ଉଚ୍ଚଶିକ୍ଷା ବିଭାଗ ସ୍ନାତକ ଓ ସ୍ନାତକୋତ୍ତର ପାଠପଢ଼ା ଆରମ୍ଭ
ଭୁବନେଶ୍ୱର ୧୧ ଜୁଲାଇ, ୨୦୨୫ଉଚ୍ଚଶିକ୍ଷା ବିଭାଗ ଅଧୀନରେ ରହିଥିବା ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟମାନଙ୍କରେ ଶିକ୍ଷାବର୍ଷ ୨୦୨୫-୨୬ ପାଇଁ ସ୍ନାତକ ଓ ସ୍ନାତକୋତ୍ତର ପାଠ୍ୟକ୍ରମର ପ୍ରଥମ ବର୍ଷରେ ନାମ ଲେଖାଇଥିବା ଛାତ୍ରଛାତ୍ରୀମାନଙ୍କର ଶ୍ରେଣୀଗୃହ ପାଠପଢ଼ା *ଜୁଲାଇ ୧୦ ତାରିଖ ଠାରୁ* ଆରମ୍ଭ ହୋଇଯାଇଛି।ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଜାରି କରାଯାଇଥିବା ସମୟ ସାରଣୀ ଅନୁଯାୟୀ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟମାନଙ୍କରେ ଜୁଲାଇ ୧୦ ତାରିଖରୁ ସ୍ନାତକ ଓ ସ୍ନାତକୋତ୍ତର ପାଠ୍ୟକ୍ରମର ପ୍ରଥମ ବର୍ଷ ପାଠପଢ଼ା ଆରମ୍ଭ ହୋଇଛି। ସ୍ନାତକ ଓ ସ୍ନାତକୋତ୍ତର ପାଠ୍ୟକ୍ରମ ନାମଲେଖା ପ୍ରକିୟାର ଫେଜ୍-୧ ତୃତୀୟ ପର୍ଯ୍ୟାୟ ଶେଷହେବା ପର୍ଯ୍ୟନ୍ତ, ୧,୬୦,୨୫୫ ଜଣ ଛାତ୍ରଛାତ୍ରୀ ସ୍ନାତକ ଶ୍ରେଣୀରେ ନାମ ଲେଖାଇଥିବାବେଳେ ୧୮,୪୨୮ ଜଣ ଛାତ୍ରଛାତ୍ରୀ ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମ ଲେଖାଇଛନ୍ତି।ସ୍ନାତକ ଶ୍ରେଣୀ ପାଇଁ ଫେଜ୍-୧ ସ୍ପଟ ଆଡ଼ମିଶନ ପ୍ରକ୍ରିୟା

(ସ୍ପଟ ନାମଲେଖା ପ୍ରକିୟା) ଆସନ୍ତା ଜୁଲାଇ ୧୬ ତାରିଖରେ ସମାପ୍ତ ହେବ। ସେହିପରି ଭାବେ ସ୍ନାତକୋତ୍ତର ପାଠ୍ୟକ୍ରମର ଶେଷ ପର୍ଯ୍ୟାୟ ନାମ ଲେଖା ପ୍ରକିୟା ଆସନ୍ତା ଜୁଲାଇ ୨୫ ତାରିଖରେ ସମାପ୍ତ ହେବ।ପ୍ରକାଶଯୋଗ୍ୟ ଯେ, ଛାତ୍ରଛାତ୍ରୀମାନଙ୍କର ଭବିଷ୍ୟତ ଓ ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ସ୍ନାତକ ଓ ସ୍ନାତକୋତ୍ତର ଶ୍ରେଣୀର ପାଠ୍ୟକ୍ରମକୁ ସଠିକ ସମୟରେ ଆରମ୍ଭ କରିବା ପାଇଁ ଶିକ୍ଷାବର୍ଷ-୨୦୨୫-୨୬ରେ ନାମଲେଖା ପ୍ରକିୟାକୁ ଶୀଘ୍ର ଆରମ୍ଭ କରିବା ନିମନ୍ତେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା। ଏହି ନିଷ୍ପତ୍ତି ଫଳରେ ସ୍ନାତକ ଓ ସ୍ନାତକୋତ୍ତର ଶ୍ରେଣୀରେ ସଠିକ ସମୟରେ ପାଠପଢ଼ା ଆରମ୍ଭ ହେବା ସହିତ ସଠିକ ସମୟରେ ପରୀକ୍ଷା କରାଯାଇ ଫଳାଫଳ ମଧ୍ୟ ଘୋଷଣା କରାଯାଇପାରିବ, ଯାହାଦ୍ୱାରା ଛାତ୍ରଛାତ୍ରୀମାନେ ଉପକୃତ ହେବେ।ଅମ୍ଳାନ ଦାସ ଲୋକସମ୍ପର୍କ ଅଧିକାରୀ l
