ସୁସ୍ଥ ନାରୀ
ସୁସ୍ଥ ନାରୀ – ସଶକ୍ତ ପରିବାର ଅଭିଯାନକୁ ସଫଳ କରିବା : ସମ୍ବିତ ପାତ୍ର
ନୟାଗଡ, ତାରିଖ : ୧୮.୦୯.୨୦୨୫ । ନୟାଗଡ ବ୍ଲକ ଇଟାମାଟି ପଞ୍ଚାୟତ ଅଧିନସ୍ଥ ଲଡୁପାତ୍ର ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ପରିସରରେ ସୁସ୍ଥ ନାରୀ – ସଶକ୍ତ ପରିବାର ଅଭିଯାନ କାର୍ଯ୍ୟକ୍ରମ ଅଧୀନରେ ଏକ ସ୍ୱତନ୍ତ୍ର ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ ପୁରୀ ଲୋକସଭା ସାଂସଦ ଡାକ୍ତର ସମ୍ବିତ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନାରୀ ସୁସ୍ଥ ହେଲେ ପରିବାର ସୁସ୍ଥ ହେବ ଓ ସେଥିପାଇଁ ଏହି ଅଭିଯାନକୁ ସମସ୍ତଙ୍କ ସହଯୋଗରେ ଶତପ୍ରତିଶତ ସଫଳ କରିବାକୁ ଆମେ ପ୍ରଧାନମନ୍ତ୍ରୀଙ୍କ ସହ ପ୍ରତିବଦ୍ଧ ବୋଲି ମତପ୍ରକାଶ କରିଥିଲେ । ମହିଳା ଓ ଶିଶୁ ବିକାଶ ବିଭାଗ ତରଫରୁ ବି ପୋଷଣ ମାସ ଅଭିଯାନ ବି ଚାଲିଛି ଓ ଏହାର ସୁଯୋଗ ସମସ୍ତ ମହିଳା ଉଠାଇବା ଆବଶ୍ୟକ ବୋଲି ବୁଝାଇଥିଲେ । ସୁସ୍ଥ ନାରୀ – ସଶକ୍ତ ପରିବାର ଅଭିଯାନ କାର୍ଯ୍ୟକ୍ରମ ସେପ୍ଟେମ୍ବର ୧୭ ତାରିଖରୁ ଆରମ୍ଭ ହୋଇ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି କହିଥିଲେ। ସମାଜ ସବୁ ବର୍ଗର ଲୋକଙ୍କୁ ଏଥିରେ ସାମିଲ କରାଯାଇ ବ୍ୟାପକ ସଚେତନତା କରାଯିବ ଉପରେ ଜିଲ୍ଲାପାଳ ଅକ୍ଷ୍ୟୟ ସୁନୀଲ ଅଗ୍ରୱାଲ ଗୁରୁତ୍ଵାରୋପ କରିଥିଲେ । ଏହି ଅଭିଯାନ ମାଧ୍ୟମରେ ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନା ଉପଲବ୍ଧ ମାତୃତ୍ଵ ସେବା ସହିତ ମହିଳାମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା, ଅଣସଂକ୍ରାମକ ରୋଗର ଚିହ୍ନଟ, ଟୀକାକରଣ, ଟି.ବି. ଓ କର୍କଟ ପରୀକ୍ଷା, ସିକିଲ ସେଲ ଓ ଥାଲାସେମିଆ ପରୀକ୍ଷା ସହିତ ସ୍ୱାସ୍ଥ୍ୟ ସଚେତନତା । ଏଥି ସହିତ ବିଦ୍ୟାଳୟମାନଙ୍କରେ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ୟୁନିଟ୍ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କର ସ୍ଵାସ୍ଥ୍ୟ ପରୀକ୍ଷା କରାଯିବ । ସମସ୍ତ ସ୍ୱାସ୍ଥ୍ୟ କେନ୍ଦ୍ରରେ ବିଶେଷ ସେବା ପ୍ରଦାନ ପାଇଁ ବ୍ୟବସ୍ଥା ହୋଇଛି ବୋଲି ଆଲୋଚନା କରାଯାଇଥିଲା । ନୟାଗଡ ଜିଲ୍ଲାରେ ଅତି କମରେ ୨୫୦ ଜଣ ଯକ୍ଷ୍ମା ରୋଗୀଙ୍କୁ ପୋଷଣ କୀଟ ପହଞ୍ଚାଇବା ପାଇଁ ନିକ୍ଷୟ ମିତ୍ର ପଞ୍ଜୀକରଣ ଉପରେ ପଦକ୍ଷେପ ନେବାକୁ ପ୍ରତିଶୃତି ଦେଇଥିଲେ । ଏହି ଅଭିଯାନ ସମୟରେ ଲାଭାର୍ଥୀମାନେ ନିଜର ଆଧାର କାର୍ଡ କିମ୍ବା ଆଭା ନମ୍ବର ସହିତ ଯେକୌଣସି ସ୍ଵାସ୍ଥ୍ୟ କେନ୍ଦ୍ରମାନଙ୍କରେ ପହଁଚିଲେ ସୂଚାରୁରୂପେ ସେମାନଙ୍କର ପଞ୍ଜୀକରଣ ସହିତ ସ୍ଵାସ୍ଥ୍ୟ ପରୀକ୍ଷା ଓ ଚିକିତ୍ସା ପାଇଁ ପରାମର୍ଶ ଦିଆଯାଇପାରିବ ବୋଲି ମୁଖ୍ୟ ଜିଲ୍ଲା ଚିକିତ୍ସା ଏବଂ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସୁଶାନ୍ତ କୁମାର ଦାସ କହିଥିଲେ । ସୁସ୍ଥ ନାରୀ – ସଶକ୍ତ ପରିବାର କାର୍ଯ୍ୟକ୍ରମ ଅଭିଯାନ ଶତ ପ୍ରତିଶତ ସଫଳତା ସୁରୁଖୁରୂରେ ଚାଲିବା ପାଇଁ ନିଷ୍ପତି ଗ୍ରହଣ କରିବାକୁ ପୂର୍ବତନ ସାଂସଦ ପ୍ରତ୍ୟୁଷା ରାଜେଶ୍ଵରୀ ସିଂହ କହିଥିଲେ । ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀକ୍ଷକ ଡାକ୍ତର ଜ୍ଞାନଜ୍ୟୋତି ଦାସ, ଇଟାମାଟି ପି.ଏଚ୍.ସିର ଚିକିତ୍ସା ଅଧିକାରୀ ଡାକ୍ତର ଦେବୀଦତ୍ତ ଦିବ୍ୟରଞ୍ଜନ ମିଶ୍ର, ବ୍ଲକ କାର୍ଯ୍ୟକ୍ରମ ପରିଚାଳିକା ନିବେଦିତା ପ୍ରଧାନ, ବରିଷ୍ଠ ଚିକିତ୍ସା ତଦାରଖକାରୀ ଦୀପକ ଦଳବେହେରା ଓ ସ୍ୱାସ୍ଥ୍ୟ ବିଭାଗର ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ସୁରେନ୍ଦ୍ର ପ୍ରଧାନ ସଭାକାର୍ଯ୍ୟ ପରିଚାଳନାରେ ସହଯୋଗ କରିଥିଲେ ।
