ହେ ଅଟଳ ମହାମେରୁ
ହେ ଅଟଳ ମହାମେରୁ
( ରାଗ — ଦୀର୍ଘକାମୋଦୀ )
🔹କବିରତ୍ନ ନୂତନ କୁମାର ବେହେରା
ହେ ଅଟଳ ମହାମେରୁ’
ବଡ଼ ନୁହେଁ’ କେହି ତୁମ ଠାରୁ’,
ତୁମେ ବ୍ରହ୍ମ ତୁମେ ଦାରୁ’
ବିଶ୍ଵ ବ୍ରହ୍ମା’ଣ୍ଡେ ତୁମେ ହିଁ ଗୁରୁ’ ।୦।
ତୁମେ ଯେ ଆଦି ଅନାଦି
ଜଗତକୁ ରଖିଅଛ ଛନ୍ଦି,
ଭକତ ଡ଼ାକିଲେ କାନ୍ଦି
ରଖ ତାକୁ ତୁମେ ବୁଦ୍ଧି ଫାନ୍ଦି ।
ବିନ୍ଦୁରୁ ସିନ୍ଧୁ ପର୍ଯ୍ୟନ୍ତ
ହୁଅ ପ୍ରକାଶ ନାହିଁ ତ ଅନ୍ତ,
ତୁମେ ଦାତା ଦୟାବନ୍ତ
ସଂସାରକୁ କରିରଖ ଶାନ୍ତ ।
ତୁମେ ଆଲୋକର ଶିଖା
ତୁମେ ପିତା ମାତା ବନ୍ଧୁ ସଖା,
ତୁମେ କପାଳର ଲେଖା
ସିଦ୍ଧ କରିବାକୁ ଦିଅ ଶିକ୍ଷା ।
ସୁଖ ଦୁଃଖ ହସ ଲୁହ
ସହିବାକୁ ଦେଇଅଛ ଦେହ,
ଅନ୍ତର୍ନାଦେ ସଦା କୁହ
ଛାଡ଼ ବାରେ ଆସକ୍ତିର ମୋହ ।
ତୁମ ଅପାର ମହିମା
ବୁଝିଗଲେ ଥରେ ମନ ଆତ୍ମା,
ପାପରୁ ମିଳଇ କ୍ଷମା
ତୁଚ୍ଛ କାମନା ରହେନି ଜମା ।
ତୁମକୁ କରେ ଜଣାଣ
ତୁମ ଶ୍ରୀପାଦେ ଦିଅ ଶରଣ,
ଜୀବ ଜୀବନ ମରଣ
ସବୁ ତ ତୁମରି ବରଦାନ ।
ହେ ଅଟଳ ମହାମେରୁ
ପୁଣ୍ୟ ମିଳୁ ତୁମ କରୁଣାରୁ,
ହସୁ ସଂସାରର ଚାରୁ
ମନ ନ ହଟୁ ତୁମ ପାଖରୁ ।
🔹🔹🔹
