ଆୟୁଷ୍ମାନ ଭାରତ କାର୍ଡ ବାଣ୍ଟୁଥିବା ଆଶା କର୍ମୀ ଓ ଅନ୍ୟମାନଙ୍କୁ ସାଧୁବାଦ ଜଣାଇଲେ ସ୍ୱାସ୍ଥ୍ୟ ମନ୍ତ୍ରୀ

ଭୁବନେଶ୍ୱର ତା ୧୬.୦୪.୨୦୨୫ :- ଓଡ଼ିଶାବାସୀଙ୍କୁ ଉନ୍ନତ ଓ ଗୁଣାତ୍ମକ ଚିକିତ୍ସା ସୁବିଧା ଓ ସ୍ୱାସ୍ଥ୍ୟ ସେବା ସୁନିଶ୍ଚିତ କରିବା ନିମନ୍ତେ ଲୋକଙ୍କ ସରକାର ବହୁପ୍ରତିକ୍ଷିତ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଏବଂ ଆୟୁଷ୍ମାନ ବୟୋ-ବନ୍ଦନା ଯୋଜନା ରାଜ୍ୟରେ ଲାଗୁ କରିଛନ୍ତି । ଭାରତର ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନ ଏବଂ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ଵରେ ଯୋଜନାଗୁଡିକର ସଫଳ ରୂପାୟନ ଓ ଲୋକଙ୍କ ପାଖରେ କାର୍ଡ ଯେତେ ଶୀଘ୍ର ସମ୍ଭବ ସେତେ ଶୀଘ୍ର ପହଂଚାଇବା ଉପରେ ସରକାର ବିଶେଷ ଗୁରୁତ୍ଵ ଦେଉଛନ୍ତି । ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଯୋଜନା ପାଖକୁ ଲୋକେ ଆସିବା ଦରକାର ନାହିଁ ଯୋଜନା ଆଉ ତାର ସୁଫଳ ଲୋକଙ୍କ ପାଖରେ ପହଁଚିଲେ ଯାଇଁ ଦେଶ ତଥା ରାଜ୍ୟର ବାସ୍ତବ ଉନ୍ନତି ଓ ପ୍ରଗତି ହୋଇପାରିବ ବୋଲି ବିଶ୍ୱାସ କରନ୍ତି ।

ସରକାରଙ୍କ ନିର୍ଦ୍ଦେଶରେ ତୃଣମୂଳସ୍ତରରେ କାର୍ଯ୍ୟକରୁଥିବା ଆଶା ଓ ଅନ୍ୟ ସହଯୋଗୀ ମାନେ ଘରକୁ ଘର ଯାଇ ଲୋକମାନଙ୍କୁ ସ୍ୱାସ୍ଥ୍ୟ କାର୍ଡ ପ୍ରଦାନ କରୁଛନ୍ତି । ଯୋଜନା ଗୁଡିକର ସଫଳ ରୂପାୟନ ସହ କାର୍ଡ ବଣ୍ଟନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ଆଶା କର୍ମୀ ଓ ଅନ୍ୟମାନଙ୍କର ଆନ୍ତରିକ ପ୍ରୟାସ ଏବଂ ପ୍ରତିବଦ୍ଧତାର ଉଚ୍ଚ ପ୍ରଶଂସା କରିବା ସହ ସେମାନଙ୍କୁ ଅଶେଷ ଧନ୍ୟବାଦ ଜଣାଇଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ଼ଃ ମୁକେଶ ମହାଲିଙ୍ଗ ।ସମସ୍ତଙ୍କ ମିଳିତ ପ୍ରୟାସ ଦ୍ୱାରା ଖୁବ କମ ସମୟ ମଧ୍ୟରେ ଆମେ ସାଢେ଼ ତିନି କୋଟିରୁ ଉର୍ଦ୍ଧ୍ବ କାର୍ଡ ବଣ୍ଟନର ଲକ୍ଷ୍ୟକୁ ନିଶ୍ଚିତ ଭାବେ ହାସଲ କରିପାରିବା ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ଃ ମହାଲିଙ୍ଗ ଆଶାବ୍ୟକ୍ତ କରିଛନ୍ତି ।ସୌରଭ ପ୍ରଧାନ ଲୋକ ସମ୍ପର୍କ ଅଧିକାରୀ,ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ

Leave a Reply

Your email address will not be published. Required fields are marked *