ଅସହାୟ ନିରଞ୍ଜନ
ଦିନେ କିମ୍ବା ଦୁଇ ଦିନ ନୁହେଁ, ଦୀର୍ଘ 23 ବର୍ଷ ହେବ ଜଙ୍ଗଲ ରେ ଜୀବନ ବିତାଉଛନ୍ତି ନିରଂଜନ । ଜଗତସିଂହପୁର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ସଂ।ପୁର ପଂଚାୟତ ର ଅସହାୟ ନିରଂଜନ ବାରିକ । ବୟସ 75 ଛୁଇଁଲାଣି । ଭତ୍ତା, ରାସନ କାର୍ଡ, ଇନ୍ଦିରା ଆବାସ ନିରଂଜନ ଙ୍କ ପାଇଁ ସାତ ସପନ । ଆସନ୍ତୁ ନଜର ପକାଇବା ଏହି 75 ବର୍ଷୀୟ ବୃଦ୍ଧ ନିରଂଜନ ବାରିକ ଙ୍କ କାହାଣୀ ଉପରେ ………
ଏ ଦେଉଛନ୍ତି ଜଗତସିଂହପୁର ଜିଲ୍ଲା ସଦର ବ୍ଲକ ସାଂପୁର ଗ୍ରାମର ନିରଂଜନ ବାରିକ । ବୟସ ଥିବାବେଳେ ଗାଁ ସେବା କରି ନିରଂଜନ ପରିବାର ପ୍ରତିପୋଷଣ କରୁଥିଲେ । ନିରଂଜନ ଙ୍କର ପତ୍ନୀ ଓ ଗୋଟିଏ ପୁଅ ଓ ଗୋଟିଏ ଝିଅ ଙ୍କୁ ନେଇ ସୁଖ ଦୁଃଖ ରେ ସଂସାର ଚାଲୁଥିଲା । ପୁଅ ମାତ୍ର ୪ ବର୍ଷ ବୟସ ରେ ମୃତ୍ୟୁ ବରଣ କରିଯିବା ପରେ ଦୁଃଖ ରେ ଭାଙ୍ଗି ପଡିଲେ ପରିବାର । ଗୋଟିଏ ଝିଅକୁ ପାଳିପୋଷି ବିଭାଘର କରିଦେବା ପରେ ଆଜିକୁ 5 ବର୍ଷ ହେବ ସ୍ତ୍ରୀ ମଧ୍ୟ ରୋଗରେ ପଡ଼ି ଆର ପାରିକୁ ଚାଲିଗଲେ । ବୟସ ବଢ଼ିବା ସହିତ ଗାଁ ସେବା ମଧ୍ୟ ଆଉ କରି ପାରିଲେ ନାହିଁ ନିରଂଜନ । 1999 ମସିହା ମହାବାତ୍ୟା ପରେ ଗୋବିନ୍ଦା ପୋଖରୀ ଗାଁ ନିକଟସ୍ଥ ଏକ ନିଛାଟିଆ ଜଙ୍ଗଲ ରେ ଦୀର୍ଘ 23 ବର୍ଷ ହେବ ଏକ ଛିଣ୍ଡା ଜରିପାଲ ପକାଅ ଝୁମ୍ପୁଡି ଘରେ ରହି ଆସୁଛନ୍ତି ନିରଂଜନ । ଭତ୍ତା, ରାସନ କାର୍ଡ ଏବଂ ଇନ୍ଦିରା ଆବାସ ମଧ୍ୟ ତାଙ୍କର ନାହିଁ । ମାଗିଯାଚି ଚଳୁଛନ୍ତି ନିରଂଜନ । କେଉଁ ଦିମୁଠା ମିଳିଲେ ଖାଉଛନ୍ତି, ନହେଲେ ଉପାସ । ପାଣି ପିଇ ଦିନ କାଟୁଛନ୍ତି ନିରଂଜନ । ଭତ୍ତା ଓ ଇନ୍ଦିରା ଆବାସ ଖଣ୍ଡେ ପାଇଁ ସରପଞ୍ଚ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ କୁ ଯେତେ ନେହୁରା ହେଲେ ମଧ୍ୟ କେହି ତାଙ୍କ କଥା ଶୁଣୁ ନ ଥିବା ସେ କହିଛନ୍ତି ।
ନିରଂଜନ ଙ୍କର ଏହି ଅବସ୍ଥା ଦେଖି କେତେବେଳେ କେମିତି ଗ୍ରାମବାସୀ ମାନେ ଗଣ୍ଡାଏ ଖାଇବାକୁ ଦିଅନ୍ତି । 5 ବର୍ଷ ହେବ ସ୍ତ୍ରୀ ଆରପାରିକୁ ଚାଲିଯିବା ପରେ ଅସହାୟ ନିରଂଜନ ଙ୍କର ଆଉ ଦୁନିଆ ରେ କେହି ନାହାନ୍ତି । ଭୂମିହୀନ ନିରଂଜନ ଦୀର୍ଘ ବର୍ଷ ଧରି ଜଙ୍ଗଲ ଜମିରେ ରହିବା ପରେ ମଧ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ ସେହି ଜାଗାକୁ ତାଙ୍କ ନାଁ କରିଦେଇଛନ୍ତି । ହେଲେ ଘର ଖଣ୍ଡେ କରିବା ତାଙ୍କ ପକ୍ଷେ ସମ୍ଭବ ହେଉନାହିଁ । ଏ ବାବଦରେ ସ୍ଥାନୀୟ ସରପଞ୍ଚ ଙ୍କର ଦୃଷ୍ଟି ଆକର୍ଷଣ କରାଯାଇଥିବା ବେଳେ ସେ ପ୍ରଥମେ ତାଙ୍କର ଭତ୍ତା କରିଦେବେ ବୋଲି କହିବା ସହିତ ତାଙ୍କର ଆଧାର କାର୍ଡ ନ ଥିବାରୁ ଘର ଦେଇ ହେଉ ନାହିଁ ବୋଲି ସେ କହିଛନ୍ତି । ତେବେ ଜିଲ୍ଲା ପ୍ରଶାସନ ସହିତ ଆଲୋଚନା କରି କିପରି ତାଙ୍କୁ ସରକାରୀ ସହାୟତା ଯୋଗାଇ ଦିଆଯିବ ସେ ନେଇ ପ୍ରତିଶ୍ରୁତି ଦେଇଛନ୍ତି ସରପଂଚ ସ୍ୱରୂପ ମହାନ୍ତି ।
ତେବେ ଦୁଇ ଓଳି ଦୁଇ ମୁଠା ଖାଇବାକୁ ପାଉ ନ ଥିବା ନିରଂଜନ ଙ୍କ ଉପରେ କେବେ ସରକାର ଙ୍କ ଦୃଷ୍ଟି ପଡିବ ତାହା କେବଳ ଦେଖିବା ପାଇଁ ବାକି ରହିଲା ।
ରୀତା ସାହୁ, ଜଗତସିଂହପୁର
