ଅଗ୍ନି ସୁରକ୍ଷା ସଂପର୍କିତ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

ଭୁବନେଶ୍ୱର ତା-୨୦.୦୩.୨୦୨୬ ଭୁବନେଶ୍ୱର ପ୍ରିୟଦର୍ଶିନୀ ମାର୍କେଟ୍ କମ୍ପ୍ଲେକ୍ସରେ ଆଜି ଘଟିଥିବା ଅଗ୍ନିକାଣ୍ଡ ପରେ ଏହି ଘଟଣାକୁ ଅତ୍ୟନ୍ତ ଗୁରୁତ୍ୱର ସହକାରେ ନେଇ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଆଜି ଏକ ଉଚ୍ଚସ୍ତରୀୟ ବୈଠକରେ ଅଗ୍ନି ସୁରକ୍ଷା ପ୍ରସ୍ତୁତି ସମୀକ୍ଷା କରିଛନ୍ତି । ଏ ସଂପର୍କରେ ବିଭିନ୍ନ ପଦକ୍ଷେପ ନେଇ ସଂପୃକ୍ତ ବିଭିନ୍ନ ବିଭାଗକୁ ଆବଶ୍ୟକ ନିର୍ଦ୍ଦେଶ ଦେବା ସହିତ ଜନସାଧାରଣଙ୍କୁ ଅଗ୍ନି ନିରାପତ୍ତା ପ୍ରସଙ୍ଗରେ ଯଥେଷ୍ଟ ସଚେତନ ଓ ସତର୍କତା ଅବଲମ୍ବନ କରିବାକୁ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଛନ୍ତି । ଲୋକସେବା ଭବନରେ ଅନୁଷ୍ଠିତ ଏହି ବୈଠକରେ ଗୃହ, ଶିଳ୍ପ, ସୂଚନା ଓ ଲୋକ ସଂପର୍କ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା, ଅଗ୍ନିଶମ ସେବା ପୁଲିସ୍ ମହାନିର୍ଦ୍ଦେଶକ ଡଃ. ସୁଧାଂଶୁ ଷଡ଼ଙ୍ଗୀ, ନଗର ଉନ୍ନୟନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଊଷା ପାଢୀ, ଶକ୍ତି , ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ବିଶାଳ କୁମାର ଦେବ, ଭୁବନେଶ୍ୱର ମହାନଗର ନିଗମ କମିଶନର ଶ୍ରୀ ଚଂଚଳ ରାଣାଙ୍କ ସମେତ ସଂପୃକ୍ତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ବୈଠକରେ ମୁଖ୍ୟ ଶାସନ ସଚିବ ଅଗ୍ନି ନିରାପତ୍ତା ପ୍ରତି ସରକାରଙ୍କ ତରଫରୁ ରହିଥିବା ପ୍ରସ୍ତୁତି ଓ ତ୍ୱରିତ ପ୍ରତିକ୍ରିୟା ବ୍ୟବସ୍ଥା ସଂପର୍କରେ ଆଲୋଚନା କରିଥିଲେ । ଅଗ୍ନି ସୁରକ୍ଷା ସଂପର୍କିତ ନିୟମିତ ଯାଂଚ ସହିତ ସାଧାରଣ ଲୋକଙ୍କୁ ସଚେତନ କରିବା ପାଇଁ ସୂଚନା, ଶିକ୍ଷା ଓ ଯୋଗାଯୋଗ (ଆଇଇସି) ଅଭିଯାନ ଆରମ୍ଭ କରି ଏହାକୁ ବ୍ୟାପକ କରାଯିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ଯେଉଁ ଯେଉଁ ବ୍ୟବସାୟିକ ପ୍ରତିଷ୍ଠାନ, ହାଉସିଂ ସୋସାଇଟି, ବଡ ବଡ କୋଠା ଆଦି ଅଗ୍ନି ସୁରକ୍ଷା ମାର୍ଗଦର୍ଶିକା ଅନୁପାଳନ କରିବା କଥା, ସେମାନଙ୍କୁ ବୈଧ ଅଗ୍ନି ସୁରକ୍ଷା ପ୍ରମାଣପତ୍ର ରଖିବାକୁ ପରାମର୍ଶ ଦିଆଯାଇଛି । ପ୍ରସ୍ତୁତି ସ୍ୱରୂପ ବିଭିନ୍ନ ପ୍ରତିଷ୍ଠାନମାନେ ନିଜ ନିଜର କର୍ମଚାରୀ ବା ରହିଥିବା ମାନବ ସମ୍ବଳ(ଏଚଆର)ଙ୍କ ମଧ୍ୟରୁ ଅଗ୍ନି ସୁପରଭାଇଜର ନିୟୋଜିତ କରିବେ । ସେମାନଙ୍କୁ ଅଗ୍ନିଶମ ସେବା ଦ୍ୱାରା ପ୍ରଶିକ୍ଷଣ ଦିଆଯିବ । ଏହା ସହିତ ବିଭିନ୍ନ କୋଠାଗୁଡିକରେ ବିଦ୍ୟୁତ୍ ବ୍ୟବସ୍ଥାର ନିୟମିତ ଯାଞ୍ଚକୁ ଗୁରୁତ୍ୱ ଦିଆଯାଇଛି । ଅଗ୍ନିକାଣ୍ଡ ଧନ ଜୀବନକୁ ବିପଦରେ ପକାଉଥିବାରୁ ପ୍ରତ୍ୟେକ ନାଗରିକଙ୍କର ଏ ଦିଗରେ ସଚେତନ ହେବା ଓ ସୁରକ୍ଷା ନିୟମ ମାନିବା ଅତ୍ୟାବଶ୍ୟକ । ଅଗ୍ନିଶମ ସେବା ଡିଜି ଡଃ. ଷଡ଼ଙ୍ଗୀ ବିଭିନ୍ନ ପରାମର୍ଶ ସମ୍ପର୍କରେ ଆଲୋଚନା କରିବା ସହିତ ଜରୁରୀକାଳୀନ ସ୍ଥିତିରେ ଜନସାଧାରଣ ୧୧୨ ହେଲ୍ପଲାଇନ୍‌କୁ ତୁରନ୍ତ ଫୋନ୍ କରି ସହାୟତା ନେବାକୁ ଅନୁରୋଧ କରିଛନ୍ତି । ୧୧୨ ହେଉଛି ଏକ ଜରୁରୀ ସହାୟତା ନମ୍ବର, ଯାହା ଟୋଲ ଫ୍ରି(ଦେୟ ମୁକ୍ତ) ଭାବେ ଉପଲବ୍ଧ ଏବଂ ପୁଲିସ, ଅଗ୍ନିଶମ, ଚିକିତ୍ସା ସୁରକ୍ଷା ଓ ଅନ୍ୟାନ୍ୟ ଜରୁରୀ ସେବା ପାଇଁ ତୁରନ୍ତ ସହାୟତା ପାଇବାରେ ବ୍ୟବହୃତ ହୋଇଥାଏ । ଟିଭି, ରେଡିଓ, ସାମାଜିକ ଗଣମାଧ୍ୟମରେ ଜନ ସଚେତନତା ସୃଷ୍ଟି କରାଯିବ ଏବଂ ବିଭିନ୍ନ କାର୍ଯ୍ୟକ୍ରମରେ ସିଭିଲ ଡିଫେନ୍‌ସ ସ୍ୱେଚ୍ଛାସେବୀଙ୍କ ସହଯୋଗ ନିଆଯିବା ନେଇ ନିର୍ଦ୍ଦେଶ ଓ ପରାମର୍ଶ ଦିଆଯାଇଛି । ଅଗ୍ନିଶମ ସେବା, ପୂର୍ତ୍ତ ବିଭାଗ, ବିଦ୍ୟୁତ୍ ବିଭାଗ ଓ ସଂପୃକ୍ତ ବିଭାଗଙ୍କ ସମନ୍ୱୟରେ ତୁରନ୍ତ ଏକ ସଦ୍ୟ ମାର୍ଗଦର୍ଶିକା (ଏସ୍‌ଓପି) ପ୍ରସ୍ତୁତି କରିବା ଏବଂ ତଦନୁସାରେ ସଚେତନତା କାର୍ଯ୍ୟକ୍ରମ ବ୍ୟାପକ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆଗାମୀ ରଥଯାତ୍ରାକୁ ଦୃଷ୍ଟିରେ ରଖି ପୁରୀ ସହରରେ ବିଶେଷ କରି ହୋଟେଲ୍ ଓ ଜନ ଗହଳି ରହୁଥିବା ଅଞ୍ଚଳମାନଙ୍କରେ ଥିବା କୋଠାଗୁଡିକରେ ଅଗ୍ନି ନିରାପତ୍ତା ଯାଂଚ ଅଭିଯାନ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Leave a Reply

Your email address will not be published. Required fields are marked *