ଓଡ଼ିଶାରେ “ପିଏମ୍ ରାହାତ” ଯୋଜନା ଆରମ୍ଭ ନେଇ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ପ୍ରସ୍ତୁତି ବୈଠକ

ଓଡ଼ିଶାରେ “ପିଏମ୍ ରାହାତ” ଯୋଜନା ଆରମ୍ଭ ନେଇ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ପ୍ରସ୍ତୁତି ବୈଠକ l ସଡ଼କ ଦୁର୍ଘଟଣାର ୨୪ ଘଣ୍ଟା ମଧ୍ୟରେ ଚିକିତ୍ସିତ ହେଲେ ମିଳିବ ୧.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦେୟମୁକ୍ତ ଚିକିତ୍ସା ଜିଲ୍ଲାସ୍ତରରେ ପ୍ରସ୍ତୁତି ନେଇ ଜିଲ୍ଲାପାଳମାନଙ୍କ ସହ ଆଲୋଚନା ଭୁବନେଶ୍ୱର, ତା-୨୫.୦୨.୨୦୨୬ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁହାର ହ୍ରାସ କରିବା ଏବଂ ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ତୁରନ୍ତ ଚିକିତ୍ସା ସେବା ଯୋଗାଇଦେବା ଲକ୍ଷ୍ୟରେ ରାଜ୍ୟ ସରକାର ‘ପ୍ରଧାନମନ୍ତ୍ରୀ ରୋଡ୍ ଆକ୍ସିଡେଣ୍ଟ ଭିକ୍ଟିମ୍ସ ହସ୍ପିଟାଲାଇଜେସନ ଆଣ୍ଡ ଆସ୍ୟୁର୍ଡ ଟ୍ରିଟମେଣ୍ଟ’ ( ପିଏମ ରାହାତ ) ଯୋଜନାକୁ କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି । ଏହି ପରିପ୍ରେକ୍ଷୀରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓରଂଜନ କୁମାର ସିଂ, ବାଣିଜ୍ୟ ଓ ପରିବହନ ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀ ଏନ.ବି.ଏସ୍ ରାଜପୁତ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ଅଶ୍ୱଥି ଏସ୍, ମିଶନ ନିର୍ଦ୍ଦେଶିକା, ଜାତୀୟ ସ୍ୱାସ୍ଥ୍ୟ ମିଶନ ଡଃ. ବୃନ୍ଦା ଡି., ରାଜ୍ୟ ପରିବହନ କମିଶନର ଶ୍ରୀ ଅମିତାଭ ଠାକୁର, ଡିଜିପି(କ୍ରାଇମ ବ୍ରାଞ୍ଚ ) ଶ୍ରୀ ବିନୟତୋଷ ମିଶ୍ରଙ୍କ ସମେତ ପରିବହନ ବିଭାଗ, ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ପଦାଧିକାରୀ ଏବଂ ରାଜ୍ୟର ସମସ୍ତ ଜିଲ୍ଲାପାଳମାନେ ଆଭାସୀ ମାଧ୍ୟମରେ ଯୋଗଦେଇଥିଲେ । ଏହି ନୂତନ ଯୋଜନାରେ, ସଡ଼କ ଦୁର୍ଘଟଣାର ୨୪ ଘଣ୍ଟା ମଧ୍ୟରେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ୭ ଦିନ ପର୍ଯ୍ୟନ୍ତ କିମ୍ବା ସର୍ବାଧିକ ୧.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ । ଏହି ବ୍ୟବସ୍ଥା ପ୍ରାଥମିକତା ଭିତ୍ତିରେ କାର୍ଯ୍ୟକାରୀ ହେବ ଏବଂ ଏହାର ସମସ୍ତ ଖର୍ଚ୍ଚ ମୋଟର ଭେହିକିଲ ଆକ୍ସିଡେଣ୍ଟ ଫଣ୍ଡରୁ ଭରଣା କରାଯିବ । ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ଉଦ୍ଧାର କରି ଚିକିତ୍ସାଳୟରେ ପହଁଚାଇବା ପାଇଁ ଏହାକୁ ୧୧୨ ଜରୁରୀକାଳୀନ ସେବା ସହିତ ସଂଯୋଗ କରାଯାଇଛି, ଯାହାଫଳରେ ଘଟଣାସ୍ଥଳରେ ତୁରନ୍ତ ସହାୟତା ପହଞ୍ଚିପାରିବ । ତତ୍ ସହିତ ଏସଏମଏସ ଜରିଆରେ ଜରୁରୀ ସୂଚନା ଏବଂ ଚିକିତ୍ସାଧୀନଙ୍କ ପାଇଁ ହସ୍ପିଟାଲମାନଙ୍କୁ ନିର୍ଦ୍ଧାରିତ ସମୟ ଭିତରେ ଅର୍ଥ ପ୍ରଦାନର ବ୍ୟବସ୍ଥା ରହିଛି । ଏ ସମ୍ପର୍କିତ ସଂସ୍ଥାଗତ ବ୍ୟବସ୍ଥା, ତଦାରଖ ଏବଂ ଅଭିଯୋଗ ଶୁଣାଣି ବ୍ୟବସ୍ଥା ସଂପର୍କରେ ବୈଠକରେ ବିସ୍ତୃତ ଆଲୋଚନା କରାଯାଇଥିଲା । ଯୋଜନାକୁ ସ୍ୱଚ୍ଛ ଏବଂ ତ୍ୱରାନ୍ୱିତ କରିବା ପାଇଁ ଏକ ସମନ୍ୱିତ ଟେକ୍ନୋଲୋଜି ପ୍ଲାଟଫର୍ମ ବ୍ୟବହାର କରାଯାଉଛି । ପୋଲିସ ବିଭାଗ ପକ୍ଷରୁ ୨୪ ଘଣ୍ଟା ମଧ୍ୟରେ ଇ-ଡିଏଆର (ଇ-ଡିଏଆର) ପୋର୍ଟାଲରେ ଦୁର୍ଘଟଣାର ବିବରଣୀ ଦିଆଯିବ, ଯାହା ଆଧାରରେ ଚିକିତ୍ସାଳୟଗୁଡ଼ିକ ଟ୍ରାନଜାକ୍ସନ ମ୍ୟାନେଜମେଣ୍ଟ ସିଷ୍ଟମ (ଟିଏମଏସ ) ଜରିଆରେ କ୍ଲେମ୍ ପ୍ରକ୍ରିୟା ଆରମ୍ଭ କରିବେ । ଯୋଜନାର ସଫଳ ପରିଚାଳନା ପାଇଁ ଏକ ସୁଦୃଢ଼ ପ୍ରାଶାସନିକ ବ୍ୟବସ୍ଥା ରହିଛି । ଜାତୀୟ ସ୍ତରରେ ସଡକ ପରିବହନ ଓ ରାଜପଥ ମନ୍ତ୍ରାଳୟର ସଚିବ ପରିଚାଳନା କମିଟିର ମୁଖ୍ୟ ଥିବା ବେଳେ ରାଜ୍ୟସ୍ତରରେ ମାନ୍ୟବର ମୁଖ୍ୟମନ୍ତ୍ରୀ/ପରିବହନ ମନ୍ତ୍ରୀ/ମୁଖ୍ୟ ଶାସନ ସଚିବଙ୍କ ଅଧିନରେ ଜାତୀୟ ସଡକ ସୁରକ୍ଷା ପରିଷଦ କାର୍ଯ୍ୟ କରିବ । ସେହିପରି ଜିଲ୍ଲାସ୍ତରରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ‘ଜିଲ୍ଲା ସଡକ ସୁରକ୍ଷା ସମିତି ‘ ଏହାର ତଦାରଖ କରିବେ । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବର୍ତ୍ତମାନ ସୁଦ୍ଧା ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ ସାମିଲ ହୋଇଥିବା ଚିକିତ୍ସାଳୟ ସମେତ ଏହା ବ୍ୟତିରେକ ଯେଉଁ ଡାକ୍ତରଖାନାରେ ଜରୁରୀ କାଳୀନ ଚିକିତ୍ସା ସୁବିଧା ରହିଛି,ସେସବୁ ଡାକ୍ତରଖାନାରେ ମଧ୍ୟ ଏହି ସୁବିଧା ଉପଲବ୍ଧ ହୋଇପାରିବ । ଏଥିପାଇଁ ସମନ୍ୱୟ ନିମନ୍ତେ ସ୍ୱାସ୍ଥ୍ୟ ବିଭାଗ ସଚିବ ଓ ପରିବହନ ବିଭାଗଙ୍କୁ ପରାମର୍ଶ ଦିଆଯାଇଛି । ଯଦି କୌଣସି ବ୍ୟକ୍ତି ସେବା ପାଇବାରେ ସମସ୍ୟାର ସମ୍ମୁଖୀନ ହୁଅନ୍ତି, ତେବେ ସେମାନେ ଜିଲ୍ଲାସ୍ତରୀୟ ଅଭିଯୋଗ ପ୍ରକୋଷ୍ଠରେ ଆବେଦନ କରାଯାଇପାରିବ ଏବଂ ଜିଲ୍ଲାପାଳ ଏହାର ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରିବେ । ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ, ପ୍ରତିଦିନ ସଡ଼କ ଦୁର୍ଘଟଣାରେ ପ୍ରାୟ ୧୬ ଜଣ ମୃତ୍ୟୁବରଣ କରୁଛନ୍ତି । ଏଣୁ ଏହି ହାର କମାଇବା ସରକାରଙ୍କ ପ୍ରାଥମିକତା ରହିଛି । ‘ପିଏମ ରାହାତ’ ଯୋଜନାରେ ଦୁର୍ଘଟଣାଗ୍ରସ୍ତଙ୍କୁ ତୁରନ୍ତ ହସ୍ପିଟାଲରେ ପହଁଚାଇ ଅବିଳମ୍ବେ ଚିକିତ୍ସା ଆରମ୍ଭ କଲେ ଏହି ସଂଖ୍ୟା ହ୍ରାସ ପାଇବ । ଏ ସଂପର୍କରେ ସ୍ୱାସ୍ଥ୍ୟ ବିଭାଗ, ପରିବହନ ବିଭାଗ ଏବଂ ପୁଲିସ୍ ପ୍ରଶାସନ ସମେତ ଜିଲ୍ଲାସ୍ତରରେ ପ୍ରସ୍ତୁତି ଓ ସଚେତନତା ସୃଷ୍ଟି ପାଇଁ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *