ୍ବରେ ପରିବେଶ ଅସନ୍ତୁଳନକୁ ନେଇ ଦେଖାଦେଇଥିବା ବିପଦ ପ୍ରତି ସତର୍କ କରାଇବା ସହ କେବଳ ବୃକ୍ଷ ହିଁ ଆମ ଜୀବନକୁ ବଞ୍ଚାଇ ପାରିବ ବୋଲି ପ୍ରକାଶ କରିଥିଲେ।କାରଣ ମନୁଷ୍ୟର ଜୀବନ ଧାରଣ ପାଇଁ ଆବଶ୍ୟକ ଅମ୍ଳଜାନ କେବଳ ବୃକ୍ଷ ହିଁ ଦେଇଥାଏ।ଗୋଟିଏ ବୃକ୍ଷ ତାର ଜୀବନକାଳ ମଧ୍ୟରେ ୬.୫ ଲକ୍ଷ ଟଙ୍କାର ଅମ୍ଳଜାନ ପ୍ରଦାନ କରିଥାଏ ବୋଲି ସାହୁ ମତବ୍ୟକ୍ତ କରିଥିଲେ।ସେହିପରି ଅନ୍ୟତମ ଅତିଥି ଭାବେ ସ୍ଵର୍ଣ୍ଣପଦକ ପ୍ରାପ୍ତ ବରିଷ୍ଠ ଶିଶୁ ବିଶେଷଜ୍ଞ ଡ଼ା ରାଜକିଶୋର ବରାଳ ସୁନ୍ଦର ସ୍ୱାସ୍ଥ୍ୟ ପାଇଁ ଦୈନନ୍ଦିନ ଶରିରଚର୍ଯ୍ୟାରେ ଖାଦ୍ୟପେୟ,ପ୍ରାଣାୟମ ଓ ଖେଳକୁଦ ଉପରେ ଗୁରୁତ୍ବ ପ୍ରଦାନ କରିଥିଲେ।ଏହାଛଡା ମୁକ୍ତବାୟୁ ସେବନ ପାଇଁ ପ୍ରତ୍ୟେକ ଛାତ୍ରୀଛାତ୍ର ନିଜ ମା ଓ ଧରିତ୍ରୀ ମାତାକୁ ସମ୍ମାନ ଜଣାଇ ଗଛଟିଏ ଲଗାଇବା ପାଇଁ ପରାମର୍ଶ ଦେଇଥିଲେ।ଏହି ଅବସରରେ ଆଲମିନି ସଭାପତି ବିନୋଦ ବିହାରୀ ମହାନ୍ତି ପିଲାଙ୍କୁ ଶିକ୍ଷଣୀୟ ଉପଦେଶ ପ୍ରଦାନ କରି ବିଭିନ୍ନ ପ୍ରକାର ପ୍ରାଣାୟମ ଶିଖାଇଥିଲେ।ଆଲମିନୀ ଉପସଭାପତି ଚନ୍ଦ୍ରଶେଖର ସିଂହ,ଶିକ୍ଷକ ସୁଜିତ କୁମାର ବେହେରା ଓ ପ୍ରମୋଦ କୁମାର ଭୋଇ ଅନୁରୂପ ଭାବେ ବକ୍ତବ୍ୟ ରଖିଥିଲେ। ପରେ ଛାତ୍ରୀଛାତ୍ରଙ୍କୁ ନେଇ ବିଦ୍ୟାଳୟ ପରିସରରେ ଅତିଥିଙ୍କ ପକ୍ଷରୁ ଚାରାରୋପଣ କରାଯାଇଥିଲା। ଶିକ୍ଷୟତ୍ରୀ ମୌସୁମୀ ରଥ ସଭା ସଞ୍ଚାଳନ, ଶକୁନ୍ତଳା ସେଠି ସ୍ବାଗତ ପର୍ବ ଓ ରଞ୍ଜିତା ବେହେରା ଧନ୍ୟବାଦ ଦେଇଥିଲେ। ଗୀତାରାଣୀ ବିଶ୍ୱାଳ ଓ କର୍ମଚାରୀ ହରେକୃଷ୍ଣ ସାହୁ ଏଥିରେ ସହଯୋଗ କରିଥିଲେ। ଅନୁରୂପ ଭାବେ ଡ଼ା ବରାଳଙ୍କ ତତ୍ତ୍ଵାବଧାନରେ ଶୀର୍ଲୋ ନବଗ୍ରାମ ହାଇସ୍କୁଲ ଓ ସ୍ଵପ୍ନେଶ୍ୱର ବିଦ୍ୟାମନ୍ଦିରରେ ବନ ମହୋତ୍ସବ ପାଳନ ଅବସରରେ ଚାରା ରୋପଣ କାର୍ଯ୍ୟ ସମାପନ ହୋଇଛି।
