ହିମେ କାର୍ତ୍ତିକ ମାର୍ଗଶିର

           ହିମେ କାର୍ତ୍ତିକ ମାର୍ଗଶିର
          ( ରାଗ … ରାମକେରୀ )

   🖊️କବିରତ୍ନ ନୂତନ କୁମାର ବେହେରା

ହିମେ କାର୍ତ୍ତିକ ମାର୍ଗଶିର ପ୍ରକୃତି ମନୋହର,
       ଭିଜା ଭିଜା ଘାସ ପତର  ଲାଗେ ଥଣ୍ଡା କାକର।
ଶୀତର ପହିଲି ପରଶେ  ଶିହରି ଉଠେ ଦେହ,
             ଚୁମି ଯାଏ ଧିର ପବନ  ମୃଦୁ ମନ୍ଦ ପ୍ରବାହ।
ହିମରେ ହେମମୟ ଦିଶେ  ପାଚିଲା ଧାନ କ୍ଷେତ,
     ପରିପୂର୍ଣ୍ଣ ଲାଗେ ମେଦିନୀ ସୁନ୍ଦର ଦିଶେ ଜଗତ।
ପଲ୍ଲୀର ଶିରୀ ଦିଶେ ସ୍ଵଚ୍ଛ  ନିର୍ମଳ ପରିବେଶ,
            ପ୍ରକୃତିରାଣୀ ମନ ଜିଣି  ଅଧରେ ଦିଏ ହସ।
ପାର୍ବଣର ମହୋତ୍ସବରେ  ଆସନ୍ତି ମାଆ କାଳୀ,
            ଅନ୍ଧକାର ଦିଅନ୍ତି ନାଶି  ହୁଅଇ ଦୀପାବଳୀ।
କାର୍ତ୍ତିକରେ ପଞ୍ଚକ ବ୍ରତ  ଉଠେ ଆକାଶଦୀପ,
           କରି ଧାର୍ମିକ ଅନୁଷ୍ଠାନ  ମୋଚନ କରୁ ପାପ।
ବୋଇତ ଭସା ପରମ୍ପରା  ପାଳୁ ପୂର୍ବକୁ ସ୍ମରି,
            ସାଧବ ପୁଅର ବଣିଜ  କଥାକୁ ହେଉ ଝୁରି।
ରାସ ପୂର୍ଣ୍ଣିମାର ପ୍ରକାଶେ  ଶ୍ରୀରାଧାକୃଷ୍ଣ ପୂଜି,
     ଭାବ ଭକ୍ତି ହୃଦୟେ ଆଣୁ  ଶାଶ୍ଵତ ପ୍ରେମେ ମଜି।
ରାଧାକୃଷ୍ଣ ଅମର ପ୍ରେମ  ଭରି ଦିଅ ପ୍ରେରଣା,
        ଧ୍ୟାନ ଧାରଣା ରଖି ଦୃଢ଼  ଖୋଜୁ ନିଜ ଠିକଣା।
ଧାନ କାଟେ ଚଷା ଆନନ୍ଦେ  ଗୀତ ଗାଇ ହରଷେ,
   ଖରା ବର୍ଷା ଶୀତ ସହି ସେ  ମୂଲ ପାଇଛି ଶେଷେ।
ପରିଶ୍ରମର ପୁଣ୍ୟଫଳ  ଦେବାକୁ ମାଆ ଲକ୍ଷ୍ମୀ,
       ଆସନ୍ତି ପ୍ରତି ଘରେ ପୁରେ  ଭକ୍ତ ରହେ ପ୍ରଣମି।
ଖଳାରୁ ଘରର ଅଗଣା  ହୁଅଇ ଝୋଟି ଲେଖା,
     କୁଳବଧୂ ଓଷା ବ୍ରତ ପାଳି  ଦିଏ ଭାଗ୍ୟ ପରୀକ୍ଷା।
ମାର୍ଗଶିରର ଗୁରୁବାରେ  ହୁଅଇ ମାଣବସା,
          ସ୍ତୁତି କରି ମହାଲକ୍ଷ୍ମୀଙ୍କୁ  ପୂରଣ କରୁ ଆଶା।
ହିମେ କାର୍ତ୍ତିକ ମାର୍ଗଶିର  ଅମଳର ସମୟ,
             ଶ୍ରମର ସିଦ୍ଧି ପ୍ରାପ୍ତିରେ  ତୃପ୍ତ ହୁଏ ହୃଦୟ।
ହେମନ୍ତ ଆସି ଧରାପୃଷ୍ଠେ  ପୂର୍ଣ୍ଣତା ଦିଏ ଆଣି,
      ଆନନ୍ଦ ଉଲ୍ଲାସେ ପୁଲକି  ନାଚି ଉଠେ ଧରଣୀ।

  ପ୍ରତିଷ୍ଠାତା ଓ ମୁଖ୍ୟସମ୍ପାଦକ 
     ନବସୃଜନ ଇ-ପତ୍ରିକା 

  କୋହି,ବାରିପଦା,ମୟୂରଭଞ୍ଜ

Leave a Reply

Your email address will not be published. Required fields are marked *