ହେ କାଳିଆ ବନ୍ଧୁ !
ହେ କାଳିଆ ବନ୍ଧୁ !
ଡ. ପ୍ରେମାନନ୍ଦ ବେହେରା
ତୁ ମୋ ଅସ୍ତିତ୍ୱର ଅଲିଖିତ ଶାସନ
ନିର୍ବାକ ଆତ୍ମାର ନିଗୂଢ଼ ସମ୍ବୋଧନ
ବିକଳ ଚେତନାର ଶେଷ ସମ୍ଭାବନା
ହେ କାଳିଆ ବନ୍ଧୁ !
ଯେବେ ସଂସାର
ପ୍ରାପ୍ତି–ପ୍ରତିଷ୍ଠାର ଦୃଢ଼ ମାପଦଣ୍ଡରେ
ମତେ ମାପେ,
ସେତେବେଳେ ତୁ
କେବଳ ମୋ ଲୁହରେ
ମନୁଷ୍ୟତ୍ୱକୁ ପଢ଼ିନେଉ ।।
ତୋ ନୀଳ–କଳା ବର୍ଣ୍ଣରେ
ବିଲୀନ ହୋଇଛି
ଅନାଦି ଅନନ୍ତର ରହସ୍ୟ
ତୁ ମନ୍ଦିରର ସୁବର୍ଣ୍ଣରେ ନୁହେଁ…
ତୁ ବିଦୀର୍ଣ୍ଣ ହୃଦୟର
ଶୂନ୍ୟ ଗର୍ଭଗୃହରେ
ନିର୍ବାସିତ ଦେବତା ।।
ହେ କାଳିଆ !
ତୁ ସାମ୍ରାଜ୍ୟର ସିଂହାସନ ଛାଡ଼ି
ଦୁଃଖୀର ଝୁପୁଡ଼ିକୁ
ନିଜ ଲୋକାୟତ ସ୍ୱର୍ଗ କରିଲୁ
ସେଇଥିପାଇଁ ତୁ
ମୋ ପାଇଁ ଠାକୁର ନୁହେଁ….
ତୁ ଏକ ନିଷ୍କପଟ
ସହଯାତ୍ରୀ ।।
ମୋ ପାପର ଅନ୍ଧକାର
ଯେବେ ଆତ୍ମବୋଧକୁ
ଗ୍ରାସି ନେବାକୁ ଚାହେ
ତୋ କରୁଣା
ଏକ ଅଦୃଶ୍ୟ ପ୍ରଦୀପ ପରି
ମୋ ମନ୍ଦ ଚେତନାକୁ
ଦୀପ୍ତ କରିଦିଏ ।।
ତୁ ଦଣ୍ଡ ନ ଦେଇ
ଅନୁତାପକୁ
ମୋକ୍ଷର ଭାଷା ଶିଖାଉ
ମୁଁ ମାଗେନି
ବୈକୁଣ୍ଠର ଶାଶ୍ୱତ ସିଂହାସନ
ନା ଅମରତ୍ୱର
କୃତ୍ରିମ ଆଶ୍ୱାସନା ।।
ମୋ ଜୀବନର
ବିଷାଦମୟ ସନ୍ଧ୍ୟାବେଳେ
ଯଦି ତୋ ନାମ
ମୋ ଶ୍ୱାସରେ ଲୀନ ହୋଇରହେ….
ସେଇଟା ହିଁ
ମୋ ପରମ ପ୍ରାପ୍ତି ।।
ଯୁଗଯୁଗ ଧରି
ମୁଁ ପତନର ପଥିକ
କିନ୍ତୁ ତୁ
ପୁନରୁତ୍ଥାନର ଅନବରତ ଆଶ୍ୱାସ
ହେ କାଳିଆ ବନ୍ଧୁ !
ତୋ ନିର୍ମଳ ସାନିଧ୍ୟରେ
ମୋ ଜୀବନ ମଧ୍ୟ
ଧୀରେଧୀରେ
ଏକ ଧ୍ୟାନମୟ ତୀର୍ଥ ହୋଇଯାଏ ।।
ପ୍ରଧାନ ଶିକ୍ଷକ
ସତ୍ୟସେବା ସରକାରୀ ଉଚ୍ଚ ବିଦ୍ୟାଳୟ, କନସିଂହା
ପଦ୍ମପୁର, ବରଗଡ଼
