ହେ କୃଷ୍ଣ ମାଧବ
ହେ କୃଷ୍ଣ ମାଧବ
ଡ. ପ୍ରେମାନନ୍ଦ ବେହେରା
କଳା ଆଖି ତୋର କେଡ଼େ ମନୋହର
ଆହା ମୋ କଳା ବଦନ
ନାଲି ଟୁକୁ ଟୁକୁ ନାଲିଆ ଅଧରେ
ମୋହୁ କୋଟି ଜନ ମନ ।।
କଳା ବଦନରେ କଳା କାଞ୍ଚନରେ
ତୁ ପ୍ରିୟ କଳାଠାକୁର
ଗୋପପୁରେ ତୁହି କଳାନାଗର ହେ
ଗୋପବାଳା ଚିତ୍ତ ଚୋର ।।
ରାଧାରାଣୀ ବାଇ କଳାରେ ତୋହର
ଶୁଣି ମୁରଲୀର ସ୍ଵନ
କଳାକାହ୍ନୁ ତୁହି ଯଶୋଦା ମାଆର
ଅଟୁ ରଙ୍କୁଣୀ ରତନ ।।
କଳାଚାନ୍ଦ ମୋର ଜଗତ ଠାକୁର
ତୁହି କଳା ଯାଦୁଗର
କଳା ବାମନରେ ଗୋପୀ ହୃଦରତ୍ନ
କଳା ରସିକ ନାଗର ।।
କାଳିଆ ସୁନା ମୋ ନଟବର କୃଷ୍ଣ
ଆହେ କାଳୀୟଦଳନ
କଂସ ବଧି ତୁହି ରକ୍ଷା କଲୁ ପ୍ରଭୁ
ଏହି ଚଉଦ ଭୁବନ ।।
ଭକ୍ତିରେ ବିଭୋର ହୋଇଣ ଭକତେ
ଗାଇ ନାମ ସଂକୀର୍ତ୍ତନ
କଣ୍ଠରେ ଜପନ୍ତି ଦିବା ନିଶି ବସି
ବେନି ରାମ କୃଷ୍ଣ ନାମ ।।
ହେ କୃଷ୍ଣ ମାଧବ ପ୍ରଭୁ ବାସୁଦେବ
ପାଦ ତଳେ ନମସ୍କାର
ତୁମରି କୃପାରେ ହସୁଥାଉ ସଦା
ତୁମରି ଗଢ଼ା ସଂସାର ।।
ପଦ୍ମପୁର, ବରଗଡ଼
