ସୁସ୍ଥ ଶିକ୍ଷକ, ସୁସ୍ଥ ସମାଜ: ୟୁନେସ୍କୋ-ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନର ତିନିଦିନିଆ କର୍ମଶାଳା

ଭୁବନେଶ୍ୱର, ୨୯/୧୦/୨୦୨୫: ପ୍ରଶିକ୍ଷଣପୂର୍ବ ଶିକ୍ଷକ ଶିକ୍ଷା କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ଓ ସୁସ୍ଥତାକୁ ଅନ୍ତର୍ଭୁକ୍ତ କରିବା ପାଇଁ ୟୁନେସ୍କୋର ଦକ୍ଷିଣ ଏସୀୟ ଆଞ୍ଚଳିକ କାର୍ଯ୍ୟାଳୟ ଓ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ (ଆର୍.ଆଇ.ଇ), ଭୁବନେଶ୍ୱରର ସହଯୋଗରେ ତିନିଦିନିଆ କର୍ମଶାଳା ଆଜିଠାରୁ ଆରମ୍ଭ ହୋଇଛି ।ଅକ୍ଟୋବର ୩୧ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି କର୍ମଶାଳାରେ ରାଜ୍ୟର ୧୪ଟି ଶିକ୍ଷକ ପ୍ରଶିକ୍ଷଣ ପ୍ରତିଷ୍ଠାନର ପ୍ରତିନିଧିମାନେ ଓ ଅନ୍ୟ ରାଜ୍ୟରୁ ଆସିଥିବା ଶିକ୍ଷା ବିଶାରଦ, ପାଠ୍ୟଖସଡ଼ା ବିଶେଷଜ୍ଞମାନେ ଯୋଗଦେଇଛନ୍ତି ।ଆର୍.ଆଇ.ଇ ଭୁବନେଶ୍ୱରର ଅଧ୍ୟକ୍ଷା ପ୍ରଫେସର ମାନସୀ ଗୋସ୍ୱାମୀ କର୍ମଶାଳାର ଉଦ୍ଘାଟନ କରି ୟୁନେସ୍କୋର ନିରବଚ୍ଛିନ୍ନ ସହଯୋଗକୁ ସ୍ୱାଗତ କରିଛନ୍ତି । ସେ କହିଥିଲେ, “ଶିକ୍ଷକମାନଙ୍କୁ ସ୍ୱସ୍ଥ, ସମାନତାମୂଳକ ଓ ସୁରକ୍ଷିତ ଶିକ୍ଷା ପରିବେଶ ସୃଷ୍ଟିରେ ଦକ୍ଷ କରିବା ଏହି ପଦକ୍ଷେପର ପ୍ରାଧାନ୍ୟ ଲକ୍ଷ୍ୟ ।”ୟୁନେସ୍କୋର ଜାତୀୟ କାର୍ଯ୍ୟକ୍ରମ ଅଧିକାରୀ (ଶିକ୍ଷା) ସୁଶ୍ରୀ ସରିତା ଯାଦବ କହିଛନ୍ତି ଯେ, ସ୍ୱାସ୍ଥ୍ୟ ଓ ଜନକଲ୍ୟାଣ ବର୍ତ୍ତମାନ ଗୁଣାତ୍ମକ ଶିକ୍ଷା ପାଇଁ ବାଧ୍ୟତାମୂଳକ ଅଂଶ ।

ୟୁନେସ୍କୋ ଓ ଆର୍.ଆଇ.ଇ ମଧ୍ୟରେ ସ୍ୱାକ୍ଷରିତ ବୁଝାମଣା ଆଧାରରେ ଆୟୋଜିତ ଏହି କର୍ମଶାଳା ଜାତୀୟ ଶିକ୍ଷାନୀତି ୨୦୨୦ର ଲକ୍ଷ୍ୟକୁ ଅଗ୍ରସର କରିବ ।ଏହି ଅବସରରେ ଏନ୍‌.ସି.ଇ.ଆର୍‌.ଟିର ପ୍ରାକ୍ତନ ନିର୍ଦ୍ଦେଶକ ପ୍ରଫେସର ହୃଷୀକେଶ ସେନାପତି, ପ୍ରଫେସର ଲକ୍ଷ୍ମୀଧର ବେହେରା, ପ୍ରଫେସର ରୀତାଞ୍ଜଳି ଦାଶ, ପ୍ରଫେସର ସରୋଜ ବାଳା ଯାଦବ ଓ ୟୁନେସ୍କୋର ସହଯୋଗୀ କାର୍ଯ୍ୟକ୍ରମ ଅଧିକାରୀ ପ୍ରଶାନ୍ତ ଯାଦବ ଉପସ୍ଥିତ ଥିଲେ । ସୁସ୍ଥ ଜୀବନ, ଗୁଣାତ୍ମକ ଶିକ୍ଷା ଓ ଲିଙ୍ଗ ସମାନତାକୁ ପ୍ରୋତ୍ସାହିତ କରିବା ଏହି କର୍ମଶାଳାର ମୂଳ ଲକ୍ଷ୍ୟ ରହିଛି ।

Leave a Reply

Your email address will not be published. Required fields are marked *